Join Us To Make A Difference

The Drops💧

କୌଶିକ କପ-୨୦୨୫ରେ ମୀନାକ୍ଷୀ ନଗର୍ ଜାଭିୟର୍ସ ସ୍କୁଲ ଚାମ୍ପିଅନ

କୌଶିକ କପ-୨୦୨୫ରେ ମୀନାକ୍ଷୀ ନଗର୍ ଜାଭିୟର୍ସ ସ୍କୁଲ ଚାମ୍ପିଅନ
Published by:Jyotshna Kumari
#sports

ବ୍ରହ୍ମପୁର( ଦ କୁଇଭର ):- ମହାତ୍ମାଗାନ୍ଧି ଷ୍ଟାଡିୟମ୍ ପରିସରରେ ଶ୍ରୀ କୌଶୀକ୍ କପ୍ -୨୦୨୫ ନାମରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣ! ମେଣ୍ଟ ଆୟୋଜିତ ହୋଇଯାଇଛି । ସେଣ୍ଟ ଜାଭିୟର୍ସ ହାଇସ୍କୁଲ ତରଫରୁ ଲିଡ୍ସ ସ୍ପୋଟିଙ୍ଗ କ୍ଲବ୍ ବ୍ରହ୍ମପୁର ସହଯୋଗରେ ଏପରି କ୍ରିକେଟ୍ ପ୍ରତିଯୋଗୀତା ସିଜନ୍-୨ ଆୟୋଜିତ ହୋଇଥିଲା । ଫାଇନାଲ ରେ ବାଳିକା ଦଳରେ ମୁଖ୍ୟ ଅତିଥିରୂପେ ଏମ୍‌କେସିଜି ମେଡ଼ିକାଲ୍ କଲେଜ୍‌ର ମାନସିକ ରୋଗ ଚିକିତ୍ସା ବିଭାଗ ର ଡ଼ା ସ୍ଵାତୀ ମିଶ୍ର ଓ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଯୋଗଦେଇ ଥିଲେ । ଆଂଚଳିକ ଶିକ୍ଷା ନିର୍ଦେଶକ କାହ୍ନୁ ଚରଣ ପଣ୍ଡା ନିର୍ଦେଶକ କୁନାଲ କୌଶିକ ପଣ୍ଡା, ଓ ରାହୁଲ ରାଜ୍ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଏହି କ୍ରିକେଟ୍ ଟୁର୍ଣ୍ଣ ମେଣ୍ଟ ଆୟୋଜିତ ହୋଇଥିଲା । ଲିଡ୍ସ କ୍ଲବର ସମ୍ପାଦକ ମନୋଜ ଦଣ୍ଡପାଟ,କ୍ରୀଡା ଶିକ୍ଷକ ବିଶ୍ୱବନ୍ଧୁ ପାଢ଼ୀ, ଦୀପକ ପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏଥିରେ ୧୧ଟି ବିଦ୍ୟାଳୟ ର ବାଳକ ଦଳ ଓ ୪ଟି ବାଳିକା ଦଳ ଯୋଗଦେଇଥିଲେ । ବାଳକ ଦଳ ଓ ବାଳିକା ଦଳରେରେ ମୀନାକ୍ଷୀ ନଗର୍ ସେଣ୍ଟ ଜାଭିଅର୍ସ ସ୍କୁଲ ଦଳ ଫାଇନାଲ ମ୍ୟାଚ୍ ରେ ଚମ୍ପିୟାନ ଦଳ ଭାବେ ପୁରସ୍କୃତ ହୋଇଥିଲେ । ସେହି ପରି ବାଳିକା ବିଭାଗ ରେ ଆମ୍ବପୂଆ ସେଣ୍ଟ ଜାଭିୟର୍ସ ସ୍କୁଲ ଓ ବାଳକ ବିଭାଗ ରେ ଡି ଏ ଭି ସ୍କୁଲ ରନସ୍ ଅପ ଦଳ ଭାବେ ପୁରସ୍କୃତ ହୋଇଥିଲେ । ଫାଇନାଲ ମ୍ୟାଚ୍ ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ର ପିଜି କାଉନସିଲ ଚେୟାରମେନ ଡ .ମନୋଜ କୁମାର ପଟ୍ଟନାୟକ ଓ ବିଶିଷ୍ଟ ବ୍ୟବସାୟୀ ପ୍ରିତମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ବର୍ଷ ମଧ୍ୟ ଏପରି କ୍ରିକେଟ ଖେଳ ଆୟୋଜିତ କରାଯିବ ବୋଲି ଏଠାରେ ସୂଚନା ଦିଆଯାଇଥିଲା। ଉଭୟ ବାଳକ ଓ ବାଳିକା ଦଳରେ ମୀନାକ୍ଷୀ ନଗର୍ ସ୍କୁଲ ଚମ୍ପିୟାନ ହୋଇଥିବାରୁ ସ୍କୁଲ ତରଫରୁ ଚେୟାରମେନ ଗୌରୀ ଶଙ୍କର ପଣ୍ଡା ,ସମ୍ପାଦିକା ପ୍ରିୟମ୍ବଦା ଦାସ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଓ ଶୁଭ କାମନା ଜଣାଇଛନ୍ତି ।

