Banner Ad

ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ଲିଟର ପଛା ଅଧିକା ୩ ଟଙ୍କା ଏବଂ ଲକ୍ଷେ ମୃତ୍ୟୁକାଳୀନ ସହାୟତା

ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ଲିଟର ପଛା ଅଧିକା ୩ ଟଙ୍କା ଏବଂ ଲକ୍ଷେ ମୃତ୍ୟୁକାଳୀନ ସହାୟତା
Published by : Jyotshna Kumari
#State
Jun 2, 2025, 9:08 AM

ଦ କୁଇଭର ବ୍ୟୁରୋ:- ଓମଫେଡ଼ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ହୋଇଛି ।ଏଥିରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିଛନ୍ତି ।ଏହା ସହ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ନେଇ ମଧ୍ୟ ଘୋଷଣା କରିଛନ୍ତି ।ଏହି ଅବସରରେ ଓମଫେଡ୍‌ ବାଲ୍ଟି ଦହି, ଏ-2ମିଲ୍କ, ଏ-2ଘିଅର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ,ମଇଁଷି ଉଦ୍ୟୋଗ ବିକାଶ,ମାଈ ବାଛୁରୀ ପାଳନ,ଗୋ-ମଇଁଷିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହିତ ସେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ଓ ରାଜ୍ୟର ୭୭ଟି ପଞ୍ଜିକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣୀ କଲ୍ୟାଣସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ ।


ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,"ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଦୁଗ୍ଧ ଉତ୍ପାଦନ ଆମ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ । ଏହା କେବଳ ଏକ ଆୟର ଉତ୍ସ ନୁହେଁ,ବରଂ ଆମ ସମାଜରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆମ ରାଜ୍ୟରେ ୨୦୨୩-୨୪ ବର୍ଷରେ ୨୬.୪ ଲକ୍ଷ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିବା ବେଳେ ଏହାକୁ ଆଗାମୀ ୫ ବର୍ଷରେ ଦ୍ବିଗୁଣିତ କରିବା ପାଇଁ ଆମ ସରକାର ପ୍ରୟାସଶୀଳ । ସେଥିପାଇଁ ଆମର ଏହି ଲୋକଙ୍କ ସରକାର ରାଜ୍ୟରେ ଗୋପାଳନର ବିକାଶ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ କରିଛନ୍ତି,‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’।"ସେ ଆହୁରି ମଧ୍ୟ କହିଛନ୍ତି,"‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି । ଏହି କାମଧେନୁ ଯୋଜନା ଅଧିନରେ ଅନେକ ଯୋଜନା ଆଜି ଆମର ରାଜ୍ୟ ଚାଷୀଙ୍କୁ ସମୃଦ୍ଧ କରୁଛି । ପ୍ରାଣୀ କଲ୍ୟାଣ ପ୍ରତି ଆମ ସରକାର ସର୍ବଦା ସମ୍ବେଦନଶୀଳ।ସହାନୁଭୂତି,ସମ୍ବେଦନଶୀଳତା ଓ ପର୍ଯ୍ୟାବରଣ ସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ବକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ଯୟ-ଅଟକଳରେ ‘ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ଗତ ନଭେମ୍ବର ମାସରେ ୬୮ ଟି ଗୋଶାଳାକୁ ୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୭ ଟି ଗୋଶାଳାକୁ ୧୦.୫ କୋଟି ଟଙ୍କାର ଅନୁଦାନ ଆଜି ଦିଆଯାଇଛି । ଏହି ଅର୍ଥ ରାଜ୍ୟର ପ୍ରାୟ ୨୨ ହଜାର ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ ।"

Leave a Comment

Comments

No comments yet.

Best Biofloc Fish Farming

ad
Read more

State

ଅତିରିକ୍ତ କମିସନରଙ୍କୁ ବିଧା, ଗୋଇଠା ମାଡ଼ ନେଇ ହୁଲସ୍ତୁଲ : ରାଜ୍ୟରେ ଆଲୋଡ଼ନ

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ସାରା ରାଜ୍ୟରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଏମ୍‌ସି କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓଆର୍‌ଏସ୍‌ ଓ ଓଏଏସ୍‌ ଅଧିକାରୀ ସମୂହ ଛୁଟିରେ ଯାଉଥିବାରୁ ପ୍ରଶାସନିକସ୍ତରରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଖାରବେଳନଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଦୁଇ ଅଭିଯୁକ୍ତ ଝାରପଡ଼ା ଅଞ୍ଚଳର ସଞ୍ଜୀବ ମିଶ୍ର ଓ ଲକ୍ଷ୍ମୀସାଗର ଅଞ୍ଚଳର ସଚ୍ଚିକାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ଗତକାଲି ଗିରଫ ହୋଇଥିବା କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ), ରଶ୍ମିରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କ ସମେତ ଆଜି ଗିରଫ ହୋଇଥିବା ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହେଲେ ଏବେ ବି ୫ରୁ ଅଧିକ ଫେରାର ଥିବା ପୁଲିସ କହିଛି। ସ୍ବଚ୍ଛସାଥୀ ରେବତୀ ରାଉତଙ୍କୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କଥା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସ୍ବଚ୍ଛସାଥୀ ରେବତୀ ବିଜେପି ସଭାକୁ ଲୋକ ନେଇ ଯାଉଥିବାରୁ ୩୪ ନମ୍ବର ୱାର୍ଡର କର୍ପୋରେଟର ତାଙ୍କ ନାମରେ ଅଭିଯୋଗ କରିବା ଏବଂ ଏ ନେଇ ଅତିରିକ୍ତ କମିସନରଙ୍କ ହସ୍ତକ୍ଷେପ ଘଟଣା ମଧ୍ୟ ସାମନାକୁ ଆସିଛି। ବି‌ଜେପି ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲି ଅତିରିକ୍ତ କମିସନରଙ୍କ ଉପରେ ଆରୋପ ଲଗାଇଛନ୍ତି। ଅତିରିକ୍ତ କମିସନର ସ୍ବଚ୍ଛସାଥୀ ଓ ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ସେହିପରି ବିଜେପିକୁ ଟାର୍ଗେଟ୍‌ କରି ବିରୋଧୀ ବର୍ଷିଛନ୍ତି। ବିଜେଡି, କଂଗ୍ରେସ, ଆପ୍‌ ପ୍ରମୁଖ ରାଜନୈତିକ ଦଳ ଘଟଣା ପଛର ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି l


