Join Us To Make A Difference

The Drops💧

ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗିବ AI କ୍ୟାମେରା

ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗିବ AI କ୍ୟାମେରା
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗିବ AI କ୍ୟାମେରା, କର୍ମଚାରୀ ଠିକ ଭାବରେ କାମ କରୁଛନ୍ତି କି ନାହିଁ, ଯାଞ୍ଚ କରିବ, କାର୍ଯ୍ୟାଳୟରେ ଠିକ ସମୟରେ ଉପସ୍ଥାନ ନ ରହିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ, ଠିକ ଭାବରେ କାର୍ଯ୍ୟ ସମ୍ପାଦନ କରୁନଥିବା ସରକାରୀ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଅବସର ପୂର୍ବରୁ ଅବସର ଦେବା, ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଉତ୍ତରକୁ ଅଗ୍ରାଧିକାର ଦିଆଯିବା ଭଳି ନିଷ୍ପତି ଶୁଣାଇଛନ୍ତି ମୁଖ୍ୟ ଶାସନ ସଚିବ l ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ୧୫ ଦିନିଆ କାର୍ଯ୍ୟସୂଚୀ ସୂଚିତ କରାଯାଇ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।ଠିକ ସମୟରେ କର୍ମଚାରୀମାନେ ଅଫିସରେ ପହଞ୍ଚିବା ପାଇଁ ପୂର୍ବରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତାକୁ ନିଶ୍ଚିତ କରିବା ପାଇଁ ସରକାର କୃତ୍ତିମ ବୁଦ୍ଧିମତ୍ତା (AI) ଭିତ୍ତିକ ଉପସ୍ଥାନ ଯାଞ୍ଚ ବ୍ୟବସ୍ଥା କରିବାକୁ ବିଚାର କରୁଛନ୍ତି । ଲୋକସେବା ଭବନ ଓ ଖାରବେଳ ଭବନରୁ ଏହାକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରାଯିବ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ସବୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।


ଯେଉଁ ସରକାରୀ ଅଧିକାରୀ ବା କର୍ମଚାରୀମାନେ ଠିକ ଭାବରେ କାର୍ଯ୍ୟ ସମ୍ପାଦନ କରୁନାହାନ୍ତି, ସେମାନଙ୍କୁ ବିଭାଗ ସ୍ତରରେ ମାସିକ ବା ବିଭିନ୍ନ ସମୟରେ ସେମାନଙ୍କର କାର୍ଯ୍ୟ ପ୍ରଦର୍ଶନ ସମୀକ୍ଷା ହୋଇ ତଥ୍ୟ ରଖାଯିବ । ଏହା ପରେ ସରକାରୀ ବ୍ୟବସ୍ଥା ଅନୁସାରେ ଅବସର ପୂର୍ବରୁ ଅବସର ଦେବା ପାଇଁ ପଦକ୍ଷେପ ନିଆଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ସେହିପରି କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ନ ରହିବା, ଅଭିଯୋଗ ଶୁଣାଣିରେ ଅପ୍ରଭାବୀ ପ୍ରଦର୍ଶନ, ଦୁର୍ନୀତିକୁ ଚିହ୍ନଟ କରିବାରେ ଦୁର୍ବଳ ହାର, ଅସାଧୁତା, ନିୟମିତ ତଦାରଖ ବ୍ୟବସ୍ଥା ନ କରାଯିବା ଆଦି ଦୁର୍ନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରାଯାଇଛି । ଏ ସଂପର୍କରେ ସର୍ବଦା ସତର୍କତା ଓ ସଚେତନ ରହି କାର୍ଯ୍ୟ ସଂପାଦନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସରକାରୀ କ୍ରୟ ପ୍ରକ୍ରିୟା, ସେବା ଓ ଦ୍ରବ୍ୟ ବିକ୍ରୟ, ମାନବ ସମ୍ବଳ ପରିଚାଳନା, ଲୋକମାନଙ୍କୁ ସେବା ପ୍ରଦାନ ଏବଂ ପ୍ରବର୍ତ୍ତନରେ ଅନିୟମିତତା ଆଦି ଦୁର୍ନୀତିର ସମ୍ଭାବ୍ୟ କ୍ଷେତ୍ର ବୋଲି ବିବେଚନା କରାଯିବା ସହିତ ଭିଜିଲାନ୍ସ ପ୍ରଶାସନକୁ ସୁଦୃଢ଼ୀକରଣ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ବିଭାଗୀୟ କାର୍ଯ୍ୟ ତଦାରଖ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରିବା ପାଇଁ ତଥ୍ୟ ସମ୍ବଳିତ ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ କାର୍ଯ୍ୟକାରୀ କରାଯିବା ସଂପର୍କରେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ମଞ୍ଜୁରୀ ପାଇଁ ଆବଶ୍ୟକ ଭୂ ଅଧିଗ୍ରହଣ, ପିଏମଜି ଓ ପ୍ରଗତିରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସଂପର୍କରେ ଜିଲ୍ଲାପାଳମାନେ ପ୍ରତି ମାସରେ ୭ ତାରିଖ ସୁଦ୍ଧା ଜିଲ୍ଲାସ୍ତରରେ ସଂପୃକ୍ତ ବିଭାଗୀୟ ମୁଖ୍ୟ ବିଶେଷ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାସର ୧୨ ତାରିଖ ସୁଦ୍ଧା ସମୀକ୍ଷା ବୈଠକ କରିବେ । ପରବର୍ତ୍ତୀ ସମୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାସର ଶେଷ ଶନିବାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ ଅକ୍ଟୋବର ୧ ତାରିଖରେ ଶୁଭାରମ୍ଭ ହେବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଛି । ସେହିପରି ଅଧିକାରୀମାନଙ୍କର କ୍ଷେତ୍ର ପରିଦର୍ଶନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗସ୍ତ କରି ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି ।ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Politics,State

ଓଡ଼ିଶାକୁ କରିବେ ଛେଳିମୟ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟେ ବଡ଼ ଯୋଜନା କରିଛନ୍ତି । ଏତେଦିନ ପରେ ଏମିତି ଯୋଜନା ସେ ଆଣିଛନ୍ତି ଯେ, ପୂରା ରାଜ୍ୟର ମହିଳାଙ୍କ ସ୍ଥିତି ବଦଳାଇ ଦେବେ । ମୋହନ ସରକାର ରାଜ୍ୟର ପ୍ରତି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୫ବର୍ଷରେ ୫୦ହଜାର ଟଙ୍କା ପ୍ରଦାନ କରିବେ । ପ୍ରତିବର୍ଷ ୧୦ହଜାର କରି ସରକାର ମହିଳାଙ୍କୁ ଦେଉଛନ୍ତି । ଏହି ଟଙ୍କାରେ ମହିଳାମାନେ ଛେଳି କିଣୁଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତିନିଟି କିସ୍ତି ପାଇଥିବା ମହିଳାମାନେ ୩ଟି ଛେଳି କିଣିଲେଣି । ଆଗକୁ କିସ୍ତି ପାଇଲେ ପୁଣି ଛେଳି କିଣିବେ ବୋଲି ପ୍ରଭାତୀ କହିଛନ୍ତି ।