Comments

Leave a Comment

Comments

No comments yet.

Shree Jagannath

ଆଜି ପ୍ରଥମାଷ୍ଟମୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ l ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା'ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ 'ପଢୁଆଁ ହେବା' କହିଥାନ୍ତି I 'ପଢୁଆଁ' ଶବ୍ଦଟି 'ପ୍ରଥମା'ର ଅପଭ୍ରଂଶ । ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ)ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି । ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

City

ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତରାଷ୍ଟ୍ରୀୟ ପ୍ରେରଣା ଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦିଙ୍କ ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ପଦାର୍ପଣ ସକାଶେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି । ଏଥିରେ ବ୍ରହ୍ମପୁର ସବଜୋନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା, ଭଗ୍ନୀ ଶିବାନୀ ଦିଦିଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ ଭଗ୍ନୀ ଶିବାନୀ ହେଉଛନ୍ତି ଏକାଧାରରେ ଜଣେ ଲେଖିକା, ଦାର୍ଶନିକା ତଥା ଅନେକାନେକ ସିନେମା ଏବଂ କ୍ରୀଡା ଜଗତର ଅଭିନେତା ତଥା ସାଧାରଣ ଜନତାଙ୍କ ଆଧ୍ୟାତ୍ମିକ ଗୁରୁ । ସେ ନିଜ ଧାରଣାମୟ ଜୀବନର ଅନୁଭବ, ରାଜଯୋଗ ଧ୍ୟାନ ଏବଂ ସୁପ୍ରବନ୍ଧନ ନେତୃତ୍ବ ଦ୍ବାରା ବାହ୍ୟଚାପ ବା ଅତ୍ୟଧିକ ନକରାତ୍ମକ ମାନସିକ ଚିନ୍ତା ବା ଚାପ କିପରି ଶରୀରକୁ ରୋଗାକ୍ରାନ୍ତ ତଥା ଭାରାକ୍ରାନ୍ତ କରିଥାଏ ଏବଂ ଏଥିରୁ ମୁକ୍ତି ପ୍ରାପ୍ତ କରି କିପରି ବର୍ତ୍ତମାନର ଜଟିଳ ଦୁଃଖମୟ ସମାଜରେ ରହି ମଧ୍ୟ ସୁଖ, ଶାନ୍ତି, ଆନନ୍ଦମୟ ଜୀବନଯାପନ କରିପାରିବ ସେ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥାଆନ୍ତି । ଭଗ୍ନୀ ଶିବାନୀ ବ୍ରହ୍ମାକୁମାରୀ ଦ୍ବାରା ପ୍ରସ୍ତୁତ "Awekening with Brahmakumari's" ତଥା "Happiness unlimited serial" ମାଧ୍ୟମରେ ଅନେକ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ସମ୍ପର୍କିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦ୍ବାରା ଦର୍ଶକ ମାନଙ୍କର ହୃଦୟକୁ ଜିତି ପାରିଛନ୍ତି । ଭଗ୍ନୀ ଶିବାନୀ ଭାରତ ତଥା ସମଗ୍ର ବିଶ୍ବର ବିଶାଳ ଜନସମୁଦ୍ରକୁ ନିଜ ମନସ୍ତାତ୍ବିକ, ଦାର୍ଶନିକ, ସାମାଜିକ ତଥା ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତିଫଳନ ବା ଛାପ ପ୍ରଦର୍ଶିତ କରି ଆସୁଛନ୍ତି । ଏପରି ଜଣେ ମହାନାହିକା ଶିବାନୀ ଦିଦି 2014 ମସିହାରେ Assocham ladies league ଦ୍ବାରା ”women of the decade achievers" 2017 ମସିହାରେ world psychiatric association ଦ୍ବାରା ”good will ambassador" ଏବଂ 2019 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ନାରୀଶକ୍ତି ପୁରସ୍କାର ଆଦି ପ୍ରାପ୍ତ କରିଛନ୍ତି । ଏପରି ଜଣେ ବିଶ୍ବପ୍ରଖ୍ୟାତ ରାଜଯୋଗ ପ୍ରଶିକ୍ଷକା