ଅନ୍ୟପଟେ ଏହି ଘଟଣାକୁ ନେଇ ବିଏମ୍‌ସି ଅଧିକାରୀ/କର୍ମଚାରୀମାନେ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଦାବିପତ୍ର ‌ଦେବା ସହ କଳାବ୍ୟାଜ୍‌ ପିନ୍ଧି କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଫଳରେ ଆଜି ବିଏମ୍‌ସି କାର୍ଯ୍ୟାଳୟର ସମସ୍ତ କାମ ଠପ୍‌ ହୋଇଯାଇଛି। କେବଳ କାର୍ଯ୍ୟାଳୟ ଭିତରେ ନୁହେଁ, ବରଂ ବିଏମ୍‌ସିର ୱାର୍ଡମାନଙ୍କରେ ସଫେଇ କର୍ମଚାରୀ, ସ୍ବଚ୍ଛସାଥୀମାନେ ମଧ୍ୟ କାମ ବନ୍ଦ କରି ଦେଇଛନ୍ତି। ଫଳରେ ସହରର ଅଧିକାଂଶ ସ୍ଥାନରେ ଆଜି ଅଳିଆ ଉଠି ପାରିନାହିଁ। ଏ ଘଟଣାର ସମାଧାନ ନ ହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଗତକାଲି ବିଜେଡି କର୍ପୋରେଟର ଓ ନେତାମାନେ ଆନ୍ଦୋଳନ କରିଥିବା ବେଳେ ପୁଲିସ ସେମାନଙ୍କୁ ରାଜରାସ୍ତାରୁ ଉଠେଇ ନେଇଥିଲା। ହେଲେ ଆଜି ପୁଣି ବିଜେଡି କର୍ପାରେଟରମାନେ ବିଏମ୍‌ସି ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନରେ ବସିଥିଲେ। ତୁରନ୍ତ ମୁଖ୍ୟ ଅଭି‌ଯୁକ୍ତ ଓ ଷଡ଼୍‌ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତେବେ ମେୟର ସୁଲୋଚନା ଦାସ ଆସି ବୁଝାସୁଝା କରି ସେମାନଙ୍କୁ ଉଠାଇଥିଲେ।ଅତିରିକ୍ତ କମିସନରଙ୍କ ଅଭିଯୋଗ ଅଧାରରେ ଖାରବେଳନଗର ଥାନା ପୁଲିସ କେସ୍‌ ନଂ-୨୮୦ରେ ବିଏନ୍‌ଏସ୍‌ ଦଫା ୩୩୩/୧୩୨/୧୨୧(୧)/୧୨୧(୨)/୧୦୯/୩୫୧(୨)/୬୨/୧୪୦(୨)/୩୦୪/୫୪/୬୧(୨)/୧୮୯(୨)/୧୯୦/୩(୫)ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ବିଜେପି କଠୋର ଆଭିମୁଖ୍ୟ ନେଇଛି। ଗିରଫ ହୋଇଥିବା ୫ ଜଣଙ୍କୁ ଦଳର ସଭାପତି ମନମୋହନ ସାମଲ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି। ଏମାନେ ସମସ୍ତେ ବିଜେପିର ଭୁବନେଶ୍ବର ଜିଲ୍ଲା ଶାଖାର ସକ୍ରିୟ କର୍ମୀ ଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂହ ଏହି ଘଟଣାକୁ ଗତକାଲି ନିନ୍ଦା କରିଥିଲେ। ଦୋଷୀଙ୍କ ବିରୋଧରେ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପରାଜିତା ମତ ଦେଇଥିଲେ।


ତେବେ ଏ ନେଇ ଅତିରିକ୍ତ କମିସନର ଶ୍ରୀ ସାହୁ କହିଛନ୍ତି, ଗତକାଲି ଅଭିଯୋଗ ଶୁଣାଣି ବେଳେ ମୋତେ ପଚରାଗଲା, ଜଗା ଭାଇଙ୍କୁ କିଛି ଖରାପ ବ୍ୟବହାର କଲେ କି? ମୁଁ ମନା କରିଥିଲି। ତା’ପରେ ମୋତେ ପ୍ରାଣାନ୍ତକ ଆକ୍ରମଣ କରାଗଲା। ବହୁତ ଲୋକ ମିଛ କଥା କହି ଅଭିଯୋଗ ଆଣିବେ। ରେବତୀ ବେହେରାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଘଟଣାକୁ ଅଲଗା ରୂପ ଦେବା ପାଇଁ ମିଛ ଆରୋପ ଲଗାଯାଉଛି। ପୁଲିସ ତା’ ହିସାବରେ କାମ କରୁଛି। ମୋର ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ମୋତେ ନ୍ୟାୟ ମିଳିବ।

Shree Jagannath

ବାହୁଡା ଏବଂ ସୁନାବେଶ ପାଇଁ ରେଳ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ ଏବଂ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ

Blog Thumbnail

ପୁରୀ( ଦ କୁଇଭର ):- ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଏବଂ ସୁନାବେଶରେ ବିପୁଳ ଭକ୍ତ ସମାବେଶ ହେବେ । ଏହାକୁ ଦୃଷ୍ଟିରେ ରଖି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବତଟ ରେଳପଥର ଭୁବନେଶ୍ୱରର ମହାପ୍ରବନ୍ଧକଙ୍କ ସହିତ ଆଲୋଚନା କରିଛନ୍ତି । ପୁରୀ ରେଳ ଷ୍ଟେସନରେ ଭିଡ଼ ପରିଚାଳନା ଏବଂ ଯାତ୍ରୀ ସୁରକ୍ଷା ପ୍ରୋଟୋକଲର ସେ ସମୀକ୍ଷା କରିଛନ୍ତି । ପୁରୀକୁ ଆସିବାକୁ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ଏବଂ ସୁଗମ ଅନୁଭୂତି ପାଇଁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚିନ୍ତା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଜୁଲାଇ ୫ ତାରିଖରେ ପବିତ୍ର ବାହୁଡା ଯାତ୍ରା ଓ ଜୁଲାଇ ୬ ତାରିଖରେ ଶ୍ରୀଜୀଉମାନଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ପୁରୀରେ ଅଭୂତପୂର୍ବ ଭକ୍ତ ସମାବେଶ ହେବ । ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ନିୟନ୍ତ୍ରଣ ଏକ ବିଶାଳ ଓ ମହାନ ଦାୟିତ୍ଵ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଲକ୍ଷ ଲକ୍ଷ ଭକ୍ତଙ୍କ ମଙ୍ଗଳକୁ ସୁନିଶ୍ଚିତ କରିବା ଓ ମହାନ ଦାୟିତ୍ଵକୁ ସୁଚାରୁ ରୂପେ ତୁଲାଇବା ଉପରେ ସେ ଅଗ୍ରାଧିକାର ଦେଇଛନ୍ତି । ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଗତିବିଧି ଏବଂ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ପାଇଁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବଂ ରାଜ୍ୟ ପୋଲିସ ମଧ୍ୟରେ ସୁଗମ ସମନ୍ୱୟର ଆବଶ୍ୟକତା ଉପରେ ସେ ଆଲୋକପାତ କରିଛନ୍ତି । ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା, କର୍ମଚାରୀଙ୍କ ଦକ୍ଷ ନିୟୋଜନ ଏବଂ ପ୍ରଭାବଶାଳୀ ଯୋଗାଯୋଗ ଚ୍ୟାନେଲ ସମେତ ଏକ ବ୍ୟାପକ ରଣନୀତି ଉପରେ ଆଲୋଚନା ହୋଇଛି ।


