Join Us To Make A Difference

The Drops💧

ତୃତୀୟ ସପ୍ତାହରୁ ବଢ଼ିବ ଶୀତଲହରି

ତୃତୀୟ ସପ୍ତାହରୁ ବଢ଼ିବ ଶୀତଲହରି
Published by:Jyotshna Kumari
#weather

ଦ କୁଇଭର ବ୍ୟୁରୋ :- ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ପରବର୍ତ୍ତୀ ୭ ଦିନ ଅର୍ଥାତ୍‌ ୧୪ରୁ ୨୦ ତାରିଖ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେବ। ବାୟୁମଣ୍ଡଳରେ ଜଳୀୟବାଷ୍ପ ହ୍ରାସ ତଥା ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତି ତାପମାତ୍ରା ହ୍ରାସ ସହ ଆହୁରି ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଶୁକ୍ରବାର ରାତିରୁ ରାଜ୍ୟରେ ପୁଣିଥରେ ଥଣ୍ଡା ବଢ଼ିବ। ରବିବାର ରାତି ସୁଦ୍ଧା ପାରଦ ସ୍ତର ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା, ଗଜାପୁର(ଗଜପତି)ରେ ତାପମାତ୍ରା ୧୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା, ମୋହନାରେ ତାପମାତ୍ରା ୧୪ ଡିଗ୍ରି, ଭୁବନେଶ୍ବରରେ ୧୮ ଡିଗ୍ରି ଓ ବାଲେଶ୍ବରରେ ୧୬ ଡିଗ୍ରି ରହିପାରେ। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଥଣ୍ଡା ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦୁଇ ଦିନ ସର୍ବନିମ୍ନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ୩ ଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାରଦ ୨ରୁ ୩ ଡିଗ୍ରି ଖସିପାରେ। ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୫ ଡିଗ୍ରି, ଅନୁଗୁଳରେ ୧୬ ଡିଗ୍ରି, କୋରାପୁଟରେ ୧୬.୫ ଏବଂ ସୁନ୍ଦରଗଡ଼ରେ ୧୬.୬ ଡିଗ୍ରି ରେକର୍ଡ ହୋଇଛି।

Comments

Leave a Comment

Comments

No comments yet.

Crime

ଏସ୍‌ଆଇ କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

Blog Thumbnail

ଦ କୁଇଭର ବ୍ୟୁରୋ :- ଭୁବନେଶ୍ବରରେ ପହଞ୍ଚିଲା ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ବିମାନବନ୍ଦରରୁ ସିଧା କଟକ କ୍ରାଇମବ୍ରାଞ୍ଚ ଅଫିସ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ଏଣେ ଶଙ୍କର କହିଛି ଯେ ତା ଉପରେ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା। ହାଇକୋର୍ଟରେ ମୁଁ ଆଗୁଆ ଜାମିନ ଆବେଦନ କରିଛି।


ସୂଚନାଯୋଗ୍ୟ, ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଗତକାଲି ନେପାଳ ସୀମାରୁ ଗିରଫ କରିଥିଲା। ଏହାପରେ ତାକୁ ଭୁବନେଶ୍ବରକୁ ଆଣିଛି କ୍ରାଇମବ୍ରାଞ୍ଚ ଟିମ୍। ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।ଡିଏସ୍‌ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍‌ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ। ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦରୁ ଗୋଟିଏ ଫର୍ଚୁନର୍‌ ଗାଡ଼ି ଜବତ କରାଯାଇଛି। ସେଠାରେ ଶଙ୍କରର ପତ୍ନୀ ଓ ପିଲାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରୁଥିବା ବେଳେ ଅନ୍ୟ ଏକ ଟିମ୍‌ ଶଙ୍କରକୁ ଧରି ଓଡ଼ିଶା ଆସୁଛନ୍ତି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପ୍ରସ୍ତୁତ ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି।


ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଖୋଲୁଛି ଗୁମର। ଏହି ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ, କିନ୍ତୁ ଏବେବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ଅଛି। ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ ହୋଇଛନ୍ତି। ଏଥିସହ କେଳେଙ୍କାରୀ ଧରାପଡ଼ିବା ପରେ ଆଇନଗତ ଏବଂ ଅନ୍ୟ ସହାୟତା କରିଥିବା ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ସାହୁ ଓ ଅଭିମନ୍ୟୁ ଦୋରାଙ୍କ ମଧ୍ୟ ଗିରଫ କରାଯାଇଛି ।

ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଅପରାଧିକ ପୃଷ୍ଠଭୂମି ରହିଛି। ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲେ। ପରୀକ୍ଷା ଦୁର୍ନୀତି ଧରାପଡିବା ପରେ ସେ ଫେରାର ହୋଇଯାଇଛି । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା ଆଜି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ଶଙ୍କର ଧରାପଡିବା ପରେ ଏଥିରେ ଅନ୍ୟ ରାଜୈନତିକ ବ୍ୟକ୍ତି ଅବା ଏହା ପଛରେ କିଏ ତାହା ଜଣାପଡିବ ବୋଲି କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ ପରୀକ୍ଷାର୍ଥୀ ନେଇ ଦୁଇଟି ମୋଡୂଲ୍ କରାଯାଇଥିଲା । ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଟ୍ରେନିଂ ଦିଆଯାଇଥାନ୍ତା।


ବହୁ ଚର୍ଚ୍ଚିତ ପୁଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସମ୍ବନ୍ଧିତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଛି, ଆନ୍ତ-ରାଜ୍ୟ ଅପରାଧୀ ସଂଗଠନଙ୍କ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି। ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ। ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି। ସୂଚନାଯୋଗ୍ୟ, ଗତମାସ ପୁଲିସ ଚାକିରିରେ ଜାଲିଆତି ସୁରକ୍ ମିଳିଥିଲା। ପ୍ରଶ୍ନପତ୍ର ଲିକ୍ ବଡ଼ ଯୋଜନା ପଣ୍ଡ କରିଥିଲା ବ୍ରହ୍ମପୁର ପୁଲିିସ। ​​​​​​​ସେପ୍ଟେମ୍ବର ୨୯ ତାରିଖ ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଥିଲା ପୁଲିସ। ତେବେ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାନ୍ତା। ପ୍ରଶ୍ନ ଉତ୍ତର ଅଭ୍ୟାସ ପରେ ସେମାନଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଅର୍ଥ ପରୀକ୍ଷାର୍ଥୀଙ୍କ ଠାରୁ ନିଆଯାଇଥିବା ଚର୍ଚ୍ଚା ହେଉଛି। ହେଲେ ସେମାନେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ଆଣିଥିଲା।

Entertainment

ହସ୍ପିଟାଲରେ ଭର୍ତ୍ତି ଧର୍ମେନ୍ଦ୍ର

Blog Thumbnail

ଦ କୁଇଭର ବ୍ୟୁରୋ :- ହସ୍ପିଟାଲରେ ଭର୍ତ୍ତି ବଲିଉଡ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଲୋକେ ଚିନ୍ତିତ ହେବା ସହ ଅଭିନେତାଙ୍କ ଶୀଘ୍ର ସୁସ୍ଥତା କାମନା କରିଥିଲେ । ଏଥିସହ ଅନେକ ଗୁଜବ ଚର୍ଚ୍ଚା ମଧ୍ୟ ହୋଇଥିଲା । ଆଇଏଏନଏସ ରିପୋର୍ଟ ଅନୁଯାୟୀ, ୮୯ ବର୍ଷୀୟ ଅଭିନେତା ଗତ କିଛି ଦିନ ଧରି ହସ୍ପିଟାଲରେ ଅଛନ୍ତି । ସେ ନିୟମିତ ଯାଞ୍ଚ ପାଇଁ ହସ୍ପିଟାଲକୁ ଆସିଥିଲେ ଏବଂ ସେବେଠାରୁ ଅତିରିକ୍ତ ପରୀକ୍ଷା ପାଇଁ ସେଠାରେ ରହିଛନ୍ତି । ତାଙ୍କ ଡିସଚାର୍ଜ ତାରିଖ ବିଷୟରେ କୌଣସି ଅପଡେଟ୍ ନାହିଁ ।