ଶିବାନୀ ଦିଦି ଆସନ୍ତା ବୁଧବାର ତା-19.11.2025ରିଖ ସନ୍ଧ୍ୟା 5 ଘଟିକା ସମୟରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ”ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ବ” ସମ୍ପର୍କୟ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିବେ । ତତପୂର୍ବରୁ ବରିଷ୍ଠ ପ୍ଲେବ୍ୟାକ ସିଙ୍ଗର ଭ୍ରାତା ହରିଶ୍ ମୋୟାଲ୍ ଏକ ଅଦ୍ଭୁତ ସଙ୍ଗୀତମୟ କାର୍ଯ୍ୟକ୍ରମରେ ଯୋଗ ଦବେ । ତତପରେ ନଭେମ୍ବର 20ରୁ 22 ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମାଇଣ୍ଡ ଟ୍ରେନର ମାଉଣ୍ଟ ଆବୁସ୍ଥ ଭ୍ରାତା ରାଜଯୋଗୀ ବ୍ରହ୍ମାକୁମାର ଶକ୍ତିରାଜ ରାଜଯୋଗ ମେଡିଟେସନ୍ ଶିବିର କାର୍ଯ୍ୟକ୍ରମରେ ଯୋଗଦବେ । ଏଣୁ ବ୍ରହ୍ମପୁର ସହରର ଆଧ୍ୟାତ୍ମିକ ପ୍ରେମୀ ଜନସାଧାରଣ ପଞ୍ଜିକରଣ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ଦ୍ବାରା ଲାଭାନ୍ବିତ ହେବା ସକାଶେ ଭଗ୍ନୀ ମାଳା ଆହ୍ବାନ ଦେଇଥିଲେ । ତତପରେ ଭଗ୍ନୀମାଳା ଉପସ୍ଥିତ ସାମ୍ବାଦିକମାନଙ୍କୁ ରାଜଯୋଗ ଦ୍ବାରା ସୁଖ, ଶାନ୍ତି, ପବିତ୍ରତାର ଅନୁଭବ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଲକ୍ଷ୍ମୀ ପରିଚାଳନା ପୂର୍ବକ ବର୍ତ୍ତମାନ ସମଗ୍ର ବିଶ୍ବରେ ଅଶାନ୍ତି, କଳହ, ଈର୍ଷ।, ଦ୍ୱେଷ, ଦ୍ବନ୍ଦ ତଥା ଯୁଦ୍ଧମୟ ପରିସ୍ଥିତି ସମୟରେ ବ୍ରହ୍ମାକୁମାରୀ ସଂଗଠନ ଦ୍ବାରା ଏହି କାର୍ଯ୍ୟକ୍ରମ ଅନେକ ଆତ୍ମାଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣୀତ କରିପାରିବ ବୋଲି କହିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁରର ସମସ୍ତ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆର ସାମ୍ବାଦିକମାନେ ଯୋଗ ଦେଇ ଏପରି ଏକ ଆଧ୍ୟାତ୍ମିକ ଚେତନାର ଜାଗରଣ ରୁପି ଜନକଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ ସକାଶେ ଶୁଭକାମନା ଜ୍ଞାପନ କରିଥିଲେ ।

Accident

ମାର୍ଲବା ଘାଟିରେ ଦୁର୍ଘଟଣା

Blog Thumbnail

ଗଜପତି( ଦ କୁଇଭର ):- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିନ ମାର୍ଲବା ଘାଟିରେ ଏକ ହିଟାଚି ବୋଝଇ ଟ୍ରକ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି l ଦୁର୍ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତରଙ୍କୁ ଖଜୁରୀପଦା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଆର. ଉଦୟଗିରି ପଟରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ହିଟାଚି ବୋଝେଇ ଟ୍ରକ ମାର୍ଲବା ଘାଟିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାହାଡ଼କୁ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା l ଫଳରେ ଟ୍ରକ୍ ଉପରେ ଲଦା ହୋଇଥିବା ହିଟାଚି ଡ୍ରାଇଭର କ୍ୟାବିନ ଉପରକୁ ମାଡ଼ିଯାଇ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l ଟ୍ରକରେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା l ଘଟଣାସ୍ଥଳରେ ରାୟଗଡ଼ ପୁଲିସ, ରାୟଗଡ଼ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି l