ତୀର୍ଥଯାତ୍ରୀଙ୍କ ପ୍ରତୀକ୍ଷାସ୍ଥଳୀ, ବର୍ଦ୍ଧିତ ଚିକିତ୍ସା ସୁବିଧା, ସ୍ପଷ୍ଟ ସାଇନେଜ ଏବଂ ସୁଦୃଢ଼ ​​ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା ଭଳି ପଦକ୍ଷେପଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି । ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବାସ୍ତବ-ସମୟ ଭିଡ଼ ଆକଳନର ଗୁରୁତ୍ୱ ଉପରେ ଅତିରିକ୍ତ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଏହା ପ୍ରଭାବଶାଳୀ ଭାବରେ ସର୍ବାଧିକ ଭିଡ ସମୟର ପୂର୍ବାନୁମାନ ଏବଂ ପରିଚାଳନା କରିଥାଏ । ଚଳିତ ରଥଯାତ୍ରା ଉତ୍ସବ ସମୟରେ ଭିଡ଼ ପରିଚାଳନା ସମ୍ପର୍କରେ ସାମ୍ପ୍ରତିକ ଚିନ୍ତାଧାରା ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଯାହା ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ସମୀକ୍ଷାକୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି ।ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଭକ୍ତଙ୍କ ପାଇଁ ଏକ ନିରାପଦ ଏବଂ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସମସ୍ତ ଅଂଶୀଦାରଙ୍କୁ "ଭକ୍ତ-କୈନ୍ଦ୍ରିକ" ଆଭିମୁଖ୍ୟ ସହିତ ସମ୍ପୂର୍ଣ୍ଣ ସମନ୍ୱୟରେ କାମ କରିବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଏବଂ ସୁନାବେଶ ଭଳି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଓ ବିପୁଳ ଭକ୍ତ ସମାବେଶ ଅବସରରେ ଭିଡର ସଫଳ ଏବଂ ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ରେଳବାଇର ବିଦ୍ୟମାନ ବ୍ୟବସ୍ଥା ଉପରେ ଆବଶ୍ୟକୀୟ ଉନ୍ନତିକୁ କାର୍ଯ୍ୟକାରୀ କରିବା ଗୃହ ବିଭାଗ ଏବଂ ପୂର୍ବତଟ ରେଳପଥ ମଧ୍ୟରେ ସହଯୋଗ ଓ ସମନ୍ୱୟର ଲକ୍ଷ୍ୟ । ପୋଲିସ ଡିଜି, ଅତିରିକ୍ତ ପୋଲିସ ଡିଜି ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତି ଥିଲେ ।

State

ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କରିବା ପରେ ଜେଲ ଗଲା ପ୍ରେମିକ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ମଙ୍ଗଳବାର ବ୍ରହ୍ମପୁରରେ ଘଟିଥିଲା ପ୍ରିୟା ମହାରଣା ହତ୍ୟା ଘଟଣା, ସାରା ସହରବାସୀଙ୍କୁ କରି ଦେଇଥିଲା ସ୍ତବ୍ଧ। ପ୍ରେମିକ ସାଜିଥିଲା ସଇତାନ । ପିଲାଟି ଦିନରୁ ଭଲ ପାଇ ଆସୁଥିବା ନିଜ ପ୍ରେମିକାକୁ ଅତି ନିର୍ମମ ଭାବରେ ୨୦ ଥର ଛୁରୀ ଭୂଷି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଦୁହିଁଙ୍କ ଫୋନକୁ ପୋଖରୀ ରେ ଫିଙ୍ଗି ଦେଇ ନିଜେ ଗୋଶାଣୀନୂଆଗାଁ ଥାନାରେ କରିଥିଲା ଆତ୍ମସମର୍ପଣ । ତେବେ ଆଜି ସେହି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ନେଇ ହୋଟେଲ ଯାଇ ଗତକାଲି ଘଟଣାର କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବୈଦ୍ୟନାଥ ପୁର ଥାନା ପୋଲିସ l କେତେବେଳେ ଗେଷ୍ଟ ହାଉସକୁ ଆସିଥିଲେ,ଉଭୟଙ୍କ ମଧ୍ୟରେ କ'ଣ ହୋଇଥିଲା ଘଟଣା ଓ ଛୁରୀରେ କିଭଳି ପ୍ରିୟାଙ୍କୁ ହତ୍ୟା କରିଥିଲା,ଛୁରୀରେ ପ୍ରିୟାର ଶରୀରର କେତୋଟି ସ୍ଥାନକୁ ଓ କିଭଳି ଛୁରୀ ମାଡ଼ କରିଥିଲା ସେ ନେଇ ସବୁ ତଥ୍ୟ ବଖାଣିଥିଲା ଅଭିଯୁକ୍ତ ପ୍ରେମିକ ଅଭୟ । କ୍ରାଇମ ସିନ୍ ରିକ୍ରିଏସନ୍ ପରେ ଅଭୟକୁ ଥାନାକୁ ନେଇଛି ପୋଲିସ ଏବଂ କୋର୍ଟ ଚାଲାଣ କରିଥିବା ପୋଲିସ ତରଫରୁ ସୂଚନା ମିଳିଛି l


ଅନ୍ୟପଟେ ଆଜି ପ୍ରେମିକା ପ୍ରିୟା ମହାରଣା ର ବ୍ୟବଚ୍ଛେଦ ହୋଇ ଶରୀର କୁ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ l

Shree Jagannath

ଆଜି ୫ ଘଣ୍ଟା ବନ୍ଦ ରହିବ ଶ୍ରୀ ଜିଉଙ୍କ ସାଧାରଣ ଦର୍ଶନ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜି ( ସୋମବାର )୫ ଘଣ୍ଟା ବନ୍ଦ ରହିବ ଶ୍ରୀବିଗ୍ରହମାନଙ୍କ ସାଧାରଣ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଶ୍ରଦ୍ଧାଳୁ ଏହି ସମୟ ପାଇଁ ଦର୍ଶନରୁ ବଞ୍ଚିତ ରହିବେ l ସୂଚନାଯୋଗ୍ୟ ,ଆଜି ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ଘ.୯.୦୦ ଟିକା ଠାରୁ ବିଳମ୍ବିତ ରାତ୍ର ଘ.୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