District

ଆଜି ଛାଡଖାଇ

Blog Thumbnail

ଦ କୁଇଭର ବ୍ୟୁରୋ :- ଧର୍ମ କର୍ମର ମାସ କାତ୍ତିକ ସରିଲା । ଗୋଟିଏ ମାସ ଆମିଷ ଠାରୁ ଦୂର ହେବା ପରେ ଜିଭ ଆଉ ବୋଲ ମାନୁନି । କାତ୍ତିକରେ ପନିପରିବା ଦରରେ ଯେଉଁଭଳି ନିଆଁ ଲାଗିଥିଲା ସେଥିରୁ ଲୋକଙ୍କୁ ନିସ୍ତାର ମିଳିଛି । ବୁଧବାର କାର୍ତ୍ତିକ ମାସକୁ ବିଦାୟ ଦେବା ପରେ ଗତ କାଲି ମାର୍ଗଶିର ପ୍ରଥମ ଗୁରୁବାର ପୁଜିଥିଲେ ଲୋକେ ଆଉ ଆଜି( ଶୁକ୍ରବାର ) ଛାଡଖାଇ ପାଳନ କରୁଛନ୍ତି ଲୋକେ । ଆଉ ସବୁଠାରୁ ବଡ କଥା ହେଲା—ଏଥର ଶୁକ୍ରବାରରେ ପଡିଛି ଛାଡଖାଇ । ଆମିଷ ବାରରେ ଛାଡଖାଇ ପଡିଥିବାରୁ ଆଜି ମାଛ ମାର୍କେଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି l ମଟନ, ଚିକେନ ଓ ମାଛର ଚାହିଦାକୁ ମେଂଟାଇବା ଲାଗି ବ୍ୟବସାୟୀମାନେ ବି ସବୁ ପ୍ରକାରର ପ୍ରସ୍ତୁତି କରି ରଖିଛନ୍ତି । ଶୁକ୍ରବାର ଛାଡ ଖାଇ ପଡୁଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଭଲ ବେପାର କରିବା ଆଶାରେ ରହିଛନ୍ତି ।

Crime,State

ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍

Blog Thumbnail

ଦ କୁଇଭର ବ୍ୟୁରୋ :- ଅଡ଼ୁଆରେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସ୍ ପିଙ୍କୁ ଜବାବ ମାଗିଲେ ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସ୍ ପି ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଅଦାଲତ । ନିର୍ବାଚନୀ ମାମଲା ବିଚାରାଧୀନ ଥିବା ବେଳେ SPଙ୍କ ବୟାନକୁ କୋର୍ଟ କଡ଼ା ନିନ୍ଦା କରିଛନ୍ତି । ଏସପିଙ୍କ ବିବୃତି କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୭ ତାରିଖ ସୁଦ୍ଧା ଲିଖିତ ଜବାବ ମାଗିଛନ୍ତି ହାଇକୋର୍ଟ । ବିଚାରପତି ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।