ପ୍ରଭାତୀଙ୍କ ଯୋଜନାକୁ ଯିବା ପୂର୍ବରୁ ତାଙ୍କ କଥା ଶୁଣିବା ।---

ଶୁଣିଲେ ତ ଉପମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କ ପାଇଁ ବଡ଼ ଯୋଜନା । ମହିଳାମାନେ ଛେଳି କିଣି ସ୍ୱାବଲମ୍ବୀ ହେବେ । ପ୍ରତିବର୍ଷ ୫ହଜାର ଲେଖାଏ ଦୁଇଥର ପାଇବେ, ସେଥିରେ ଛେଳି କିଣି ବ୍ୟବସାୟ କରିବେ । ୫ବର୍ଷରେ ୧୦ଟି ଛେଳି କିଣିଥିବେ ଓ ଏହାର ବ୍ୟବସାୟ ଭଲ ହେବ । କାରଣ ଛେଳିର ବଜାର ଚାହିଦା ବହୁତ ରହିଛି । ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଯୋଜନା ଏବେ ସବୁଠି ଚର୍ଚ୍ଚା । ବିରୋଧୀ ଏହାକୁ ସମାଲୋଚନା କରୁଥିବା ବେଳେ ଏହାର ବାସ୍ତବତା ଯେ ଅନେକ ମହିଳାଙ୍କୁ ସ୍ୱାଲମ୍ବୀ କରିପାରିବ ତାହା ସ୍ପଷ୍ଟ ବୋଲି କେତେକ ଅଭିଜ୍ଞ କହୁଛନ୍ତି । ଦେଖାଯାଉ, ସୁଭଦ୍ରା ଟଙ୍କାରେ କେତେ ମହିଳା କେତେ ଛେଳି କିଣୁଛନ୍ତି ଓ କିଭଳି ଲାଭବାନ ହେଉଛନ୍ତି?


Crime

ଯୁବତୀଙ୍କ ଭିଡ଼ିଓ ଭାଇରାଲ୍ ମାମଲାରେ ଅଭିଯୁକ୍ତ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଜଣେ ସଂପର୍କୀୟ ଯୁବତୀଙ୍କ ଭିଡ଼ିଓ ଭାଇରାଲ୍ କରିବା ମାମଲାରେ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ଜଣକ ହିଞ୍ଜିଳି ଅଞ୍ଚଳର ହୋଇଥିବା ବେଳେ ସେ ବର୍ତମାନ କୋରାପୁଟରେ ରହୁଛନ୍ତି । ପୁଲିସ ଅଭିଯୁକ୍ତ ଠାରୁ ଏକ ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଡ୍ରାଇଭର ହୋଇଥିବା ତଳେ ସେ ନିଜ ପରିବାର ସହ କୋରାପୁଟରେ ରହୁଛନ୍ତି। ଅଭିଯୋଗକାରୀ ଯୁବତୀ ଜଣକ ଘରୋଇ ବ୍ୟାଙ୍କରେ କାମ କରୁଥିବାବେଳେ ଅଭିଯୁକ୍ତ ତାଙ୍କର ସଂପର୍କୀୟ ବୋଲି ଜଣାପଡିଛି l ଅଭିଯୁକ୍ତ କୋରାପୁଟରୁ ନିଜ ଗ୍ରାମକୁ ଆସିବା ସମୟରେ ଯୁବତୀଙ୍କ ଘରକୁ ଯିବାଆସିବା କରିବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ | ଦୁଇବର୍ଷ ପୂର୍ବେ ଅଭିଯୁକ୍ତ ଜଣକ ନିଜ ସଂପର୍କୀୟ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡ଼ିଓ ଉଠାଇ ନେଇଥିଲେ | ଇତି ମଧ୍ୟରେ ଅଭିଯୁକ୍ତ ଓ ଅଭିଯୋଗକାରୀ ଯୁବତୀଙ୍କ କୌଣସି ସଂପର୍କ ନଥିବା ବେଳେ ଗତମାସରେ ଅଭିଯୁକ୍ତ ଗାଁକୁ ବୋଲ୍‌ବମ୍ ପାଇଁ ଆସିଥିଲେ | ଏହି ସମୟରେ ଅଭିଯୁକ୍ତ ଯୁବତୀଙ୍କ ସମ୍ମାନହାନି କରିବା ଉଦ୍ଦେଶ୍ୟରେ ଏହି ଭିଡ଼ିଓକୁ ତାଙ୍କର ଜଣେ ସାଂଗଙ୍କ ନିକଟକୁ ପଠାଇଥିଲେ । ଭିଡ଼ିଓ ପାଇଥିବା ସାଂଗ ଜଣକ ଯୁବତୀଙ୍କୁ ଜଣାଇବା ସହ ଭିଡ଼ିଓକୁ ପଠାଇଥିଲେ | ଏଥିନେଇ ଯୁବତୀ ଜଣକ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।

Crime

ପୁଣି ଜଣେ ନାବାଳିକାଙ୍କ ଆତ୍ମାହୁତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଉ ଜଣେ ନାବାଳିକାଙ୍କ ଆତ୍ମାହୁତି। ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା । ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଠାବ। ବରଗଡ଼ ଗାଏସିଲଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟ। ଗୁରୁତର ଅବସ୍ଥାରେ ଫୁଟବଲ୍ ପଡ଼ିଆରୁ ଛାତ୍ରୀ ଉଦ୍ଧାର।ଛାତ୍ରୀ ଜଣକ ମାମୁ ଘରେ ରହି ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ । କେମିତି ନାବାଳିକା ଜଳିଗଲେ କାରଣ ଅସ୍ପଷ୍ଟ ରହିଛି। ନିଜେ ଜଳିଯାଇଛନ୍ତି ନା ତାଙ୍କୁ କିଏ ଜାଳିଦେଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Education,District,Health & lifestyle,State

୪ ଜିଲ୍ଲାରେ ଖୋଲିବ ମେଡ଼ିକାଲ କଲେଜ

Blog Thumbnail

ଦ କୁଇଭର ବ୍ୟୁରୋ :- କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତର ଦ୍ଵିତୀୟ ଦିନରେ ଏହାର ଉଦଘାଟନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଢେଙ୍କାନାଳ, ଭଦ୍ରକ, ଜଗତସିଂହପୁର ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସ୍ୱାସ୍ଥ୍ୟ ସେବା ପାଇଁ କୋରାପୁଟବାସୀଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ । ଚିକିତ୍ସା ପାଇଁ ଦୂର ଦୁରାନ୍ତ ସହରକୁ ଯାଇ ହଇରାଣ ହେବାକୁ ନପଡେ ସେଥିପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ଏହି ମେଡିକାଲ କଲେଜ ହସ୍ପିଟାଲ ଦ୍ବାରା କୋରାପୁଟ ସମେତ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକମାନେ ମଧ୍ୟ ଉପକୃତ ହେବେ । ଏହି ନୂଆ ହସ୍ପିଟାଲରେ ସବୁପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବର୍ଷ ବର୍ଷ ଧରି ଖାଲି ପଡିଥିବା ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ୧୨ ଟି ସରକାରୀ ମେଡିକାଲ କଲେଜ ଅଛି । ଖୁବଶୀଘ୍ର ଆଉ ୪ଟି ଜିଲ୍ଲା ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ ।"


ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀମାନଙ୍କ ପାଇଁ ବହୁବିଧ ଚିକିତ୍ସା ସୁବିଧା କରାଯାଉଛି । ସି.ଟି ସ୍କାନ, ଡାଏଲିସିସ, ମାମୋଗ୍ରାଫି ପରି ଅତ୍ୟାଧୁନିକ ରୋଗ ନିରୂପଣ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଗୁରୁତର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଅକ୍ସିଜେନ ପ୍ଲାଣ୍ଟ ବସାଯାଉଛି । ହସ୍ପିଟାଲ ସଂଲଗ୍ନ ୨ ଏକର ପରିମିତ ଜାଗାରେ କ୍ୟାନ୍ସର ଚିକିତ୍ସା ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଉଛି । ସରକାର ପ୍ରାୟ ୪୧ କୋଟି ୧୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି ।


ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟ କରୁଛି । ରାଜ୍ୟର ୩ କୋଟି ୪୬ ଲକ୍ଷ ଅର୍ଥାତ ୮୦ ପ୍ରତିଶତ ଲୋକ ଉପକୃତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଯୋଜନାରେ ରାଜ୍ୟର ପ୍ରାୟ ୩ ଲକ୍ଷ ୯୧ ହଜାର ହିତାଧିକାରୀମାନଙ୍କ ପାଇଁ ୯୦୦ କୋଟି ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି । ୭୦ ବର୍ଷରୁ ଉର୍ଦ୍ଧ୍ୱ ୮୬୪୪ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୩୫ କୋଟି ୬୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି lମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ନିରନ୍ତର ବିକାଶ ଧାରାରେ କୋରାପୁଟ ଜିଲ୍ଲା ସାମିଲ ହୋଇଛି । ରାଜ୍ୟର ଜନସାଧାରଣଙ୍କ ସହିତ ଆମ କୋରାପୁଟବାସୀ ମଧ୍ୟ ଦେଶର ବଡ଼ ବଡ଼ ସହରରେ ଥ‌ିବା ପ୍ରାୟ ୨୯ ହଜାରରୁ ଉର୍ଦ୍ଧ୍ୱ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟ ସେବା ପାଉଛନ୍ତି । ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କୋରାପୁଟ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ୩ ଲକ୍ଷ ୫୪୭ ଟି କାର୍ଡ ବଣ୍ଟନ କରାଯାଇଛି । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅଧୀନରେ ୯ ହଜାର ୬ ଜଣ ହିତାଧିକାରୀ ପଂଜୀକୃତ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ୪ଟି ବେସରକାରୀ ହସ୍ପିଟାଲକୁ AB PMJAY–GJAY ଅନ୍ତର୍ଗତ ଅନୁମୋଦନ ମିଳିଛି, ଯେଉଁଠି ଲୋକେ କ୍ୟାସଲେସ ଚିକିତ୍ସା ସୁବିଧା ପାଉଛନ୍ତି ।"ମାତ୍ର ଏକ ବର୍ଷର ସରକାରରେ ଅନେକ କିଛି କାର୍ଯ୍ୟ ହୋଇଛି ସବୁ କ୍ଷେତ୍ରରେ । ଏହି କାର୍ଯ୍ୟ ଆହୁରି ଅଧିକ ଗତିରେ ତ୍ୱରାନ୍ୱିତ ହେବ । ଆମ ସରକାର ହେଉଛି ଲୋକଙ୍କ ସରକାର । ୨୦୩୬ ମସିହାରେ ସମୃଦ୍ଧ ଓଡ଼ିଶା ଗଠନ ସହ ୨୦୪୭ ମସିହା ବେଳକୁ ବିକଶିତ ଭାରତ ଗଠନରେ ଓଡ଼ିଶାକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବା ପାଇଁ ଆମ ସରକାର ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷି, ଶିଳ୍ପ, ନୂଆ ରୋଜଗାର ସୁବିଧା ସୃଷ୍ଟି, ନିରନ୍ତର ଆର୍ଥିକ ବିକାଶ ଆଦି କ୍ଷେତ୍ରରେ ସାରା ଓଡ଼ିଶାରେ ନୂଆ ଯୁଗର ଆରମ୍ଭ ହୋଇଛି । ଏ ସବୁଥିରେ କୋରାପୁଟ ଜିଲ୍ଲାକୁ ସାମିଲ କରାଯାଇଛି । ତେଵେ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ମଂଚାସୀନ ଥିବା ବେଳେ ସମାରୋହରେ ଅନୁଷ୍ଠାନିକ ସ୍ୱାଗତ ଭାଷଣ, କୋରାପୁଟ ବିଧାୟକ ରଘୁରାମ ମାଛ ଦେଇଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

Shree Jagannath

ମହାପ୍ରସାଦ ଅନ୍‌ଲାଇନରେ ବିକ୍ରି ନକରିବାକୁ ଆଇନ ମନ୍ତ୍ରୀଙ୍କ ଅପିଲ୍

Blog Thumbnail

ପୁରୀ ( ଦ କୁଇଭର ):- ମହାପ୍ରସାଦ ଅନ୍‌ଲାଇନରେ ବିକ୍ରି ନକରିବାକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପିଲ୍ କରିଛନ୍ତି। ସେ କହିଛନ୍ତି, ମହାପ୍ରସାଦର ପବିତ୍ରତା ଅଲଗା। କିଛି ଦିନ ତଳେ କିଛି ସଂସ୍ଥା ତରଫରୁ ମହାପ୍ରସାଦ ଓ ଶୁଖିଲା ଭୋଗକୁ ଅନ୍‌ଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ମହାପ୍ରସାଦ ବିଦେଶରେ ଲୋକଙ୍କ ପାଖରେ ପହଞ୍ଚିବ କିନ୍ତୁ ପବିତ୍ରତା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ରାଜି ହୋଇନାହାନ୍ତି। ସାଙ୍ଗରେ ନେଲା ବେଳେ ମହାପ୍ରସାଦର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବେ କି ନାହିଁ ସେ ସନ୍ଦେହ ଆମ ଭିତରେ ଅଛି ସେ ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଓ ସରକାର ସହମତ ନାହାନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ମହାପ୍ରସାଦର ଅନ୍‌ଲାଇନ ବିତରଣ ହେବନାହିଁ । ଅନ୍‌ଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ବ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜି ନାହାନ୍ତି। ଏନେଇ ସବୁ ମନ୍ଦିରକୁ ଆଇନ ମନ୍ତ୍ରୀ ଅପିଲ କରି ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନ୍‌ଲାଇନରେ ବିକ୍ରି କରନ୍ତୁ ନାହିଁ ବୋଲି ଅନୁରୋଧ କରାଯାଇଛି।