National

ତେଲଙ୍ଗାନା ବିସ୍ଫୋରଣ ; ୪ ଓଡ଼ିଆ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ:- ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୋଟ୍ ୪୦ ମୃତକଙ୍କ ମଧ୍ୟରେ ୪ଜଣ ଓଡ଼ିଆ ଅଛନ୍ତି। ଏପରିକି ୩୩ରୁ ଅଧିକ ଆହତଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତକମାନେ ହେଲେ, କଟକ ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ୱରର ମନୋଜ ରାଉତ, ଯାଜପୁରର ଦୋଳଗୋବିନ୍ଦ ସାହୁ ଏବଂ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ। ଏପରିକି ଏହି ବିସ୍ଫୋରଣ ଘଟଣାରେ ଆଉ ୫ ଓଡ଼ିଆ ନିଖୋଜ ଥିବା ସ୍ପଷ୍ଟ କରିଛନ୍ତି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ କୁମାର ପଣ୍ଡା। ଏସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୨ ଜଣ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ୨ଜଣ ଅଧିକାରୀ- ଡକ୍ଟର ଚନ୍ଦ୍ର ଶେଖର ହୋତା ଏବଂ ପ୍ରୀତିଶ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ନିଖୋଜ ରହିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ସନ୍ଧାନ ନିମନ୍ତେ ସଙ୍ଗାରେଡ୍ଡୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ଏଥିସହିତ ଅଧିକାରୀମାନେ ଆହତ ହୋଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କୁ ଚିକତ୍ସାଳୟରେ ଭେଟିଛନ୍ତି। ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ମୃତ ଶରୀରକୁ ଓଡ଼ିଶାକୁ ଫେରେଇ ଆଣିବା ସହ ସେମାନଙ୍କ ପରିବାର ବର୍ଗକୁ ସାହାଯ୍ୟ କରିବା ନିମନ୍ତେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁଧବାର ସ୍ପଷ୍ଟ କରିଛି ଯେ, ଜୁନ୍ ୩୦ରେ ଏହାର ପଶାମିଲାରାମ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ୪୦ ଜଣ ସଦସ୍ୟଙ୍କୁ ହରାଇଛି। ଏପରିକି ଏହି ଭୟଙ୍କର ଘଟଣାରେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି।

ସରକାରୀ ସଂଖ୍ୟା ଅନୁସାରେ, ବୁଧବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୪୦ ଛୁଇଁଛି। "ଦୁଃଖର ସହିତ ଆମେ ତେଲଙ୍ଗାନାର ପଶାମିଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ୍ ରେ ଘଟିଥିବା ଦୁର୍ଘଟଣାର ବିବରଣୀ ସେୟାର କରୁଛୁ। ଯାହା ଫଳରେ ୪୦ ଜଣ ମୂଲ୍ୟବାନ ଦଳର ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ୩୩ ରୁ ଅଧିକ ଆହତ ହୋଇଛନ୍ତି," ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।


ତେବେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଫାର୍ମାର ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ କରିବେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏପରିକି ଯେଉଁମାନେ ଆହତ ହୋଇଛନ୍ତି କିନ୍ତୁ କିଛି ସୁସ୍ଥ ହେବାପରେ ପୁଣି କାମ ଆରମ୍ଭ କରିପାରିବେ, ସେମାନଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Shree Jagannath,State

ପୁରୀରେ ତନାଘନା କଲେ ମୁଖ୍ୟମନ୍ତ୍ରୀ

Blog Thumbnail

ପୁରୀ( ଦ କୁଇଭର ):- ଯାହା ଘଟିଲା ଅତ୍ୟନ୍ତ ଦୁଃଖଦାୟକ। ଆଗକୁ ଯାହା ନୀତି ଅଛି ସେସବୁ କିଭଳି ଶୃଙ୍ଖଳିତ ହେବ, ତାହାକୁ ପ୍ରାଥମିକତା ଦିଆଯାଇଛି। ବିଶୃଙ୍ଖଳାର ପୁନରାବୃତ୍ତି ନ ହେବା ଲାଗି ଗୁରୁତ୍ବ ଦିଆଯାଇଛି। ପ୍ରଶାସନିକ ଅଧିକାରୀମାନେ ସେବକ ଭାବେ ସେବା କରିବେ। କୌଣସି ସେବାୟତ ଅନଧିକୃତ ନୁହନ୍ତି। ସମସ୍ତଙ୍କ ସହଯୋଗ ଓ ସମନ୍ବୟରେ ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରାରେ ଘଟିଥିବା ବିଶୃଙ୍ଖଳା ପ୍ରସଙ୍ଗରେ ଆଜି ପୁରୀ ସର୍କିଟ୍‌ ହାଉସ୍‌ରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ଓ ନୀତିକାନ୍ତିକୁ ନେଇ ବରିଷ୍ଠ ସେବାୟତ ତଥା ଛତିଶା ନିଯୋଗ ସଦସ୍ୟଙ୍କ ସହ ଦଫା ଦଫାରେ ଆଲୋଚନା କରିଛନ୍ତି। ସୁରକ୍ଷାର ତିନିଟି ଦିଗ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ‘ଭକ୍ତଙ୍କ ସୁରକ୍ଷା ଆମର ପ୍ରାଥମିକତା। ସବୁ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ସେବାୟତଙ୍କ ସହ ହୋଇଥିବା ଆଲୋଚନାରେ ସେମାନଙ୍କର ଅସୁବିଧା ବିଷୟରେ ସେମାନେ ଲିଖିତ ଭାବେ ଅବଗତ କରାଇଛନ୍ତି। ଏହାର ସମାଧାନ ପାଇଁ ଆମ ସରକାର ପ୍ରସ୍ତୁତ ଅଛି। ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ସୁରୁଖୁରୁରେ ହେବ ବୋଲି ଆମେ ଆଶା ରଖିଛୁ। ଅନୁକୂଳ ପାଗ ଯୋଗୁଁ ଏହି ତିନି ଦିନ ବହୁତ ଭକ୍ତ ଆସିବେ। ସୁନାବେଶରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଏବଂ ସବୁବେଳେ ସବୁ ସମୟରେ କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ତିନିଟି ବଡ ଉତ୍ସବକୁ ନିର୍ଭୁଲ ଭାବେ ପରିଚାଳନା କରିବା ପାଇଁ ଯୋଜନା ହୋଇଛି। ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଏସ୍‌ଓପି ରହିଛି। ଏହି ଏସ୍‌ଓପି ଯେଭଳି କଡ଼ାକଡ଼ି ପାଳନ ହେବ ତାହା ଅଧିକାରୀମାନେ ନିଶ୍ଚିତ କରିବେ। ଗହଳି କମ କରିବା ପାଇଁ କର୍ଡନ୍‌ ପାସକୁ କାଣ୍ଟଛାଣ୍ଟ କରାଯିବ। ମହାରଣା ଓ ଭୋଇ ସେବକମାନଙ୍କ ପରାମର୍ଶ ନେଇ, ରଥଟଣା ନୀତି କରାଯିବ। ଉପରୋକ୍ତ ତିନିଟି ଉତ୍ସବରେ ବେଳାଭୂମିରେ ଶହଶହ ଭକ୍ତ ସମୟ ଅତିବାହିତ କରିବେ। ତେଣୁ ବେଳାଭୂମିକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ କହିଥିଲେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ବିଷୟରେ ବିବରଣୀ ରଖିଥିଲେ। ଭକ୍ତଙ୍କ ପାଇଁ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଥିବା କହିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିବରଣୀ ଦେଇଥିଲେ। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡ.ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ, ରଥଯାତ୍ରା ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ବିଭିନ୍ନ ଦିଗ ଉପରେ ମତାମତ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସ୍ରୋତପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର, ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ପିନାକ ମିଶ୍ର ଉପସ୍ଥିତ ଥିଲେl

National,State

୧୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତା ୧୪ରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଏବଂ ଅନ୍ୟ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବରେ ୨୦୨୩, ୨୦୨୪ ଏବଂ ୨୦୨୫ ଶିକ୍ଷା ବର୍ଷ ପାଇଁ ୧୫୦ ଜଣ PHD ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ତିନି ବର୍ଷର ମୋଟ ୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବେଷ୍ଟ ଗ୍ରାଜୁଏଟ ଭାବରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।

