Join Us To Make A Difference

The Drops💧

୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ

୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ
Published by:Jyotshna Kumari
#international

ଦ କୁଇଭର ବ୍ୟୁରୋ :- ୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ । କେନ୍ଦ୍ର ସରକାର ଏହି ମିଶନ ପାଇଁ ଅନୁମୋଦନ ଦେଇ ସାରିଥିବା ବେଳେ ଇସ୍ରୋ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛି । ଏହି ମିଶନରେ ଚନ୍ଦ୍ରରୁ ନମୂନା ସଂଗ୍ରହ କରାଯିବାକୁ ଥିବାରୁ ଏହା ଏକ ଜଟିଳ ମିଶନ ହେବ । ଏପର୍ଯ୍ୟନ୍ତ କେବଳ ଆମେରିକା, ଚୀନ ଓ ଋଷ ସଫଳତାର ସହ ଚନ୍ଦ୍ରରୁ ନମୂନା ସଂଗ୍ରହ କରିଥିବା ବେଳେ ଭାରତ ନିଜର ଚନ୍ଦ୍ରଯାନ-୪ ମିଶନରେ ଏହି ସଫଳତା ହାସଲ ପାଇଁ ଲକ୍ଷ୍ୟ ରଖିଛି । ଏହି ମିଶନରେ ଆଡଭାନ୍ସଡ ଲ୍ୟାଣ୍ଡିଂ, ଯିବା ଓ ଫେରିବା ପ୍ରକ୍ରିୟା ରହିବ । ସେହିପରି ଚଳିତ ଆର୍ଥିକ ବର୍ଷରେ ୭ଟି ନୂଆ ମିଶନ ଲଂଚ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ୨୦୨୭ ବେଳକୁ ଭାରତର ଗଗନାୟାନ ମିଶନ ଲଂଚ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି ।

Comments

Leave a Comment

Comments

No comments yet.

Politics

ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍‌ ପୋଲ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତେ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି ।

Politics

ନୂଆପଡାରେ ରେକର୍ଡ ମତଦାନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଭୋଟ ଦେଇଛି ନୂଆପଡା । ମକ୍ ପୋଲ ସରିବା ପରେ ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ । 2 ଲକ୍ଷ 53 ହଜାର 624 ଜଣ ଭୋଟର ବାଛିବେ ନୂଆ ବିଧାୟକ । 14 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା । 358ଟି ମତଦାନ କେନ୍ଦ୍ରରୁ 47ଟି ସମ୍ବେଦନଶୀଳ ଏବଂ 8 ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ସୁନାବେଡାର 8ଟି ବୁଥରେ 4ଟାରେ ସରିବ ଭୋଟିଂ । ଅନ୍ୟ ସବୁ ମତଦାନ କେନ୍ଦ୍ରରେ ସନ୍ଧ୍ୟା 5ଟା ସରିବ ଭୋଟିଂ । ସୁରକ୍ଷା ଦାୟିତ୍ବରେ 14 କମ୍ପାନୀ କେନ୍ଦ୍ରୀୟ ଫୋର୍ସ । ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ । ଆସନ୍ତା 14 ତାରିଖରେ ପ୍ରକାଶ ପାଇବ ଫଳାଫଳ ।

Politics

ବିହାରରେ କିଏ ଗଢ଼ିବ ସରକାର

Blog Thumbnail

ଦ କୁଇଭର ବ୍ୟୁରୋ :- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ୧୩୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ରେ ସେମାନଙ୍କ ରାୟ ରେକର୍ଡ କରୁଛନ୍ତି । ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ଆସିବ, କିନ୍ତୁ ଏହା ପୂର୍ବରୁ ଏକଜିଟ୍ ପୋଲ୍‌ର ଆକଳନ କିଛି ସମୟ ମଧ୍ୟରେ ଆସିବ । ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଅଛି । ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ, ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଥିବା ମେଣ୍ଟ ହିଁ ଜିତିଥିଲା । ୨୦୧୫ ନିର୍ବାଚନରେ ମହାମେଣ୍ଟ ଜିତିଥିଲା, ସେତେବେଳେ ନୀତୀଶ କୁମାରଙ୍କ ନେତୃତ୍ୱରେ ଥିବା ଜନତା ଦଳ (ୟୁନାଇଟେଡ୍) ମଧ୍ୟ ଏହାର ଅଂଶ ଥିଲା । ଏଥର ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ଶାସକ ଏନଡିଏ ଏବଂ ବିରୋଧୀ ମହାମେଣ୍ଟ ମଧ୍ୟରେ ବୋଲି ବିବେଚନା କରାଯାଉଛି । ରାଜନୀତି ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ପାର୍ଟି ଜନ ସୁରାଜ, ଅସଦୁଦ୍ଦିନ ଓଓ୍ୱେସିଙ୍କ ଏଆଇଏମଆଇଏମ ନିର୍ବାଚନୀ ଲଢେଇକୁ ବହୁକୋଣୀୟ କରିବାକୁ ଚେଷ୍ଟା କରିଥିଲେ । ଏଥର ଏନଡିଏ ମହାମେଣ୍ଟ ସହିତ ପିକେଙ୍କ ପାର୍ଟିଠାରୁ ମଧ୍ୟ କଡା ଟକ୍କର ପାଉଛି । ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ଅଛି ଏବଂ ସେଥିମଧ୍ୟରୁ ୧୨୧ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ରେ ଭୋଟ୍ ଗ୍ରହଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା

Shree Jagannath

ଆଜି ମାର୍ଗଶିର ଦ୍ୱିତୀୟ ଗୁରୁବାର

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ହେଉଛି ମାର୍ଗଶିର ଦ୍ୱିତୀୟ ଗୁରୁବାର । ଓଡ଼ିଆ ଘରର ବଡ଼ ପୂଜା । ଘରେ ଘରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ନାରୀ ଶକ୍ତିର ପ୍ରତୀକ ମାଣବସା ଗୁରୁବାରକୁ ନେଇ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ଓଡ଼ିଆ ଘରେ ମାଣବସା ଗୁରୁବାରର ବିଶେଷ ମହତ୍ବ ରହିଛି । ଆମ ସମାଜ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଏହି ମାଣବସା ପୂଜା । ବଡଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀ ପାରିବାରିକ ସମ୍ପର୍କକୁ ନେଇ ମାଣବସା ଗୁରୁବାର ପୂଜା କରାଯାଇଥାଏ । ଧନ ଓ ସମୃଦ୍ଧିର ପ୍ରତୀକ ମାଆ ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ଓଡ଼ିଆ ଘରର ବୋହୂ । ସିନ୍ଦୁରା ଫାଟିବା ପୂର୍ବରୁ ଘରର ମହିଳାମାନେ ଉଠି ନିତ୍ୟକର୍ମ ସାରିବା ପରେ ଗୋବର ପବିତ୍ର ଜଳରେ ଘର ଦାଣ୍ଡ ପରିଷ୍କାର କରିବା ପରେ ଗାଧୋଇ ମାଆଙ୍କ ପୂଜା ଆରମ୍ଭ କରିଛନ୍ତି । ନୂଆ ଧାନରେ କେନ୍ଦା କରି, ମାଣରେ ସିନ୍ଦୁର ଓ କଉଡିରେ ମାଆଙ୍କ ପ୍ରତୀମା ପ୍ରସ୍ତୁତ କରି କାଠ ଖଠୁଲିରେ ମାଆଙ୍କ ପୂଜା କରାଯାଉଛି । ପିଠାପଣା, ସହ ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନରେ ମହକୁଛି ଗାଁ ଦାଣ୍ଡ ।


ତେଵେ ଜାଣିଛନ୍ତି କି କାହିଁକି ଓଡ଼ିଆ ଘରେ ପାଳନ ହୁଏ ମାଣବସା ଗୁରୁବାର:-

ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାର୍ଗଶିର ମାସ ଗୁରୁବାର । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମାଙ୍କୁ ଆବାହନ କରିଥାନ୍ତି । ଏଥି ପାଇଁ ଗାଁ ଠୁ ସହର ଚାରିଆଡେ ଉତ୍ସବର ପରିବେଶ । ପୁରାଣରେ ବର୍ଣିତ ଅଛି ମାଙ୍କ ର ଟିକେ କୃପା ମିିଳିଲେ ଗରିବ ଧନୀ ହୋଇଯାଏ । ଏଥିପାଇ ସଧବା ନାରୀ ନିଷ୍ଠା ର ସହ ଏହି ବ୍ରତ କରିଥାନ୍ତି । ଏ ପୂଜା ରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ । ମାର୍ଗଶୀର ମାସ ମାଣବସା ଗୁରୁବାର ୪ ବା ୫ ପାଳି ପଡିଥାଏ । ଏହା ଓଡ଼ିଆଙ୍କ ଛଡ଼ା ଅନ୍ୟ କେଉଁଠି ପାଳିତ ହେଉଥିବା ଦୃଷ୍ଟିଗୋଚର ହୁଏନାହିଁ।


ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।ରହିଗଲେ । ସେକାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା ।ଏହା ଦେଖିପ୍ରଭୁ ବଳରାମ କୋପ ପ୍ରକାଶ କଲେ । ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ପରେ ଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଗଲେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଲେ । ତାଳ ବେତାଳଙ୍କୁ ଡକାଇ ମାଆ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମୁରବିଙ୍କୁ ଭେଟିବାକୁ ଚାହିଁଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ତେଵେ ଲକ୍ଷ୍ମୀ ପୂରାଣ ସହ କୋଉଠି ନା କୋଉଠି ଆଜି ଭି ଘରେ ଘରେ ଜଡିତ ସମ୍ପର୍କ ରହିଛି l ଆଉ ପ୍ରତି ଓଡ଼ିଆଙ୍କ ଆରାଧ୍ୟା ଦେବୀ ଦେବତା ଯେହେତୁ ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ଜଗନ୍ନାଥ ତେଣୁ ଏହି ମାର୍ଗଶିର ମାସର ପ୍ରତ୍ୟକ ଗୁରୁବାରକୁ ଲୋକେ ଭକ୍ତିର ସହ ପୂଜା ଅର୍ଚ୍ଚନା କରି ଆତ୍ମସନ୍ତୋଷ ଲାଭ କରନ୍ତି l

District

ଇନର ହ୍ୱିଲ୍ କ୍ଲବ୍(ଇଷ୍ଟ) ଏବଂ ସେବା ର ମିଳିତ ସହଯୋଗରେ ସଚେତନତା ଶିବିର ଅନୁଷ୍ଠିତ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଇନର ହୁଇଲ କ୍ଲବ, ବ୍ରହ୍ମପୁର ଇଷ୍ଟ ଏବଂ ସେବା ର ମିଳିତ ଆନୁକୂଲ୍ୟରେ , ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲୋଚାପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ପରିସରରେ ରବିବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । "ସାରା ବିଶ୍ୱକୁ ଅରେଞ୍ଜ କରନ୍ତୁ - ମହିଳା ଏବଂ ଝିଅମାନଙ୍କ ବିରୁଦ୍ଧରେ ହିଂସା ବନ୍ଦ କରନ୍ତୁ" ମୁଖ୍ୟ ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ଶିବିରରେ ବାଲ୍ୟ ବିବାହ, ବିଭିନ୍ନ ପ୍ରକାରର ହିଂସା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେଉଥିବା ଆଇନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋଚାପଡା ଗ୍ରାମର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ବାଲ୍ୟ ବିବାହର କ୍ଷତିକାରକ ପ୍ରଭାବ ସହିତ ଶାରୀରିକ, ଭାବପ୍ରବଣ, ଯୌନ, ଆର୍ଥିକ ହିଂସା ଆଦି ବିଷୟରେ ଶିକ୍ଷା ଲାଭ କରିଥିଲେ l ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, ଘରୋଇ ହିଂସା ଆଇନ ୨୦୦୫ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନଗତ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏକ ପାରସ୍ପରିକ ପ୍ରଶ୍ନୋତ୍ତର ଅଧିବେଶନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଖୋଲାଖୋଲି କଥାବାର୍ତ୍ତା କରିବାକୁ, ପ୍ରଶ୍ନ ପଚାରିବାକୁ ଏବଂ ହିଂସା ବିଷୟରେ କିପରି ରିପୋର୍ଟ କରିବେ ଏବଂ ସାହାଯ୍ୟ ଲୋଡିବେ ତାହା ବୁଝିବାକୁ ଉତ୍ସାହିତ କରିଥିଲା। ସମସ୍ତ ମହିଳା ଏବଂ ଝିଅମାନଙ୍କ ପ୍ରତି ସୁରକ୍ଷା, ସମାନତା ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରତିଶ୍ରୁତି ସହିତ ମହିଳା ହେଲ୍ପ ଲାଇନ ନଂ-୧୮୧, ଶିଶୁ ହେଲ୍ପ ଲାଇନ ନଂ-୧୦୯୮, ପୋଲିସ ହେଲ୍ପ ଲାଇନ ନଂ- ୧୧୨ ଆଦି ବିଷୟରେ କାର୍ଯ୍ୟକ୍ରମରେ ସୁଚାରୁରୂପେ ଆଲୋଚନା ହୋଇଥିଲା l