State,Entertainment

ଆଙ୍କୁଲିରେ ଖୋଲିଲା ସାହୁ ଫୋର୍ଣ୍ଣିଚର ସୋରୁମ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ରବିବାର ବ୍ରହ୍ମପୁର ଆଙ୍କୁଲି ହାଇସ୍କୁଲ ଛକ ନିକଟରେ ଖୋଲିଲା ସାହୁ ଫୋର୍ଣ୍ଣିଚୋର ସୋରୁମ l ଦୀର୍ଘ 11 ବର୍ଷ ଧରି ବ୍ୟବସାୟ କରି ଆସୁଥିବା ଏହି ପୁରାତନ ଅନୁଷ୍ଠାନ ଏବେ ତାର ଦୋକାନକୁ ବୃଦ୍ଧି କରିଛି l ଗୋଟିଏ ଛାତ ତଳେ ଉଭୟ ଫର୍ଣ୍ଣିଚର ସହ ଇଲୋକ୍ଟ୍ରୋନିକ ଆଇଟମକୁ ଯୋଡ଼ିଛି ସଂସ୍ଥା l ସୋରୁମ ମାଲିକ ସୌମ୍ୟରଞ୍ଜନ ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା ଯୋଗଦେଇ ସୋରୁମର ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଲୋକପ୍ରିୟ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଦିବ୍ୟା ମହାନ୍ତି, ଫେସନ ଡାଇରେକ୍ଟର କରିସ୍ମା ଖାନ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଆଙ୍କୁଲି ଅଂଚଳରେ ପ୍ରଥମଥର ପାଇଁ ବଡ଼ ଧରଣର ସୋରୁମ ଖୋଲିଥିବାରୁ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଥିଲେ l ଗୋଟିଏ ସ୍ଥାନରେ ଉଭୟ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ସ ଆଇଟମ ମିଳୁଥିବାରୁ ଆଙ୍କୁଲି ଶିଳ୍ପାଞ୍ଚଳବାସୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ l ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଆ ଅଭିନେତ୍ରୀ ଦିବ୍ୟା ମହାନ୍ତି ପ୍ରଥମ ଥର ପାଇଁ ଆଙ୍କୁଲି ଅଞ୍ଚଳରେ ଯୋଗ ଦେଇଥିବାରୁ ଖିସିବ୍ୟକ୍ତ କରିଥିଲେ l ସୋରୁମରେ ଥିବା ବିଭିନ୍ନ ଆଇଟମ ବୁଲି ଦେଖିଥିଲେ l ସୋରୁମରେ ଖଟ, ଚେୟାର, ଟେବଲ, ଟିଭି ଷ୍ଟାଣ୍ଡ ଆଦି ବିଭିନ୍ନ ସାମଗ୍ରୀ ସହ ଫ୍ରିଜ, ଟିଭି, କୁଲର, ୱାସିଙ୍ଗ ମେସିନ, ଇନଭୋରେଟର ଭଳି ଇଲେକ୍ରୋନିକ୍ସ ଆଦି ବିଭିନ୍ନ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳୁଛି, ଗ୍ରାହକଙ୍କ ପାଇଁ ଆଉ ଏକ ସୁବିଧା ଏଠାରେ ଉପଲବ୍ଧ ରହିଛି, ପୁରୁଣା ଇଲେକ୍ଟ୍ରୋନିକ ଓ ଫୋର୍ଣ୍ଣିଚୋର ଜିନିଷ ଦେଇ ନୂଆ ଜିନିଷ କ୍ରୟକାରିପାରିବେ,ପ୍ରତିଟି ଜିନିଷ ଯାହା ମାର୍କେଟ ପ୍ରାଇସ ଠାରୁ କମ ଦରରେ ମିଳିବ ବୋଲି ସୋରୁମ ମାଲିକ ସୌମ୍ୟରଞ୍ଜନ ସାହୁ କହିଛନ୍ତି l କେବଳ ସେତିକି ନୁହଁ, ଗ୍ରାହକଙ୍କ ପାଇଁ କୁପନ ଉଠାଣ ବ୍ୟବସ୍ତା ମଧ୍ୟ ରହିଛି,ପ୍ରତି ମାସରେ ଲକି କୂପନ ଉଠାଣ ହେବ.. ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଉପହାର ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି,ଫାଇନାନ୍ସର ମଧ୍ୟ ସୁବିଧା ଅଛି,ଗ୍ରାହକ ଆସି ଏହାର ଲାଭ ଉଠାଇବାକୁ ଶ୍ରୀ ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l

District,State

ରାଜଭବନ ସମ୍ମୁଖରେ ଧାରଣାରେ ବସିଲେ ଗଞ୍ଜାମର ପୂର୍ବତନ ସରପଞ୍ଚ ଆରତୀ ଦେବୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଗତ ୨୮ ଜୁଲାଇରେ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିଯୋଗ କରିବା ପରେ ସୋମବାର ରାଜଭବନ ସମ୍ମୁଖରେ ଗଞ୍ଜାମର ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଆରତୀ ଦେବୀ ଧାରଣାରେ ବସିଛନ୍ତି। ନିଜ ଅଞ୍ଚଳର ବିରଳ ଜୀବଜନ୍ତୁ, ପ୍ରାକୃତିକ ପରିବେଶ, ପ୍ରାଚୀନ କୀର୍ତ୍ତି ଓ ଜଳାଶ୍ରୟକୁ ଖଣ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ ୭ ଦଫା ଦାବି ନେଇ ସେ ଧାରଣାରେ ବସିଛନ୍ତି ।


ସେ ଅଭିଯୋଗ କରିଛନ୍ତି, ଢୁଙ୍କାପଡା ପଞ୍ଚାୟତରେ ଦହିମୁଣ୍ଡିଆ ପାହାଡ଼ ସମେତ ଖଣି ଖନନ ବେଆଇନ ଭାବେ ସରକାରୀ ଅଧିକାରୀମାନଙ୍କର ଅନୈତିକ ସହଯୋଗରେ ଚାଲୁଛି । ଯାହା ଫଳରେ ଖଣି ମାଫିଆମାନେ ଅନୈତିକ ବ୍ଲାଷ୍ଟିଂ ଓ କଟିଙ୍ଗ କରି କୋଟି କୋଟି ଟଙ୍କାର ପଥର ଲୁଟ୍ କରି ସାରିଲେଣି । ଫଳରେ ବିରଳ ଜୀବଜନ୍ତୁ ତଥା ଗଞ୍ଜାମର ଗର୍ବ କୃଷ୍ଣସାର ମୃଗ, ମୟୂରଙ୍କ ଜୀବନ ବିପଦରେ ପଡିଛି ।ବହୁ ପ୍ରାଚୀନ ସପ୍ତେଶ୍ଵର ମନ୍ଦିରର ଚାରିପଟେ ଥିବା ଏହି ସମୁହ ଖଣି ଖନନକୁ ନେଇ ପୂର୍ବରୁ ପ୍ରଶ୍ନ କରିଥିଲେ ବି ଜିଲ୍ଲା ପ୍ରଶାସନ ସଠିକ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଅଞ୍ଚଳର ଜଳାଶୟ ନଷ୍ଟ ହୋଇ ଚାଷ କାମ ବାଧାପ୍ରାପ୍ତ ହୋଇଛି। ଯେଉଁଥିପାଇଁ ଚଳିତବର୍ଷ ଚାଷ ବି ହୋଇନି । ପୂର୍ବତନ ଜିଲ୍ଲାପାଳ ଗ୍ରାମସଭା ନକରି ମିଛ ରିପୋର୍ଟ ଦାଖଲ କରିଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ସହ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ ଆଣି ସେ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି, ମାଫିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଚାଲିଛନ୍ତି । ତେଣୁ ଲୋକଙ୍କ ସରକାର ଶୁଣିବେ ବୋଲି ଆଶା ନେଇ ସେ ଓ ତାଙ୍କ ସହ ଗ୍ରାମବାସୀ ୭ ଦିନ ପାଇଁ ସମୂହ ଧାରଣା ଦେଇଛନ୍ତି । ଆଗକୁ ସରକାର ନଶୁଣିଲେ ଆମରଣ ଅନଶନ କରିବୁ ଓ ଯେଉଁଠି ଜନ୍ମ ହୋଇଛୁ ସେଇଠି ମରିବୁ ବୋଲି ଆରତୀଙ୍କ ସହିତ ଧାରଣାରେ ବସିଥିବା ଗ୍ରାମବାସୀମାନେ କହିଛନ୍ତି ।

District

ବ୍ରହ୍ମପୁରରେ ସ୍ୱାସ୍ଥ୍ୟ ମନ୍ତ୍ରୀ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଆଜି ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବ ବର୍ଗଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ଦେଇ ଏହି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହାକି ଅଗଷ୍ଟ ୧୨ ରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ। ଏହା ମାଧ୍ୟମରେ ତୃଣମୂଳ ସ୍ତରରେ ଏଚ୍.ଆଇ.ଭି ସମ୍ପର୍କିତ ସଚେତନତାକୁ ଆହୁରି ବ୍ୟାପକ କରାଯିବ। ଏହା ଦ୍ଵାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା ସହ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ସ୍ଵପ୍ନ ନିଶ୍ଚିତ ଭାବେ ପୂରଣ ହେବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ।



ସେହିପରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦିନଠୁ ସମସ୍ତେ ସଂକଳ୍ପ ନେବା ସହ ରୋଗକୁ ଦୂରେଇ ଦେବା ମାତ୍ର ରୋଗୀଙ୍କୁ ନୁହେଁ ବୋଲି ଅନୁରୋଧ କରିଛନ୍ତି । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଘୃଣା ଦୃଷ୍ଟିରେ ନଦେଖି ସେମାନଙ୍କୁ ବଞ୍ଚିବାର ବିଶ୍ବାସ ଓ ଭରଷା ଦେଇ ଉତ୍ସାହିତ କରିବାକୁ ଉପସ୍ଥିତଙ୍କୁ ଅନୁରୋଧ ପୂର୍ବକ ଜଣାଇଛନ୍ତି । ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଇବା ପାଇଁ ସେ ସମସ୍ତ ଯୁବବନ୍ଧୁଙ୍କୁ ଆହ୍ଵାନ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଶୋଇ, ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଜିଲ୍ଲାପାଳ ୱି କୀର୍ତ୍ତି ୱାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଏମ୍.କେ.ସି.ଜି ମେଡିକାଲ୍ କଲେଜର ଅଧ୍ୟକ୍ଷ, ଓସାକ୍ସ (OSACS)ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Accident

ମେକ୍ସପିକାପ ସହ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତଥା ସଦର ଥାନାର ନାରାୟଣପୁର ମୁଖ୍ଯ ସଡକ ଉପରେ ମେକ୍ସପିକାପ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଚିକିତ୍ସିତ ଅବସ୍ଥାରେ ଦୁଇଜଣଙ୍କ ମୃତ୍ଯୁବରଣ ହୋଇଥିବା ଖବର ମିଳିଛି l ମୃତକଙ୍କ ମଧ୍ଯରେ ଜଣେ ପୋଲିସ କର୍ମଚାରୀ ଥିବା ବେଳେ ମୃତ ଦୁଇଜଣ ଅନିଲ କୁମାର ନାୟକ ଓ ରୋହିମ ବୋଲି ଜଣାପଡିଛି । ସଦର ଥାନାର ପୋଲିସ ପ୍ରଶାସନ ଘଟଣାର ତଦନ୍ତ କରୁଥିବା ସୂଚନା ମିକିଛି l

State

ଆଜି ବିଶ୍ବ ହାତୀ ଦିବସ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ବିଶ୍ବ ହାତୀ ଦିବସ । ରାଜ୍ୟରେ ୧୨୮ ଜିଲ୍ଲାରେ ଅଛନ୍ତି ୨୦୯୮ ହାତୀ । କିନ୍ତୁ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା , ଦାନ୍ତ ପାଇଁ ଟଳୁଛନ୍ତି ହାତୀ । ୫ ବର୍ଷରେ ଉଦ୍ଧାର ହେଲାଣି ୫୮ ଦାନ୍ତ । ଚାରି ଦିନ ତଳେ କେନ୍ଦୁଝର ବନଖଣ୍ଡରୁ ୫ ବନ୍ୟଜନ୍ତୁ ତସ୍କରଙ୍କୁ କାବୁ କରିଥିଲା ବନ ବିଭାଗ । ସେମାନଙ୍କଠାରୁ ୫ କେଜି ଓଜନର ୪ ହାତୀଦାନ୍ତ ଜବତ ହୋଇଥିଲା । ଏମାନେ ହାତୀଦାନ୍ତକୁ ବିଦେଶକୁ ଚାଲାଣ କରିବା ଚକ୍ଟରରେ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ଗତ ଜୁନ୍ ୨ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ବୌଦ୍ଧ ଜିଲ୍ଲାର ପ୍ରମୋଦ ପରିଡ଼ା ନାମକ ଜଣେ ଶିକାରୀଠାରୁ ୨ଟି ହାତୀଦାନ୍ତ ଜବତ କରିଥିଲା । ଦନ୍ତା ଦାନ୍ତ ପାଇବା ପାଇଁ ପ୍ରତିବର୍ଷ ଅନେକ ଗଜରାଜଙ୍କୁ ମାରି ଦିଆଯାଉଛି । କେଉଁଠି ଶିକାରୀ ଗୁଳିରେ ହାତୀ ଟଳିବା ପରେ ଦାନ୍ତ କାଟି ନେଉଛନ୍ତି । କେଉଁଠି ବିଦ୍ୟୁତ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ହାତୀର ଅକାଳ ମୃତ୍ୟୁ ପରେ ଦାନ୍ତ ଗାଏବ୍ ହୋଇଯାଉଛି । ହାତୀ ଦାନ୍ତ ଚାଲାଣ ସିଣ୍ଡିକେଟ୍‌ର ଚେର ଓଡ଼ିଶାରୁ ବିଦେଶକୁ ଲମ୍ବିଛି, ଭାୟା ବାଂଲାଦେଶ ଓ ନେପାଳ ହୋଇ ଚୀନକୁ ଚାଲାଣ ହେଉଛି । ବନ ବିଭାଗର ତଥ୍ୟ ଆଧାରରେ, ୨୦୧୭-୧୮ରୁ ଗତବର୍ଷ ନଭେମ୍ବର ଭିତରେ ମୋଟ ୬୭୪ ହାତୀ ମରିଛନ୍ତି । ଶିକାରୀଙ୍କ ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ ଯାଇଛି । ମୃତ୍ୟୁ ପରେ ପ୍ରାୟ ସବୁ ହାତୀଙ୍କ ଦାନ୍ତ କାଟି ନେଇଛନ୍ତି ଶିକାରୀ । ଟ୍ରେନ୍ ଧକ୍କାରେ ୨୮ଟି, ସଡ଼କ ଦୁର୍ଘଟଣାରେ ୫ଟି ଓ ଅନ୍ୟାନ୍ୟ ଦୁର୍ଘଟଣାରେ ୧୦୩ଟି ହାତୀ ମରିଛନ୍ତି । ବିଦ୍ୟୁତ ଝଟ୍‌କା ଖାଇ ୧୨୩ଟି ହାତୀଙ୍କ ପ୍ରାଣ ଯାଇଛି । ଏଥିରୁ ଅଧିକାଂଶ ହାତୀଙ୍କ ଦାନ୍ତ ଗାଏବ ହୋଇଯାଇଛି । ତଥ୍ୟକୁ ବାଦ୍ ଏସବୁ ସରକାରୀ ତଥ୍ୟ ଦେଲେ ପ୍ରତିବର୍ଷ ବାସ୍ତବରେ ଅନେକ ଦନ୍ତାହାତୀ ଶିକାର କରାଯାଉଛି ।