State

ନାବାଳିକା ବଳାତ୍କାର ମାମଲା : ସମ୍ପର୍କୀୟ ଭାଇ ଗିରଫ

Blog Thumbnail

ଗଞ୍ଜାମ, ଗୋଳନ୍ଥରା ( ଦ କୁଇଭର ):- ଗଞ୍ଜାମ ଜିଲ୍ଲାରେ ଅପରାଧ ଥମିବାର ନା ନେଉନି l ବାରମ୍ବାର ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଥିବା ବେଳେ ପିଶାଚ ରୁପି ଅପରାଧୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଜଣେ ୧୧ ବର୍ଷ ର ଝିଅକୁ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିବା, ପୁଣି ଏବେ ସାମ୍ନାକୁ ଆସିଛି l ଘଟଣାଟି ଘଟିଛି ଗୋଳନ୍ଥରା ଥାନା ଅଞ୍ଚଳରେ l


ସୂଚନା ପ୍ରକାରେ ଗତ ୨୮ ତାରିଖ ଦିନ ସମୟ ପ୍ରାୟ ୧୧.୦୦ ଟା ସମୟରେ, ନାବାଳିକା ଜଣକ ନିଜ ଭଉଣୀଙ୍କ ପଛ ପାର୍ଶ୍ୱ ଘରକୁ କିଛି ଗୁଆ ଆଣିବା ପାଇଁ ଯାଇଥିଲା।ତାଙ୍କ ଗାଁର ଅଭିଯୁକ୍ତ ଭୁବନା ପ୍ରଧାନ, ଯିଏକି ପୀଡିତାଙ୍କ ସମ୍ପର୍କୀୟ ଭାଇ, ସେଠାରେ ପହଞ୍ଚିଥିଲେ ଏବଂ ମନରେ ଯୌନ ଉଦ୍ଦେଶ୍ୟ ରଖି ପୀଡିତାଙ୍କୁ ସ୍କୁଲକୋଠାର ପାଇଖାନା କୋଠରୀ ପାଖରେ ନେଇ ତାଙ୍କ ସହିତ ଜୋରଜବରଦସ୍ତି ଯୌନ ସମ୍ପର୍କ ସ୍ଥାପନ କରିଥିଲେ।ତାଙ୍କ ଚିତ୍କାର ଶୁଣି ତାଙ୍କ ସହ ଗ୍ରାମ ବାସୀ ଭଗବାନ ପ୍ରଧାନ ସେଠାରେ ପହଞ୍ଚିଥିଲେ। ଭଗବାନ ପ୍ରଧାନ ସେଠାରେ ପହଞ୍ଚିବା ମାତ୍ରେ ଅଭିଯୁକ୍ତ ଭୁବନା ପ୍ରଧାନ ନାବାଳିକା ପୀଡିତାଙ୍କୁ ସେଠାରେ ଛାଡି ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ପୀଡିତା ଘରକୁ ଆସି ତାଙ୍କ ବାପା ମା ଙ୍କୁ ସବୁ କଥା ଜଣାଇଥିଲେ ଏବଂ ମା ଯାଇ ଗୋଳନ୍ଥରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ l ଏଠି କହି ରଖୁଛୁ ଯେ ପୀଡିତାଙ୍କ ବାପା ମା ଦିନ ମଜୁରିଆ ଭାବେ କାମ କରନ୍ତି ଏବଂ ସେମାନେ ପ୍ରତିଦିନ ଘରୁ କାମ ଉଦ୍ଦେଶ୍ୟରେ ବାହାରିଯାନ୍ତି ଯାହାର ଫାଇଦା ନେଇ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି l ତେବେ ଅଭିଯୋଗ ପରେ ପୋଲିସ ନାବାଳିକା ଝିଅଙ୍କ ଡାକ୍ତରୀ ପରୀକ୍ଷା କରି କାଉନସେଲିଂ ପାଇଁ CWC ସମ୍ମୁଖରେ ହାଜର କରାଇଛି। ଅନ୍ୟ ପଟେ ଅଭିଯୁକ୍ତକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

Health & lifestyle

ଗର୍ଭବତୀଙ୍କୁ ଆଣିବାକୁ ଯାଇ କାଦୁଅରେ ଫସିଲା ଆମ୍ବୁଲାନ୍ସ

Blog Thumbnail

ମାଲକାନଗିରି( ଦ କୁଇଭର):- ରୋଗୀକୁ ଆଣିବାକୁ ଯାଇ ଅଧା ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଗୋଟିଏ ପଟେ ଗର୍ଭବତୀ ମହିଳା ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ଏପଟେ ଆମ୍ବୁଲାନ୍ସର ଏଭଳି ଅବସ୍ଥା । ଏଥିରୁ ଅନୁମାନ କରିହେବ ଯେ ଉପାନ୍ତ ଆଉ ଦୁର୍ଗମ ଅଞ୍ଚଳର ଲୋକେ କିଭଳି ଦୁର୍ଦ୍ଦଶା ରେ ଜୀବନ କାଟୁଛନ୍ତି । ଗାଁ କୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନଥିବାରୁ ରୋଗୀ ମରଣ ମୁହଁକୁ ଟାଣି ହେଉଛନ୍ତି ।କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସି ଯିବା ପରେ ଟାଣିଲା ଟ୍ରାକ୍ଟର ।ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ କରକାଗୁଡାର । ଗର୍ଭବତୀ ମହିଳାକୁ ମେଡିକାଲରେ ପ୍ରସବ ପାଇଁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଶେଷରେ ଘରେ ପ୍ରସବ କଲେ ମହିଳା।କର୍କା ଗୁଡା ଗାଁ ର ଗର୍ଭବତୀ ମହିଳା ମାଲାବତି ବିଶୋଇ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନିଜ ଘରେ ପ୍ରସବ ହୋଇ ପୁତ୍ର ସନ୍ତାନ ଜନ୍ମ କରିଛି l ତାର ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ବେଳେ ସେପଟେ ଘରେ ଆମ୍ବୁଲାନ୍ସ ପହଁଚିବା ବିଳମ୍ବ ହେଉଥାଏ । ଲୋକେ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କଲେ ଯେତେବେଳେ ଅଧା ବାଟରେ କାଦୁଅରେ ଫସିଥିବା କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ।ଶେଷରେ ଗାଁ ଲୋକେ ଟ୍ରାକ୍ଟର ଭଡା କରି ନେଇ ଆମ୍ବୁଲାନ୍ସ କୁ ଦୌଡିରେ ଟାଣି ଆଣି ଭଲ ରାସ୍ତାରେ ପହଞ୍ଚାଇଥିଲେ । ପରେ ଗୁରୁତର ପ୍ରସବ ମହିଳାକୁ ମେଡିକାଲ ରେ ପହଞ୍ଚାଇ ଜୀବନ ବଞ୍ଚାଇଥିଲେ । କିନ୍ତୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ସମାଧାନ ପାଁ ଦାବି କରିଛନ୍ତି ଗାଁ ଲୋକେ l

