ବ୍ରହ୍ମପୁର( ଦ କୁଇଭର ):- ଜଣେ ସଂପର୍କୀୟ ଯୁବତୀଙ୍କ ଭିଡ଼ିଓ ଭାଇରାଲ୍ କରିବା ମାମଲାରେ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ଜଣକ ହିଞ୍ଜିଳି ଅଞ୍ଚଳର ହୋଇଥିବା ବେଳେ ସେ ବର୍ତମାନ କୋରାପୁଟରେ ରହୁଛନ୍ତି । ପୁଲିସ ଅଭିଯୁକ୍ତ ଠାରୁ ଏକ ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଡ୍ରାଇଭର ହୋଇଥିବା ତଳେ ସେ ନିଜ ପରିବାର ସହ କୋରାପୁଟରେ ରହୁଛନ୍ତି। ଅଭିଯୋଗକାରୀ ଯୁବତୀ ଜଣକ ଘରୋଇ ବ୍ୟାଙ୍କରେ କାମ କରୁଥିବାବେଳେ ଅଭିଯୁକ୍ତ ତାଙ୍କର ସଂପର୍କୀୟ ବୋଲି ଜଣାପଡିଛି l ଅଭିଯୁକ୍ତ କୋରାପୁଟରୁ ନିଜ ଗ୍ରାମକୁ ଆସିବା ସମୟରେ ଯୁବତୀଙ୍କ ଘରକୁ ଯିବାଆସିବା କରିବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ | ଦୁଇବର୍ଷ ପୂର୍ବେ ଅଭିଯୁକ୍ତ ଜଣକ ନିଜ ସଂପର୍କୀୟ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡ଼ିଓ ଉଠାଇ ନେଇଥିଲେ | ଇତି ମଧ୍ୟରେ ଅଭିଯୁକ୍ତ ଓ ଅଭିଯୋଗକାରୀ ଯୁବତୀଙ୍କ କୌଣସି ସଂପର୍କ ନଥିବା ବେଳେ ଗତମାସରେ ଅଭିଯୁକ୍ତ ଗାଁକୁ ବୋଲ୍ବମ୍ ପାଇଁ ଆସିଥିଲେ | ଏହି ସମୟରେ ଅଭିଯୁକ୍ତ ଯୁବତୀଙ୍କ ସମ୍ମାନହାନି କରିବା ଉଦ୍ଦେଶ୍ୟରେ ଏହି ଭିଡ଼ିଓକୁ ତାଙ୍କର ଜଣେ ସାଂଗଙ୍କ ନିକଟକୁ ପଠାଇଥିଲେ । ଭିଡ଼ିଓ ପାଇଥିବା ସାଂଗ ଜଣକ ଯୁବତୀଙ୍କୁ ଜଣାଇବା ସହ ଭିଡ଼ିଓକୁ ପଠାଇଥିଲେ | ଏଥିନେଇ ଯୁବତୀ ଜଣକ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।