Politics,District

ନବରଂଗପୁରରେ ୧୨ ଘଣ୍ଟା ବନ୍ଦର ଡାକରା ଦେଲା ବିଜେଡି

Blog Thumbnail

ନବରଙ୍ଗପୁର( ଦ କୁଇଭର ):- ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁ ମାମଲାକୁ ବିଜୁ ଜନତା ଦଳ (ବିଜେଡି) ତୀବ୍ର ନିନ୍ଦା କରିଛି। ରାଜ୍ୟ ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ହୋଇଛି ବୋଲି କହିଛି। ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ସୋମବାର ଦିନ ନବରଂଗପୁର ଜିଲ୍ଲାରେ ୧୨ ଘଣ୍ଟା ବନ୍ଦ ଡାକରା ଦେଇଛି। ଫଳରେ ଜରୁରୀକାଳୀନ ସେବା ବ୍ୟତୀତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ନବରଂଗପୁର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇସ୍ତଫା ଦିଅନ୍ତୁ। ତା’ ସହିତ ସରକାର ରାଇଘର ନର୍ସିଂ ପୀଡ଼ିତାଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ। ବିଜେଡି କହିଛି ଯେ, ଯେତେ ଦିନ ପର୍ଯ୍ୟନ୍ତ ଏହି ରାଜ୍ୟର ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ। ନବରଙ୍ଗପୁର ଜିଲ୍ଲାବାସୀ ଏବଂ ରାଇଘରବାସୀଙ୍କୁ ବିଜେଡି ତରଫରୁ ଅନୁରୋଧ କରାଯାଉଛି କି ଆସନ୍ତାକାଲି ୧୨ ଘଣ୍ଟା ବନ୍ଦକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜରୁରୀକାଳୀନ ସେବା ଯେପରିକି ‘ଅଗ୍ନିଶମ ସେବା, ଆମ୍ବୁଲାନ୍ସ୍‌ ସେବା ବନ୍ଦ ହେବ ନାହିଁ। ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଗତମାସ ୧୩ ତାରିଖ ଦିନ ବଜାରକୁ ସଉଦା କିଣିବାକୁ ଯାଇଥିଲେ। ଏହି ସମୟରେ ଏକତରଫା ଭଲ ପାଉଥିବା ଅଭିଯୁକ୍ତ ସତ୍ୟଜିତ ସରକାର ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ରାଜରାସ୍ତାରେ ମାରପିଟ କରିଥିଲାl ଆକ୍ରମଣର ଶିକାର ପୀଡ଼ିତାଙ୍କ ଆଖି ଓ ମୁହଁ ଫୁଲି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେl ପୁଲିସ ସତ୍ୟଜିତକୁ ଅଟକ ରଖି ସର୍ତ୍ତମୂଳକ ଭାବରେ ଛାଡ଼ି ଦେଇଥିଲାl ଏଥିରେ ସେ ପ୍ରତିଶୋଧ ପରାୟଣ ହୋଇ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲା।


ନଜ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ପୀଡିତା ଲୋକାଲଜ୍ୟା ସହି ନପାରି ଜୁଲାଇ ୧୭ ତାରିଖରେ ଘାସମରା ଔଷଧ (ବିଷ) ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେl ଘରଲୋକ ଜାଣିପାରି ତାଙ୍କୁ ଉମରକୋଟ ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋଣ୍ଡାଗାଁ ଓ ପରେ ରାୟପୁରକୁ ନେଇ ଯାଇଥିଲେl କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ସହ ଡାକ୍ତର ହାତ ଟେକି ଦେଇ ଘରକୁ ନେଇ ଯିବାକୁ କହିଥିଲେl ଫଳରେ ଗତ ଜୁଲାଇ ୨୧ରେ ପରିବାର ଲୋକେ ପୀଡିତାଙ୍କୁ ଘରକୁ ନେଇ ଯାଇଥିଲେl ସେହି ଦିନ ଠାରୁ ପୀଡିତା ଘରେ ମରଣ ସହ ସଂଗ୍ରାମ କରି ଆସୁଥିବା ବେଳେ ରାଇଘର ଥାନାରେ ପୀଡିତାଙ୍କ ଦାଦା ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପୀଡିତାଙ୍କ ବୟାନ ନେଇଥିଲା। ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ପୀଡ଼ିତାଙ୍କୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପୁଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Crime

ବ୍ରହ୍ମପୁର ଘଟଣା : ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି

Blog Thumbnail

ବ୍ରହ୍ମପୁର ( ଦ କୁଇଭର ):- ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ସ୍ଥିତ ଶ୍ରୀମା ନଗର ଦ୍ୱିତୀୟ ଗଳିରେ ମା' ଓ ଝିଅକୁ ଖଣ୍ଡାରେ ଆକ୍ରମଣ ହୋଇଛି l ସକାଳୁ ସକାଳୁ ସୋଇଥିବା ଅବସ୍ଥାରେ ମା'କୁ ଗଳା କାଟି ହତ୍ୟା କରାଯାଇଥିବା ବେଳେ ନାବାଳିକାକୁ ଘାତକ ଆକ୍ରମଣ କରି ବାହର ପଟୁ ତାଲା ପକାଇ ଫେରାର ହୋଇଯାଇଛି ଦୁର୍ବୁତ୍ତ l ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳା ଜଣକ ଘର କବାଟ ନ ଖୋଲିବାରୁ କିମ୍ବା କୌଣସି ଶବ୍ଦ ନ ଆସିବାରୁ ଘର ମାଲିକ ସନ୍ଦେହ କରି ମୃତକ ମହିଳାଙ୍କ ସ୍ୱାମୀଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ l ତେଵେ ମୃତା ସ୍ତ୍ରୀ'ଙ୍କ ସ୍ୱାମୀ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଗତ ୩ ତାରିଖରେ ଏହି ଘରେ ଭଡାରେ ରହିଥିବା ଜଣାପଡିଛି l କେମିତି ହତ୍ୟା ହେଲା ସେ ନେଇ କିଛି ଜାଣି ନଥିବା ପରିବାର ଏବଂ ସମ୍ପର୍କୀୟ କହିଥିବା ବେଳେ ଜୈନିକ ବ୍ୟବସାୟୀ ଜଣକଙ୍କୁ ସନ୍ଦେହ କରିଛନ୍ତି ପରିବାରବର୍ଗ ମୃତ ମହିଳାଙ୍କ ପରିବାର ଓ ସମ୍ପର୍କୀୟ l ମହିଳା ଜଣକ,ଗାୟତ୍ରୀ ସ୍ୱାଇଁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବାବେଳେ ଝିଅ ନିଲମ ସ୍ୱାଇଁକୁ ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଘଟଣାର ଅଧିକ ତଦନ୍ତ କରିଥିବାବେଳେ ଖୁବ ଶୀଘ୍ର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଘଟଣା ସ୍ଥଳରୁ ବ୍ରହ୍ମପୁର ଏସ.ପି ଡ଼ା ଶ୍ରବଣା ଵିଵେକ ଏମ ସୂଚନା ଦେଇଛନ୍ତି l