State

ପ୍ରବଳ ବର୍ଷା ପାଇଁ ବନ୍ଦ ରହିବ ମୟୁରଭଞ୍ଜ

Blog Thumbnail

ମୟୁରଭଞ୍ଜ( ଦ କୁଇଭର ):- ଆଜି ପାଇଁ ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ଏନେଇ ରବିବାର ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାରୁ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ ବୋଲି ଜଣାପଡିଛି । ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ସୋମବାର,ମଙ୍ଗଳବାର ଓ ବୁଧବାର ୩ ଦିନ ବନ୍ଦ ରହିବାକୁ ଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ସୋମବାର ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି।

Education

ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ନିଯୁକ୍ତ ହେବେ ‘ଶିଶୁ ସେବିକା’

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟର ଶିଶୁବାଟିକାଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍‍କା କରିବାରେ ସହାୟକ ହେବେ । ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି କେନ୍ଦ୍ରୀତ କରିପାରିବେ । ଏହାଦ୍ୱାରା ପ୍ରାକ୍‍-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍‍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (Enrolment) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ ।ଛୋଟ ପିଲାମାନଙ୍କୁ ଶ୍ରେଣୀଗୃହରେ ପରିଚାଳନା କରିବା, ସେମାନଙ୍କ ଯତ୍ନ ନେବା ଏକ ଗୁରୁ ଦାୟିତ୍ୱ । ଶିକ୍ଷକମାନଙ୍କ ଉପରେ ଏ ଦାୟିତ୍ୱ ରହିଲେ ଶିକ୍ଷା କାର୍ଯ୍ୟ ବ୍ୟାହତ ହେବ । ସାରା ରାଜ୍ୟରେ ବିଭିନ୍ନ ଶିଶୁବାଟିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନରୁ (Situational Study of Sishu Vatikas across the state) ଜଣାଯାଇଛି ଯେ, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରେ ସହାୟତା କରିବା ପାଇଁ ଶିଶୁବାଟିକା ମାନଙ୍କରେ ଶିଶୁସେବିକାମାନଙ୍କର ଆବଶ୍ୟକତା ରହିଛି ।ନିଷ୍ପତ୍ତି ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନଙ୍କ ଯେଉଁ ହାରରେ ଦରମା ଦିଆଯାଉଛି, ଶିଶୁ ସେବିକାମାନଙ୍କୁ ସେହି ହାରରେ ଦରମା ଦିଆଯିବ। ସମଗ୍ର ଶିକ୍ଷାର ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ତେବେ ସେବିକାମାନେ ପିଲାମାନେ ଯେପରି ଇଆଡ଼େ ସେଆଡେ ବୁଲିବେ ନାହିଁ, ଶ୍ରେଣୀଗୃହ ଭିତରେ ସୁରକ୍ଷିତ ଭାବେ ରହିବେ, ତା’ଉପରେ ନଜର ରଖିବେ, ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ ଯିବା ଏବଂ ଶ୍ରେଣୀଗୃହରେ ବସିବା ଆଦି କାର୍ଯ୍ୟରେ ସହାୟତା କରିବା,ପିଲା କାନ୍ଦିଲେ କିମ୍ୱା ଅଝଟ ହେଲେ ସେମାନଙ୍କୁ ବୁଝେଇ ସୁଝେଇ ଶାନ୍ତ କରିବା, ପିଲାଙ୍କୁ ବହି, ଖେଳନା ଆଦି ବିଭିନ୍ନ ଶିକ୍ଷା ସହାୟକ ଜିନିଷ ଯୋଗାଇ ଦେବା,ପିଲା ଯଦି ବାହାରକୁ ଯିବେ କିମ୍ୱା ଟଏଲେଟକୁ ଯିିବେ, ତେବେ ସେବିକାମାନେ ପିଲାଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରିବେ,ପିଲା ଯଦି କୌଣସି କାରଣରୁ ଅସୁସ୍ଥ ଥିବ, ମନଦୁଃଖରେ ଥିବ କିମ୍ୱା ଅବୁଝା ହେଉଥିବ ତେବେ ସେ ବିଷୟରେ ଶିକ୍ଷକଙ୍କୁ ଜଣାଇବା,ପ୍ରତ୍ୟେକ ପିଲାଙ୍କ ଦିନ କେମିତି କଟିଲା ସେ ସମ୍ପର୍କରେ ଗୋଟିଏ ଛୋଟ ନୋଟ ପ୍ରସ୍ତୁତ କରିବା, କୌଣସି ପରିସ୍ଥିତିରେ ଶିଶୁ ସେବିକାମାନେ ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେବେ ନାହିଁ, ପିଲାମାନଙ୍କୁ ଗାଳି କିମ୍ୱା ଦଣ୍ଡ ଦେଇ ପାରିବେନାହିଁ । ପିଲା ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ, କିନ୍ତୁ ଔଷଧ ଦେବା ବା କୌଣସି ଚିକିତ୍ସା କରିପାରିବେ ନାହିଁ ।

State

ବେଆଇନ ସସ ଫ୍ୟାକ୍ଟ୍ରି ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ : ମାଲିକ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପିଚିପିଚା ନଗର ଠାରେ ଥିବା ଏକ ସସ୍ ଫ୍ୟାକ୍‌ଟ୍ରି ଉପରେ ପୋଲିସର ରେଡ୍ | ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପକ୍ଷରୁ ରେଡ୍‌ରେ ଏଠା ରୁ ବହୁ ପରିମାଣ ର ସସ ସହ ଅନ୍ୟାନ୍ୟ ସାମଗ୍ରୀ ଜଦତ କରାଯାଇଛି I ତେବେ ଏହି ସସ୍ ଗୁଡ଼ିକରେ ଆଳୁ ପାଉଡର, କିଛି ରାସାୟନିକ ପଦାର୍ଥ ମିଶି ତିଆରି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଦୀର୍ଘ ୧୦ ବର୍ଷ ହେଲା ସହରରେ ବିକ୍ରି ହେଉଥିବା ଅଭି ଯୋଗ ହୋଇଛି I ଆଗକୁ ଏହି ଫ୍ୟାକ୍‌ଟ୍ରିର ସିଜ୍ ହୋଇଥ‌ିବା ଜିନିଷ ଗୁଡ଼ିକୁ ଯାଞ୍ଚ ପାଇଁ ପଠାଯିବା ସହ ଅପମିଶ୍ରଣ ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।