Politics

ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଙ୍ଗ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି l ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ l ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।

State,Weather

ଜାଡରେ ଥରୁଛି ଓଡ଼ିଶା

Blog Thumbnail

ଦ କୁଇଭର ବ୍ୟୁରୋ :-:ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ ହୋଇଛି । ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ଏହା ପରେ ପୁଣି ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରି ସେଲିସିୟସ କମିବ ତାପମାତ୍ରା । ଶୀତ ସହିତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଠିକରେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଘନ କୁହୁଡ଼ି ଯୋଗୁଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

City

ଅରୂପା ତରଫରୁ ବ୍ରହ୍ମପୁରରେ ଅନୁଷ୍ଠିତ ହେବ ବାଣିଜ୍ୟ ମେଳା-୨୦୨୫

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ଅରୂପା ଭୁବନେଶ୍ଵର ତରଫରୁ ବ୍ରହ୍ମପୁର ଠାରେ 'ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫' ଅନୁଷ୍ଠିତ ହେବା ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି । ଏହି ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି,ଯେପରିକି ସର୍ବଭାରତୀୟ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ରର ବିଶାଳ ପ୍ରଦର୍ଶନୀର ଆୟୋଜନ କରାଯିବ । ଅରୂପା ୧୯୯୦ ମସିହା ଠାରୁ ଓଡ଼ିଶାର ୩୦ଟି ଜିଲ୍ଲାରେ ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି | ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି,ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରିଆସୁଅଛି |ଆସନ୍ତା ନଭେମ୍ବର ୧୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଆୟୋଜନ ହେବାକୁ ଯାଉଅଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟlମାନେ ଯୋଗଦାନ କରିବେ । ବିଶେଷକରି ଓଡ଼ିଶାର ପିପିଲିର ଚାନ୍ଦୁଆ, ଖଣ୍ଡପଡ଼ାର କାଠକାମ, ଗୁଜୁରାଟି ଅଳଙ୍କାର, ବେଙ୍ଗଲ ଶାଢୀ, କଲିକତାର ଲାଖଚୁଡ଼ି, ବନାରସୀ ଶାଢ଼ୀ ଏବଂ ଡ୍ରେସ୍, ସମ୍ବଲପୁରୀ ଡ୍ରେସ୍, କଟକ ଶାଢୀ ଏବଂ ସିଲ୍କ ଶାଢୀ, କଟକର ମାଣିଆବନ୍ଧର ଡ୍ରେସ୍, ସମ୍ବଲପୁରୀ ଶାଢୀ, କଟନ ଶାଢୀ ଏବଂ ସିଦ୍ଧ ଶାଢ଼ୀ, ଅଗରବତୀ, ଫିନାଇଲ୍, କତାକାମ, ପଥର ଖୋଦେଇ, ସାହାରଙ୍ଗ ପୁରର କାଠ କାମ ଓ ସୋଫା ସେଟ୍, ୟୁ.ପି. ଭଦୋଇର କାର୍‌ପେଟ, ମୁରାଦାବାଦ ର ପିତଳ କାମ, ମହାରାଷ୍ଟ୍ରର ବେଡ୍‌ସିଟ୍, ହରିୟାଣାର ଡ୍ରେସ୍ ସେଟ୍ ଏବଂ ବେଡ୍‌ସିଟ୍, ଆନ୍ଧ୍ରପ୍ରଦେଶ ର ଡ୍ରେସ୍ ଏବଂ ଶାଢୀ ଏବଂ ଆହୁରି ଅନେକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଏସ୍ଏସ୍ଏମ୍‌ଇ ଉଦ୍ୟୋଗୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶନ କରାଯିବ । ଏହା ସହିତ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ସଙ୍ଗୀତ, ବକ୍ତୃତା, ନୃତ୍ୟ, ମେହେନ୍ଦି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରି ଅରୂପା ତରଫରୁ କୃତି ପିଲାମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି କର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍‌ଘାଟନ ହେବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।