Sports

ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ

Blog Thumbnail

ଦ କୁଇଭର ବ୍ୟୁରୋ :- ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍ (କାଂସ୍ୟ) ରବିବାର କଳିଙ୍ଗ ଷ୍ଟାଡିୟମ୍‌ରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ତା’ ସହିତ ଓଡ଼ିଶା କ୍ରୀଡ଼ା ଇତିହାସରେ ଆୟୋଜନ ଓ ପ୍ରାୟୋଜନର ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଏହି ବହୁ ରାଷ୍ଟ୍ରୀୟ ତଥା ବହୁ ଇଭେଣ୍ଟ୍‌ ବିଶିଷ୍ଟ ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଏବଂ କଳିଙ୍ଗ ଷ୍ଟାଡିୟମ୍ ପ୍ରଥମ ଭେନ୍ୟୁ ହେବାର ଗୌରବ ଅର୍ଜନ କରିଛି। ସେହିଭଳି ଓଡ଼ିଶାର ଦୁଇ ତାରକା ଅନିମେଷ କୁଜୁର ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଯଥାକ୍ରମେ ପୁରୁଷ ୨୦୦ ମିଟର ଏବଂ ମହିଳା ୧୦୦ ମିଟର ବାଧାଦୌଡ଼ର ପ୍ରଥମ ସ୍ଥାନରେ ରହିବା ରାଜ୍ୟକ୍ରୀଡ଼ା ପାଇଁ ଐତିହାସିକ ଅଧ୍ୟାୟ ହୋଇଛି। ଉଭୟ ନିଜନିଜ ଇଭେଣ୍ଟରେ ଆଧିପତ୍ୟ ବିସ୍ତାର କରିବା ମଧ୍ୟ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଛି। ଅନିମେଷ ୨୦.୭୭ ସେକେଣ୍ଡ ଏବଂ ପ୍ରଜ୍ଞାପ୍ରଶାନ୍ତି ୧୩.୭୪ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନରେ ରହି ନିଜନିଜ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ। ଏହି ଦିନିକିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟ ଦୁଇ ଓଡ଼ିଆ ତାରକା ଶ୍ରାବଣୀ ନନ୍ଦ ଏବଂ ଲାଲୁ ପ୍ରସାଦ ଭୋଇ ମହିଳା ଓ ପୁରୁଷ ୧୦୦ ମିଟରର ଯଥାକ୍ରମେ ପଞ୍ଚମ ଓ ଚତୁର୍ଥ ସ୍ଥାନରେ ରହିବା ଅବଶ୍ୟ ସାମାନ୍ୟ ନୈରାଶ୍ୟଜନକ ଖବର ହୋଇଛି। ମୋଟ ଉପରେ କିନ୍ତୁ ଓଡ଼ିଆ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ କଳିଙ୍ଗ ଷ୍ଟାଡିୟମ୍‌ରେ ଉପସ୍ଥିତ ୧୫,୦୦୦ରୁ ଅଧିକ ଦର୍ଶକଙ୍କ ମନ ଜିତି ନେଇଛନ୍ତି। ସେହିଭଳି ରବିବାର ହୋଇଥିବା ୧୭ଟି ଇଭେଣ୍ଟର ଫାଇନାଲ୍‌ରୁ ଅଧିକାଂଶ ବର୍ଗରେ ଭାରତୀୟ ଖେଳାଳିମାନେ ପ୍ରଥମ ସ୍ଥାନ ଅଧିକାର କରିବା ଉଲ୍ଲେଖନୀୟ ରହିଛି। ସେହିଭଳି ପୁରୁଷ ଜାଭଲିନରେ ଶ୍ରୀଲଙ୍କାର ରମେଶ ଥରଙ୍ଗା କଳିଙ୍ଗ ଷ୍ଟାଡିୟମ୍‌ରୁ ଜାପାନର ଟୋକିଓରେ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରତିଯୋଗିତାର ଏକମାତ୍ର ଖେଳାଳି ଭାବେ ସେ ଏହି ସଫଳତା ଲାଭ କରିଛନ୍ତି। ବିଶ୍ବ ଚାମ୍ପିଅନସିପ୍‌ ପାଇଁ ଯୋଗ୍ୟତା ଅର୍ଜନ ଦୂରତା ୮୫.୫୦ ମିଟର ଥିଲା ବେଳେ ରମେଶ ୮୬.୫୦ ମିଟରକୁ ଜାଭଲିନ ଫିଙ୍ଗି ଟୋକିଓ ଟିକେଟ୍‌ ପାଇଥିଲେ। ବିଭିନ୍ନ ବର୍ଗର ପ୍ରଥମ ଚାରି ସ୍ଥାନରେ ରହିଥିବା ଖେଳାଳିମାନେ ଯଥାକ୍ରମେ ୮୦୦, ୪୦୦, ୩୦୦ ଓ ୨୦୦ ଡଲାରର ଆର୍ଥିକ ପୁରସ୍କାର ପାଇଥିଲେ।ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ହୋଇ ୪ ଗୁଣା ୪୦୦ ମିଟର ରିଲେ ଦଳକୁ ପୁରସ୍କୃତ କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂହ, ପୁଲିସ ଡିଜି ୱାଇବି ଖୁରାନିଆ, କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

National

୩ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ କଲେ ଉଦ୍ଘାଟନ : ପ୍ରଧାନମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି । ବେଙ୍ଗାଲୁରୁ ବେଲଗାବୀ ବନ୍ଦେ ଭାରତ ଏକ୍ସପ୍ରେସ, ଶ୍ରୀମାତା ବୈଷ୍ଣୋଦେବୀ କଟରା-ଅମୃତସର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ନାଗପୁର –ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ ରହିଛି ।ବେଙ୍ଗାଲୁରୁ ବେଲଗାବୀ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକ ମୁଖ୍ୟ ଷ୍ଟେସନରୁ ବେଙ୍ଗାଲୁରୁ, ଧାରବାଡ଼, ଦୁବଲୀ, ହାବେରୀ, ଦାବଣଗେରେ, ତୁମକୁର, ଯଶଓ୍ୱନ୍ତପୁର ଏବଂ ବେଲଗାବୀରେ ପହଞ୍ଚିବ ।ଶ୍ରୀମାତା ବୈଷ୍ଣୋଦେବୀ କଟରା-ଅମୃତସର ବନ୍ଦେ ଭାରତ ଏକ୍ସପ୍ରେସ କଟରା, ଜମ୍ମୁ ତୱି, ପଠାନକୋଟ କ୍ୟାଣ୍ଟ, ଜଳନ୍ଧର ସିଟି, ବ୍ୟାସ ଏବଂ ଅମୃତସରରେ ପହଞ୍ଚିବ ।


ନାଗପୁର-ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ ୮୮୧ କିମି ଲମ୍ବା ବନ୍ଦେ ଭାରତ ରୁଟ୍ ଟ୍ରେନ । ଏହି ବନ୍ଦେ ଭାରତ ଟ୍ରେନ ସପ୍ତାହକୁ ୬ ଦିନ ଚାଲିବ । ଏଥିରେ ୫୯୦ ସିଟ୍ ରହିଛି । ଯାହାର ଇକୋନୋମି ଟିକେଟ ଦାମ୍ ୧,୫୦୦ ରହିଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ପ୍ରଧାନମନ୍ତ୍ରୀ ଆରଭି ରୋଡ(ରଗିଗୁଡ଼ା)ରୁ ଇଲେକଟ୍ରୋନିକ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଛନ୍ତି । ସହର ସଂଯୋଗୀକରଣ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ବି କରିଛନ୍ତି ପ୍ରଧାନମନ୍ତ୍ରୀ ।୧୯.୧୫ କିଲୋମିଟର ଲମ୍ବ ୟେଲୋ ଲାଇନରେ ୧୬ଟି ଷ୍ଟେସନ ଅଛି । ଯେଉଁଥିରେ RV ରୋଡ୍, ରାଗି ଗୁଡ୍ଡା, ଜୟଦେବ ହସ୍ପିଟାଲ, BTM ଲେଆଉଟ୍, ସେଣ୍ଟ୍ରାଲ୍ ସିଲ୍କ ବୋର୍ଡ, ବୋମାନା ହାଲ୍ଲି, ହୋଙ୍ଗରା ସାଣ୍ଡ୍ରା, କୁଡଲୁ ଗେଟ୍, ସିଙ୍ଗା ସାଣ୍ଡ୍ରା, ହୋସା ରୋଡ୍, ବେରେଟେନା ଅଗ୍ରହାରା, ଇଲେକ୍ଟ୍ରୋନିକ୍ ସିଟି, ଇନଫ୍ଲୋସିସ୍ ଫାଉଣ୍ଡେସନ୍ କୋନାପ୍ପାନା ଅଗ୍ରହାରା, ହୁସ୍କୁର ରୋଡ୍, ହେବ୍ବା ଗୋଦୀ ଏବଂ ବୋମାସାଣ୍ଡ୍ରା ଅନ୍ତର୍ଭୁକ୍ତ ।

Crime

ବୋମା ଫୁଟି ଯୁବକଙ୍କ ହାତ ପାପୁଲି ଛିଣ୍ଡିଲା; ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

Blog Thumbnail

ଜଗତସିଂହପୁର( ଦ କୁଇଭର ):- ଜଗତସିଂହପୁରଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣିଆ ବୋରିକିନା ମୁଖ୍ୟ ରାସ୍ତା କରକେଇ ହାଟ ନିକଟରେ ବୋମା ଫୁଟି ଜଣେ ଯୁବକଙ୍କ ଡାହାଣ ହାତ ପାପୁଲି ଛିଡି ଯାଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ହେଲେ ଦିବ୍ୟଜ୍ୟୋତି ଶତପଥୀ l ସୂଚନା ଅନୁଯାୟୀ ଆଗରୁ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିବା ବାଲିକୁଦା ଥାନା ଅନ୍ତର୍ଗତ ତେର୍ତାଙ୍ଗ ଗ୍ରାମର ଦିବ୍ୟଜ୍ୟୋତି ଶତପଥୀ ଓ ତାର ଅନ୍ୟ ସହଯୋଗୀ ହାତରେ ୨ଟି ବୋମା ଧରି କେଉଁଆଡେ ଯାଉଥିବା ବେଳେ ଦିବ୍ୟ ହାତରେ ଥିବା ଗୋଟିଏ ବୋମା ଫୁଟି ତାର ଡାହାଣ ହାତ ପାପୁଲି ଛିଡି ଯାଇଥିଲା। ଅନ୍ୟ ଏକ ବୋମାଟି ଖସି ଯାଇଥିଲା।


ବୋମାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇ ବାଲିକୁଦା ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ବାଲିକୁଦା ପୁଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ ଦିବ୍ୟକୁ ଉଦ୍ଧାର କରି ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଏକ ଅଫୁଟା ବୋମାକୁ ଜବତ କରି ବାଲିକୁଦା ଥାନା କୁ ନେଇଥିଲେ।ଏହି ସମ୍ପର୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପତିକ୍ରିୟା ରଖି ପ୍ରକାଶ କରିଛନ୍ତି ଆଗରୁ ଅନେକ ଅପରାଧ ଘଟାଇଥିବା ଦିବ୍ୟ ଓ ତାର ସହଯୋଗୀ ଏରସମା ଯାଉଥିବା ବେଳେ କୌଣସି ଅପରାଧିକ ଘଟଣା ଘଟାଇବା ଉଦେଶ୍ୟରେ ବୋମା ସାଥିରେ ନେଇଥିଲେ। ତେବେ ଏହି ଘଟଣାରେ ତାର ହାତ ପାପୁଲି ଛିଡି ଗୁରୁତର ହୋଇଛି ଓ ଅନ୍ୟ ସହଯୋଗୀ ସେଠାରୁ ଖସି ପଳାଇଛନ୍ତି ଯାହାର ତଦନ୍ତ ଜାରି ରହିଛି। ଏପରିକି ଅଫୁଟା ବୋମା କୁ ନିଷ୍କ୍ରିୟ କରିବା ପାଇଁ ବୋମା ନିଷ୍କ୍ରିୟ ଦଳର ସହାୟତା ନିଆଯାଇଛି। ତେବେ ଦିବ୍ୟ ସୁସ୍ଥ ହେବା ପରେ ତାର ବୟାନ ଆଧାରରେ ହିଁ ଅନ୍ୟ ସହଯୋଗୀ ଙ୍କ ପରିଚୟ ମିଳିବା ସହ ସେ କେଉଁ କାରଣରୁ ଓ କେଉଁ ଅପରାଧ ଘଟାଇବା ପାଇଁ ଷଡଯନ୍ତ୍ର କରି ବୋମା ନେଇ ଏରସମା ଯାଉଥିଲେ ତାହାର ସତ୍ୟାସତ୍ୟ ଜଣାପଡିବ।

Weather

ଆଜିଠାରୁ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠାରୁ ପ୍ରବଳ ବର୍ଷା । ଆସନ୍ତାକାଲି ଉତ୍ତର ପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।


ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା , ଗଞ୍ଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୬ ତାରିଖରୁ ବର୍ଷା ପରିମାଣ କମିବ ।

City

ବିଏମ୍‌ସି ପକ୍ଷରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାମଲିଙ୍ଗେଶ୍ୱର ପୋଖରୀ ଠାରେ ‘ଘରେ ଘରେ ତ୍ରିରଙ୍ଗା ଘରେ ଘରେ ସ୍ୱଚ୍ଛତା’ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ କମିଶନର ଅରବିନ୍ଦ ପ୍ରଥମେଶ ରାଜ ସିର୍କେ, ଡେପୁଟି ମେୟର ଇ ବିବେକ୍ ରେଡୀ, ଡେ ପୁଟି କ ମିଶନର କଲ୍ୟାଣୀ ସଂଘମିତ୍ରା, ଆର୍ଶୀବାଦ ପରିଡ଼ା, ସିଟି ଇଂଜିନିୟର ମନୋଜ ପାତ୍ର, ବହୁ କର୍ପୋରେଟର ଯୋଗଦେଇ ସମସ୍ତ ଭାରତୀୟ ମାନେ ଯେପରିକି ଘରେ ଘରେ ତ୍ରିରଙ୍ଗା ପ୍ରଦର୍ଶନ କରି ଜାତୀୟ ଏକତା ବଜେଇବା ପାଇଁ ବାର୍ଭା ପ୍ରଦାନ କରିବେ ସେ ନେଇ ମତବ୍ୟକ୍ତ କରାଯିବା ସହ ସହରକୁ ସ୍ଵଚ୍ଛ ସୁନ୍ଦର କରିବା ପାଇଁ ଘରେ ଘରେ ସ୍ୱଚ୍ଛତା ରଖୁବା ପାଇଁ ପରାମର୍ଶ ଦେଇଥିଲେ । ଛୋଟ ଛୋଟ ପିଲାମାନେ ଯୋଗଦେ ଦେଇଥିବାବେଳେ ସ୍ଵୟଂ ସହାୟିକା ଗୋଷ୍ଟୀ ପକ୍ଷରୁ ବିଭିନ୍ନ ସ୍ଵାଦିଷ୍ଟ ଖାଦ୍ୟକୁ ଷ୍ଟଲରେ ପ୍ରଦର୍ଶନ କରାଯାଇଥିଲା ।

Crime

ବ୍ରହ୍ମପୁରରେ ଡବଲ ମର୍ଡର

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପୁଣି ଡବଲ ମର୍ଡରl ମା' ଓଁ ଝିଅ କୁ ହେଇଛି ହତ୍ୟା ଉଦ୍ୟମ lଘଟଣା ସ୍ଥଳରେ ମା'ଙ୍କ ମୃତ୍ୟୁ ହୋଇଥିବା ବେଳେ, ଝିଅ ବ୍ରହ୍ମପୁର MKCG ରେ ଗୁରୁତ୍ତର ଅବସ୍ଥାରେ ଭର୍ତ୍ତୀ ହୋଇଛି lଲୋଚାପଡା ଶ୍ରୀମା ନଗର ଦ୍ୱିତୀୟ ଗଳିରେ ପୁଣି ହୋଇଛି ହତ୍ୟାକାଣ୍ଡ l ମା'ଗାୟତ୍ରୀ ସ୍ୱାଇଁ ମୃତ୍ୟୁ ବରଣ କରିଥିବା ବେଳେ ଝିଅ ନିଲାମ ସ୍ୱାଇଁ ଗୁରୁତର ରହିଥିବା ସୂଚନା l

Crime

ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ ଗ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜନଗରରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ପିଇସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବକଙ୍କ ସହ ମୋଟ ୫ ଜଣଙ୍କୁ ଉଠେଇ ଆଣିଛି ରାଜନଗର ପୋଲିସ l ସୂଚନା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ଉଦଳାରେ ମଧ୍ୟ ନାବାଳିକାକୁ ଜଙ୍ଗଲରେ ଏକୁଟିଆ ପାଇ ୩ ଜଣ ଯୁବକ ମିଶି ଗଣ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଲେ । ଯାହାକୁ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିବା ସହିତ ୨ ଜଣ ନାବାଳକ ସାଙ୍ଗଙ୍କୁ ଅଟକ ରଖିଥିଲା ।