ରାତି ହେଲେ ସହରରେ ବିଭିନ୍ନ ଫାଷ୍ଟଫୁଡ୍ ଠାରୁ ଆରମ୍ଭ କରି ବିଭିନ୍ନ ଜଳଖୁଆ ଦୋକାନରେ ବିକ୍ରି ହେଉଥିବା ସସ କୁ କିଭଳି ତିଆରି କରୁଛନ୍ତି ଦେଖନ୍ତୁ,ଏହି ପ୍ଲାଷ୍ଟିକ୍ ଜାରଗୁଡ଼ିକ ଓ ବଡ଼ ହଣ୍ଡା ଟିକୁ I ଏଥିରେ ନାଲି ନାଲି ହୋଇ ରହିଛି ସସ୍ ଗୁଡ଼ିକା,ଏଥ୍‌ରେ ଆଳୁ ପାଉଡର, ଷ୍ଟାର୍ଚ, ଟମାଟୋ ପେଷ୍ଟ ପକାଇ ତିଆରି ହେଉଥିଲା । କିନ୍ତୁ ଫୁଡ୍ ବିଭାଗ ଖୋଜୁ ଖୋଜୁ ସେଠାରୁ ମିଳିଥିଲା ବହୁ ପ୍ରକାର କଲର୍ ଓ ଅନ୍ୟାନ୍ୟ ସାମଗ୍ରୀ I ଏସବୁକୁ ମିଶାଇ ତିଆରି ହେଉଥିଲା ଟମାଟୋ ସସ୍ । ଏହା ଜାଣିବା ପରେ ଫୁଡ୍‌ ବିଭାଗ ପକ୍ଷରୁ ରେଡ୍ କରା ଯାଇ ବିଭିନ୍ନ ଜିନିଷ ସିଜ୍ କରା ଯାଇଛି I ତେ ବେ ଏଗୁଡ଼ିକର ଲାଇସେନ୍ସ ଥିବା ଓ ସେଗୁଡ଼ିକୁ ରୀତିମତ ସାଂଚ କରୁଥିବା କହିଛନ୍ତି ଦୋକାନୀ|ଅନ୍ୟପକ୍ଷରେ ଏହି ଫ୍ୟାକ୍‌ଟ୍ରିରୁ ମିଳିଥିବା ସସ୍ ଗୁଡ଼ିକରେ କଲର ମିଶାଯାଉଥିବା କହିଛନ୍ତି । ସିନ୍ଥେଟିକ୍ କଲର୍ ମିଶାଇବା ଦ୍ବାରା ଏହା ସ୍ବାସ୍ଥ୍ୟ ପକ୍ଷେ ହାନୀ କାରକ ହୋ ଇଥାଏ । ଏଣୁ ଏଗୁଡ଼ିକର ଯାଚ କରାଯାଇ ଆଗକୁ ପଦକ୍ଷେପ ନିଆଯିବ । ଏହି ଫ୍ୟାକ୍‌ଟ୍ରି ମଧ୍ୟରେ ସସ୍ ସମେତ ଭି ନେଗାର, ସୋୟା ସସ୍, ଚିଲି ସସ୍ , ସୋୟା ଚ ଙ୍କ ରିପ୍ୟାକିଂ, ଆଚାର ମସଲା ମଧ୍ଯ ତିଆରି କରାଯାଉଥିବା ଦେଖା ଦେଇଥିଲା | ଏଗୁଡ଼ିକ କେତେ ଠିକ୍ ସେଗୁଡ଼ିକୁ ସାଂଚ କରିବା ପରେ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧୁକାରୀ ଅନ୍ୟପକ୍ଷରେ ଏଭଳି ଅପମିଶ୍ରିତ ସାମଗ୍ରୀ ବିକ୍ରି ବଡ଼ବଜାର ଅଂଚଳରେ ହେଉଛି I ଏହା ଉପରେ ରୀତିମତ ଚଢ଼ାଉ କରି କାର୍ଯ୍ୟା ନୁଷ୍ଠାନ ନିଆଯିବା ଆବଶ୍ୟକ | ନଚେତ୍ ଏହା ଲୋକଙ୍କୁ ରୋଗରେ ପକାଇବା ସହ ଦୁରା ରୋଗ୍ୟ ବ୍ୟାଧି ସୃଷ୍ଟି କାରକ ହେବ ବୋଲି କହିଛନ୍ତି ସାଧାରଣ ଲୋକେ | ତେବେ ଏହି ସସ ଫ୍ୟାକ୍ଟ୍ରି ମାଲିକ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l

State

ଖଣି ଅତଡା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ, ୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

Blog Thumbnail

କେନ୍ଦୁଝର( ଦ କୁଇଭର ):-

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ନିକଟସ୍ଥ ଦଲପାହାଡ ଠାରେ ଥିବା ଏକ ପରିତ୍ୟକ୍ତ ଖଣିରେ ମଙ୍ଗଳବାର ରାତି ଖଣି ଅତଡା ଖସିବା ଫଳରେ ୩ ଜଣ ଲୋକ ସେଥିରେ ଚାପି ହୋଇ ଯାଇଥିଲେ। ସୂଚନା ପାଇ ଯୋଡା ଓ ବାମେବାରୀ ପୋଲିସ ସହ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୬ ଘଣ୍ଟା ପରେ ଖଣି ଅତଡା ମଧ୍ୟରୁ ୩ଟି ମୃତଦେହ ଉଦ୍ଧାର କରା ଯାଇଥିବା ଜଣା ପଡିଛି। ମୃତକ ମାନେ ବିଛାକୁଣ୍ଡି ଗ୍ରାମର ସନ୍ଦୀପ ପୂର୍ତ୍ତି, କାଣ୍ଡେ ମୁଣ୍ଡା ଓ ଗୁରୁ ଚାମ୍ପିଆ ବୋଲି ଚିହ୍ନଟ ହୋଇଛନ୍ତି। ମାଙ୍ଗାନିଜ ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

State

ଲଜରେ ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କଲା ପ୍ରେମିକ

Blog Thumbnail

ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁରରେ ପୁଣି ଏକ ହତ୍ୟା। ପୁଷ୍ପାଞ୍ଜଳି ଲଜରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ପରେ ଥାନାରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଲଞ୍ଜିପାଲ୍ଲି ସ୍ଥିତ ଉମା ନାଗର ପ୍ରଥମ ଗଳିର ଅଭୟ କୁମାର ମହାରଣା ବୋଲି ଜଣାପଡିଥିବା ବେଳେ ମୃତ୍ୟୁ ବରଣ କରିଥିବା ପୀଡିତା ହେଉଛନ୍ତି ପ୍ରିୟା କୁମାରୀ ମହାରଣା, ସେ ଲଞ୍ଜିପାଲ୍ଲୀ ଆଉଟପୋଷ୍ଟ ନିକଟର ବୋଲି ସୂଚନା ମିଳିଛି | ତେବେ ଦୁହେଁ ଆଜି ପୁଷ୍ପଞ୍ଜଳି ଗେଷ୍ଟ ହାଉସ୍ କୁ ଯାଇଥିବା ବେଳେ ପ୍ରେମିକ ଅଭୟ ପ୍ରେମିକା ପ୍ରିୟାକୁ ଛୁରୀ ଭୂଷି ହତ୍ୟା କରିବା ସହ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ତେବେ କାହିଁକି ଏ ହତ୍ୟା ହୋଇଛି, ହତ୍ୟା ପଛର କାରଣ କ'ଣ, ଏସବୁ ବିଷୟରେ ଅନୁସନ୍ଧାନ କରିବା ସହ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l