ଆବେଦନକାରୀ ମନୋଜ ପଣ୍ଡା ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଥିଲେ ଯେ, ଗତ ଅକ୍ଟୋବର ୨୨ରେ ରେଳ ଷ୍ଟେସନରୁ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ପୋଲିସ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା । ବ୍ରହ୍ମପୁର ନିର୍ବାଚିତ ବିଧାୟକଙ୍କ ବିରୋଧରେ ସେ କେମିତି ମାମଲା କଲେ ବୋଲି ତାଙ୍କୁ ପଚରାଯାଇଥିଲା । ଅନ୍ୟପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି କହିଥିଲେ, ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ରହିଛି । ଏହି ନିର୍ବାଚନ ମାମଲା ଶିବଶଙ୍କର ଦାସ ନାମରେ ଦାଖଲ ହୋଇଥିଲା । କିନ୍ତୁ ତାହାକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆର୍ଥିକ ସହାୟତା ଦେଇଥିଲେ । ଅଦାଲତ କହିଛନ୍ତି, ନ୍ୟାୟିକ ମାମଲା ବିଚାରାଧୀନ ଥିବାବେଳେ ପୋଲିସ ଅଧିକାରୀଙ୍କ ସାର୍ବଜନୀନ ଟିପ୍ପଣୀ ଗ୍ରହଣୀୟ ନୁହେଁ ।

Crime,Politics

ବବି'ଙ୍କ ନାମରେ କୋମନା ଥାନାରେ ଲିଖତ ଅଭିଯୋଗ

Blog Thumbnail

ଦ କୁଇଭର ବ୍ୟୁରୋ :- ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହାଭିତରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ ହୋଇଛି। ଜଣେ ବିଜେପି ସମର୍ଥକଙ୍କୁ ବିଜେଡ଼ି ନେତା ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଅଭିଯୋଗ ହୋଇଛି କିନ୍ତୁ ମାମଲା ରୁଜୁ ହୋଇନଥିବା ପୁଲିସ ସୂଚନା ଦେଇଛି । କୋମନା ପାଇକପଡ଼ାର ଜିପ୍ଲ ଆଡ଼ବଙ୍ଗଙ୍କୁ ବିଜେଡ଼ି ନେତାମାନେ କୋମନା ସ୍ଥିତ ଏକ ଫାର୍ମ ହାଉସକୁ ଡାକିଥିଲେ। ଅପରାହ୍ନରେ ଜିତୁ ସେହି ଫାର୍ମ ହାଉସକୁ ଯାଇଥିଲେ। ସେଠି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ। ଆଗରୁ ବିଜେଡ଼ିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛି ବୋଲି କହିଥିଲେ। ସେଠି ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ । ତୁ ମୋତେ ଚିହ୍ନୁନି ତୋତେ ଓ ତୋର ପରିବାରକୁ ଜୀବନରେ ମାରିଦେବି ବୋଲି ବବି କୁଆଡ଼େ ଧମକଚମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ଘଟଣା ବିଷୟରେ ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ‌ଉଦ୍ଧାର କରିଥିବା ଜିତୁ କହିଛନ୍ତି।

Shree Jagannath

ଆଜି ପ୍ରଥମ ମାଣବସା ଗୁରୁବାର

Blog Thumbnail

ଦ କୁଇଭର ବ୍ୟୁରୋ :- ଧର୍ମର ମାସ କାର୍ତ୍ତିକ ପରେ ଆଜିଠୁ ଆରମ୍ଭ ମାର୍ଗଶିର ମାସ ଆଉ ଆଜି ହେଉଛି ମାର୍ଗଶିର ପ୍ରଥମ ଗୁରୁବାର । ଓଡ଼ିଆ ଘରର ବଡ଼ ପୂଜା । ଘରେ ଘରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ନାରୀ ଶକ୍ତିର ପ୍ରତୀକ ମାଣବସା ଗୁରୁବାରକୁ ନେଇ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ଓଡ଼ିଆ ଘରେ ମାଣବସା ଗୁରୁବାରର ବିଶେଷ ମହତ୍ବ ରହିଛି । ଆମ ସମାଜ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଏହି ମାଣବସା ପୂଜା । ବଡଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀ ପାରିବାରିକ ସମ୍ପର୍କକୁ ନେଇ ମାଣବସା ଗୁରୁବାର ପୂଜା କରାଯାଇଥାଏ । ଧନ ଓ ସମୃଦ୍ଧିର ପ୍ରତୀକ ମାଆ ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ଓଡ଼ିଆ ଘରର ବୋହୂ । ସିନ୍ଦୁରା ଫାଟିବା ପୂର୍ବରୁ ଘରର ମହିଳାମାନେ ଉଠି ନିତ୍ୟକର୍ମ ସାରିବା ପରେ ଗୋବର ପବିତ୍ର ଜଳରେ ଘର ଦାଣ୍ଡ ପରିଷ୍କାର କରିବା ପରେ ଗାଧୋଇ ମାଆଙ୍କ ପୂଜା ଆରମ୍ଭ କରିଛନ୍ତି । ନୂଆ ଧାନରେ କେନ୍ଦା କରି, ମାଣରେ ସିନ୍ଦୁର ଓ କଉଡିରେ ମାଆଙ୍କ ପ୍ରତୀମା ପ୍ରସ୍ତୁତ କରି କାଠ ଖଠୁଲିରେ ମାଆଙ୍କ ପୂଜା କରାଯାଉଛି । ପିଠାପଣା, ସହ ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନରେ ମହକୁଛି ଗାଁ ଦାଣ୍ଡ ।


ତେଵେ ଜାଣିଛନ୍ତି କି କାହିଁକି ଓଡ଼ିଆ ଘରେ ପାଳନ ହୁଏ ମାଣବସା ଗୁରୁବାର:- ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାର୍ଗଶିର ମାସ ଗୁରୁବାର । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମାଙ୍କୁ ଆବାହନ କରିଥାନ୍ତି । ଏଥି ପାଇଁ ଗାଁ ଠୁ ସହର ଚାରିଆଡେ ଉତ୍ସବର ପରିବେଶ । ପୁରାଣରେ ବର୍ଣିତ ଅଛି ମାଙ୍କ ର ଟିକେ କୃପା ମିିଳିଲେ ଗରିବ ଧନୀ ହୋଇଯାଏ । ଏଥିପାଇ ସଧବା ନାରୀ ନିଷ୍ଠା ର ସହ ଏହି ବ୍ରତ କରିଥାନ୍ତି । ଏ ପୂଜା ରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ । ମାର୍ଗଶୀର ମାସ ମାଣବସା ଗୁରୁବାର ୪ ବା ୫ ପାଳି ପଡିଥାଏ । ଏହା ଓଡ଼ିଆଙ୍କ ଛଡ଼ା ଅନ୍ୟ କେଉଁଠି ପାଳିତ ହେଉଥିବା ଦୃଷ୍ଟିଗୋଚର ହୁଏନାହିଁ।


ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।ରହିଗଲେ । ସେକାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା ।ଏହା ଦେଖିପ୍ରଭୁ ବଳରାମ କୋପ ପ୍ରକାଶ କଲେ । ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ପରେ ଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଗଲେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଲେ । ତାଳ ବେତାଳଙ୍କୁ ଡକାଇ ମାଆ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମୁରବିଙ୍କୁ ଭେଟିବାକୁ ଚାହିଁଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।


ତେଵେ ଲକ୍ଷ୍ମୀ ପୂରାଣ ସହ କୋଉଠି ନା କୋଉଠି ଆଜି ଭି ଘରେ ଘରେ ଜଡିତ ସମ୍ପର୍କ ରହିଛି l ଆଉ ପ୍ରତି ଓଡ଼ିଆଙ୍କ ଆରାଧ୍ୟା ଦେବୀ ଦେବତା ଯେହେତୁ ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ଜଗନ୍ନାଥ ତେଣୁ ଏହି ମାର୍ଗଶିର ମାସର ପ୍ରତ୍ୟକ ଗୁରୁବାରକୁ ଲୋକେ ଭକ୍ତିର ସହ ପୂଜା ଅର୍ଚ୍ଚନା କରି ଆତ୍ମସନ୍ତୋଷ ଲାଭ କରନ୍ତି l