କାର୍ଯ୍ୟକ୍ରମରେ 'ସେବା' ମୁଖ୍ୟ ଅଳକା ସାହୁ,ଇନର ହୁଇଲ କ୍ଲବ ବ୍ରହ୍ମପୁର ଇଷ୍ଟ ସଭାପତି ଅନ୍ନପୂର୍ଣ୍ଣା ବେହେରା, କୁକୁଡାଖଣ୍ଡି ବିପିଏମ ସଞ୍ଜୁ ସାହୁ,ଲୋଚାପଡା ସରପଞ୍ଚ ମୋହନ ଦାସ ଉପସ୍ଥିତ ରହିଥିବା ବେଳେ ଅଞ୍ଚଳର ବହୁ ଅଙ୍ଗଡ଼ବାଡ଼ି କର୍ମୀ ଯୋଗଦାନ କରିଥିବା ବେଳେ ବ୍ରହ୍ମପୁର ଇନର ହୁଇଲ କ୍ଲବ, ଇଷ୍ଟ ର ସମସ୍ତ ସଦସ୍ୟା, ସେବା ର ସଦସ୍ୟା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ l

City

ଅରୂପା ତରଫରୁ ବ୍ରହ୍ମପୁରରେ ଅନୁଷ୍ଠିତ ହେବ ବାଣିଜ୍ୟ ମେଳା-୨୦୨୫

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଅରୂପା ଭୁବନେଶ୍ଵର ତରଫରୁ ବ୍ରହ୍ମପୁର ଠାରେ 'ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫' ଅନୁଷ୍ଠିତ ହେବା ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି । ଏହି ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି,ଯେପରିକି ସର୍ବଭାରତୀୟ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ରର ବିଶାଳ ପ୍ରଦର୍ଶନୀର ଆୟୋଜନ କରାଯିବ । ଅରୂପା ୧୯୯୦ ମସିହା ଠାରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି | ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି,ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରିଆସୁଅଛି |ଆସନ୍ତା ନଭେମ୍ବର ୧୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଆୟୋଜନ ହେବାକୁ ଯାଉଅଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟlମାନେ ଯୋଗଦାନ କରିବେ । ବିଶେଷକରି ଓଡ଼ିଶାର ପିପିଲିର ଚାନ୍ଦୁଆ, ଖଣ୍ଡପଡ଼ାର କାଠକାମ, ଗୁଜୁରାଟି ଅଳଙ୍କାର, ବେଙ୍ଗଲ ଶାଢୀ, କଲିକତାର ଲାଖଚୁଡ଼ି, ବନାରସୀ ଶାଢ଼ୀ ଏବଂ ଡ୍ରେସ୍, ସମ୍ବଲପୁରୀ ଡ୍ରେସ୍, କଟକ ଶାଢୀ ଏବଂ ସିଲ୍କ ଶାଢୀ, କଟକର ମାଣିଆବନ୍ଧର ଡ୍ରେସ୍, ସମ୍ବଲପୁରୀ ଶାଢୀ, କଟନ ଶାଢୀ ଏବଂ ସିଦ୍ଧ ଶାଢ଼ୀ, ଅଗରବତୀ, ଫିନାଇଲ୍, କତାକାମ, ପଥର ଖୋଦେଇ, ସାହାରଙ୍ଗ ପୁରର କାଠ କାମ ଓ ସୋଫା ସେଟ୍, ୟୁ.ପି. ଭଦୋଇର କାର୍‌ପେଟ, ମୁରାଦାବାଦ ର ପିତଳ କାମ, ମହାରାଷ୍ଟ୍ରର ବେଡ୍‌ସିଟ୍, ହରିୟାଣାର ଡ୍ରେସ୍ ସେଟ୍ ଏବଂ ବେଡ୍‌ସିଟ୍, ଆନ୍ଧ୍ରପ୍ରଦେଶ ର ଡ୍ରେସ୍ ଏବଂ ଶାଢୀ ଏବଂ ଆହୁରି ଅନେକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଏସ୍ଏସ୍ଏମ୍‌ଇ ଉଦ୍ୟୋଗୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶନ କରାଯିବ । ଏହା ସହିତ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ସଙ୍ଗୀତ, ବକ୍ତୃତା, ନୃତ୍ୟ, ମେହେନ୍ଦି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରି ଅରୂପା ତରଫରୁ କୃତି ପିଲାମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି କର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍‌ଘାଟନ ହେବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।