Shree Jagannath,State

ଆଜି ପବିତ୍ର ହେରାପଞ୍ଚମୀ : ନନ୍ଦିଘୋଷ ରଥ ଭାଙ୍ଗିବେ ମା'ଲକ୍ଷ୍ମୀ

Blog Thumbnail

ଦ କୁଇଭର ବ୍ୟୁରୋ:- ଆଜି ପବିତ୍ର ହେରା ପଞ୍ଚମୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ଆଣିନଥିବାରୁ ରଥ କାଠ ଭାଙ୍ଗିବେ ଅଭିମାନିନୀ ମା ଲଷ୍ମୀ । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି । ଅଥଚ ହଟିଆ ଠାକୁର ନିଜ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥିରେ ଆଣି ନାହାଁନ୍ତି । ଏଣେ ସ୍ବାମୀଙ୍କ ଅନୁପସ୍ଥିତିରେ ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ମନର ବ୍ୟଥା ଭଉଣୀ ସ୍ବରୂପା ମା ବିମଳା ଦେବୀଙ୍କ ନିକଟରେ ବଖାଣିଛନ୍ତି । ପ୍ରତିକାର ବି ଲୋଡ଼ିଛନ୍ତି । ପରାମର୍ଶ ପାଇବା ପରେ ରଥ ନିକଟକୁ ଆସି ଲକ୍ଷ୍ମୀ ଠାକୁରାଣୀ ଗୋଡ଼ ଟେକି ବସିଲେଣି । ହେରା ପଞ୍ଚମୀରେ ମା ଖାଲି ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରିବେ ନାହିଁ, ବରଂ ଆସିଲା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ । ପତି-ପତ୍ନୀଙ୍କ ମଧ୍ୟରେ ଅଭିମାନ ଓ ରୋଷର ଏହି ମାନବୀୟ ଲୀଳା ଦର୍ଶନ କରିବାକୁ ଭକ୍ତମାନେ ବି ଚାହିଁ ବସିଛନ୍ତି । ଆଜି ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରିବେ । ପରେ ବନକଲାଗି ହୋଇ ପାଟ ଶାଢ଼ି ଏବଂ ଅଳଙ୍କାର ଲାଗି ହୋଇ ବେଶ ବଢ଼େ । ପୂଜାପଣ୍ଡା ସେବକଙ୍କ ଦ୍ବାରା ପନ୍ତି ଭୋଗ କରାଯାଏ । ପରେ ବଟ ବୃକ୍ଷ ତଳେ ଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାଆନ୍ତି । ମାଁଙ୍କୁ ବିମାନରେ ବିମାନ ବଡ଼ୁ ସେବକମାନେ ଘଣ୍ଟ, କାହାଳି, ଛତା ମଧ୍ୟରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖକୁ ଆଣିଥାଆନ୍ତି । ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ବାର ନିକଟକୁ ଆସିଥାଆନ୍ତି । ଶ୍ରୀଜଗନ୍ନାଥଙ୍କ ଅଙ୍ଗରୁ ଆଜ୍ଞାମାଳ ଆସି ମହାଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଟେରା ପଡ଼େ । ନୀତି ଶେଷ ହେବା ପରେ ମହାଲକ୍ଷ୍ମୀଙ୍କ ବିମାନ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡେ ଭାଙ୍ଗିବା ପରେ ହେରା ଗୋହିରୀ ବାଟେ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରକୁ ନିଆଯାଏ l

State

ହତ୍ୟା ଘଟଣାର ଆଜି ରି-କ୍ରୀୟସନ୍

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ପ୍ରେମିକ ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କରିଥିବା ଘଟଣାର ଆଜି ହୋଇଛି ରି କ୍ରୀୟସନ୍ l ଅଭିଯୁକ୍ତ ଅଭୟ ମହାରଣା କୁ ଧରି କ୍ରାଇମ୍ ସିନ ରି କ୍ରୀୟସନ୍ କଲା ପୋଲିସ। ଲଜ କୁ ନେଇ ହତ୍ୟା କିଭଳି କରିଥିଲା ତାହାର କରିଥିଲା ରୂପାନ୍ତର । ପ୍ରିୟାକୁ କିଭଳି ଓ କେଉଁ ପରିସ୍ଥିତିରେ ହତ୍ୟା କଲା ତାହା ଦେଖାଇଲା ଅଭିଯୁକ୍ତ ଅଭୟ l ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପୁଷ୍ପାଞ୍ଜଳି ଗେଷ୍ଟ ହାଉସରେ ମଙ୍ଗଳବାର ପ୍ରେମିକ, ପ୍ରେମିକାକୁ ଛୁରୀ ଭୂଷି ହତ୍ୟା କରିଥିବା ଘଟଣା ଏବଂ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲା ନିଜେ ଅଭିଯୁକ୍ତ ପ୍ରେମିକ , ଯାହାର ଆଜି ପୋଲିସ କ୍ରାଇମ୍ ସିନ ରି କ୍ରୀୟସନ୍ କରିଛି l ଅଭିଯୁକ୍ତ କୁ ପୁଣି ପୁଷ୍ପାଞ୍ଜଳି ଗେଷ୍ଟ ହାଉସର ୧୧୨ ନମ୍ବର ରୁମରେ ନେଇ କ୍ରାଇମ ରି କ୍ରୀୟସନ୍ କରିଛି l

State

କାହାରିକୁ ଛଡ଼ା ଯିବନି : ମୁଖ୍ୟମନ୍ତ୍ରୀ

Blog Thumbnail

ଭୁବନେଶ୍ୱର( ଦ କୁଇଭର ):- ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ କାହାରିକୁ ବି ଛଡା ଯିବନି । ଯିଏ ବି ଏ କାଣ୍ଡ କରେଇଛି ସମସ୍ତଙ୍କୁ ଗିରଫ କରାଯିବ, କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି । ଲୋକସେବା ଭବନରେ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ବୈଠକରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ । ସମୂହ ଛୁଟି ନେଲେ ବିଭିନ୍ନ ବିଭାଗରେ ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

State

ଆସନ୍ତା ୫ ଯାଏଁ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ

Blog Thumbnail

ଦ କୁଇଭର ବ୍ୟୁରୋ:- ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି,ଆହୁରି ବର୍ଷିବ । ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏଥିସହ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

State

BMC ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ : ହସ୍ପିଟାଲରେ ଭର୍ତ୍ତି

Blog Thumbnail

ଭୁବନେଶ୍ୱର ( ଦ କୁଇଭର ):- BMC ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । BMC ଅଫିସ ଭିତରେ ଅସୁସ୍ଥ ହେଲେ ଅତିରିକ୍ତ କମିଶନର । ନିଜ ଚାମ୍ବରରେ ବସିଥିବା ବେଳେ ତଳେ ପଡ଼ିଗଲେ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ରତ୍ନାକର । ୨ ଦିନ ତଳେ ଅଫିସ ଭିତରେ ଆକ୍ରମଣର ଶିକାର ହୋଇଥିଲେ ।ଅନ୍ୟପଟେ OAS ସଂଘ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ୩ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛି । ଏହି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ହାତ ରହିଛି ଅଭିଯୋଗ କରି ତାଙ୍କ ଗିରଫ ଦାବି କରିଛି ସଂଘ । ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ।