Join Us To Make A Difference

The Drops💧

ହାଇକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟରେ ହୋଇପାରିବନି ଗୋହତ୍ୟା

ହାଇକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟରେ ହୋଇପାରିବନି ଗୋହତ୍ୟା
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- ଏଣିକି ରାଜ୍ୟରେ ଆଉ ହୋଇପାରିବନି ଗୋହତ୍ୟା । ଲୁଚା ଚୋରା ଯାହା ସବୁ ଚାଲିଥିଲା ସେସବୁ ମଧ୍ୟ ସମ୍ପୂର୍ଣ ବନ୍ଦ ହେବ l ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ିଚାଲିଥିଲା । ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ୁଥିଲା । ଆଉ କେଉଁଠି କେଉଁଠି ତ ଗୋମାଂସ ଚୋରା ଚାଲାଣ ବେଳେ ଗାଡ଼ି ଧରାପଡ଼ିଥିବାର ନଜିର ରହିଛି । ଏହି ସବୁକୁ ରୋକିବା ପାଇଁ ଅନେକ ସମାଜସେବୀ ଏବଂ ସାଧାରଣ ଲୋକ ନିବେଦନ କରିଆସୁଥିଲେ, କିନ୍ତୁ ସରକାର ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ଆଜି ଏହି ହାଇକୋର୍ଟ ଏ ସବୁକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଉ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସବୁଠି ସ୍ବାଗତ କରାଯାଇଛି l

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

District,City

ଗଞ୍ଜାମ ଛତ୍ରପୁରରେ ‘ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପ’ର ଶୁଭାରମ୍ଭ

Blog Thumbnail

ଛତ୍ରପୁର( ଦ କୁଇଭର ):- ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଛତ୍ରପୁରର ମାଟିଖାଲରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ କରିବା ଦିଗରେ ଏକ ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।


ଶ୍ରୀ ପ୍ରଧାନ ଏହି ଓ୍ୱାଟର୍ ୟୁନିଟ ପରିଦର୍ଶନ କରିବା ସହ ପାଣି ବିଶୋଧନ ପରେ ତା’ର ସ୍ୱାଦ ମଧ୍ୟ ଚାଖିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଜି ଯେଉଁ ପଦକ୍ଷେପର ଶୁଭାରମ୍ଭ ହୋଇଛି ତାହା ସାମୁଦ୍ରିକ ଲୁଣି ଜଳକୁ ମଧୁର ଜଳରେ ପରିଣତ କରିବା ଦିଗରେ ପ୍ରକ୍ରିୟାକରଣର ଏକ ପ୍ରକଳ୍ପ । ଗଞ୍ଜାମ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ବିଭିନ୍ନ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାଏ । ସମୁଦ୍ର ନିକଟତର ହେବା ସତ୍ତ୍ୱେ ଭୂତଳ ଜଳରେ ଲୁଣିଆ ସ୍ତର ଅଧିକ ଏବଂ ସୀମିତ ମଧୁର ଜଳ ସମ୍ପଦ ଯୋଗୁଁ ସ୍ୱଚ୍ଛ ପାନୀୟ ଜଳର ଉପଲବ୍ଧତା ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି । ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧତା ଏକ ମୌଳିକ ଆବଶ୍ୟକତା । ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ଜଳ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳର ଏକ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରିବ । ସ୍ଥାନୀୟ ଅଞ୍ଚଳ ପାଇଁ ଦୀର୍ଘ ଦିନ ଧରି ଏକ ଚ୍ୟାଲେଞ୍ଜ ହୋଇ ରହିଥିବା ଜଳ ଆବଶ୍ୟକତାକୁ ପୂରଣ କରିବ । ଆଜିର ପଦକ୍ଷେପ ପାଇଁ ସୁସ୍ଥ ସମାଜ ଗଠନ କରିବା ତଥା ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଆଇଆରଇଲକୁ ସେ ଧନ୍ୟବାଦ ଜଣାଇଛନ୍ତି ।


କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଷ୍ଟାଟେଜିକ ସକ୍ଟରରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ଦେଶର ଏକ ମହତ୍ୱପୂର୍ଣ୍ଣ କମ୍ପାନୀ । ବିଗତ ୪୦ରୁ ୪୫ ବର୍ଷ ଧରି ଦେଶର ବିକାଶ ପାଇଁ ବିରଳ ମୃତ୍ତିକା ପାଇଁ କାମ କରୁଛନ୍ତି । ବ୍ୟବସାୟିକ ଉଦ୍ୟୋଗ ଭାବେ ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର(ବିଏଆରସି) ନିଜସ୍ୱ ଟେକ୍ନୋଲୋଜି ମାଧ୍ୟମରେ ୧୬୦ କୋଟି ଟଙ୍କା ଖର୍ଚ୍ଚ କରି ଲୁଣି ପାଣିକୁ ବିଶୁଦ୍ଧ କରି ଲୋକଙ୍କ ପାଖରେ ସ୍ୱଚ୍ଛ ପାନୀୟ ଜଳ ନାଗରିକଙ୍କ ପାଖରେ ପହଞ୍ଚାଇବାର ଟେକ୍ନୋଲୋଜି ସାମ୍ନାକୁ ଆଣିଥିଲେ । ଭାରତୀୟ ଟେକ୍ନୋଲୋଜିରେ ଏଠାରେ ଏକ ସେଭଳି ଏକ ପ୍ଲାଣ୍ଟ୍ ସ୍ଥାପନା ହୋଇଛି ।


ଇସ୍ରାଇଲ ଯେପରି ଲୁଣି ପାଣିକୁ ବିଶୁଦ୍ଧ କରି ବ୍ୟାପକ ଭାବେ ତାହାକୁ କାମରେ ଲଗାଉଛି, ଏଠାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମାଟିଖାଲ, ଆର୍ଯ୍ୟପଲ୍ଲୀ ଅଞ୍ଚଳର ଲୋକମାନଙ୍କୁ ପାନୀୟ ଜଳ ଯୋଗାଯିବ । ଏଥିପାଇଁ ପ୍ରତି ଜଳ ଲିଟର ପିଛା ମାତ୍ର ୧୧ ପଇସା ଖର୍ଚ୍ଚ ହେବ । ଆମ ରାଜ୍ୟ ଓଡ଼ିଶାରେ ୪୫୦ କିମି ସମୁଦ୍ର ତଟ ଅଛି । ତଟବର୍ତ୍ତୀ ଅଞ୍ଚଳରେ ବିଶୁଦ୍ଧ ପାଣିର ସମସ୍ୟା ଥାଏ । ସେ ଦିଗରେ ଆଜି ଆଇଆରଇଏଲ ତରଫରୁ ସିଏସଆର ପ୍ରକଳ୍ପ ଅଧୀନରେ ଆଖପାଖ ଗାଁକୁ ପାଣିର ବ୍ୟବସ୍ଥା କରାଯିବା ସାଧୁ ଉଦ୍ୟମ । ସମୁଦ୍ର ଲୁଣିପାଣିକୁ ମଧୁର ଜଳରେ ପରିଣତ କରି ଲୋକଙ୍କୁ ପ୍ରଦାନ କରିବା କାର୍ଯ୍ୟ ଏହା ରାଜ୍ୟରେ ସମ୍ଭବତଃ ପ୍ରଥମ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ,ଆସ୍କା ସାଂସଦ ଅନିତା ଶୁଭଦର୍ଶୀନୀ,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Politics,State

ରାଜନୀତିରେ ଫସିଲା ଛାତ୍ରୀ ମୃତ୍ୟୁ

Blog Thumbnail

ପଟ୍ଟାମୁଣ୍ଡାଇ(ଦ କୁଇଭର): ପୂରା ଗାଁ ସାରା ଲୋକେ ତାତିଲେଣି । ନ୍ୟାୟ ମିଳିବା ନେଇ ଭରସା କରିପାରୁ ନାହାନ୍ତି ପୋଲିସ ବା ସରକାରଙ୍କ ଉପରେ । ଗରିବ ବୋଲି ନ୍ୟାୟ ମିଳିବ ନାହିଁ, ଏମିତି କହିଲେଣି ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ଗାଁ ତେରୋହୀର ଲୋକେ । ତାଙ୍କ ବାପା ଆତ୍ମହତ୍ୟା ପାଇଁ ଧମକ ଦେଲେଣି । କାରଣ ମିଛ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଘରେ ବିଜେପି ଏମପି ତଥା ପାୱାରଫୁଲ ନେତା ବୈଜୟନ୍ତ ପଣ୍ଡା ପହଞ୍ଚିଥିବାରୁ ତାଙ୍କ ଭଳି ଗରିବ ଲୋକଙ୍କ ପ୍ରତି ପୋଲିସ ନ୍ୟାୟ କରିବ ନାହିଁ । ରାଜନୈତିକ ଚାପ ପଡ଼ୁଛି ତାଙ୍କ ନିରୀହ ପୁଅକୁ ଫସାଇବା ପାଇଁ । ଏଭଳି କିଛି ଅଭିଯୋଗ କରି ଗାଁ ସାରା ଲୋକେ ତାତିଲେଣି ।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଆତ୍ମାହୂତି ଦେଲେ । ପୁରୁଷବନ୍ଧୁଙ୍କ ବ୍ଲାକମେଲିଂ ଯୋଗୁ ସେ ଏପରି ପଦକ୍ଷେପ ନେଇଥିବା ତାଙ୍କ ବାପା ଘଟଣାର ୪ଦିନ ପରେ ଥାନାରେ ଏତଲା ଦେଇଥିଲେ । ତେବେ ଛାତ୍ରୀଙ୍କ ମୃତ୍ୟୁର ସ୍ଥିତିକୁ ଦେଖି ସନ୍ଦେହ ତାଙ୍କ ବାପା ଓ ଭାଇ ଉପରକୁ ଯାଇଥିଲା । ଏଥିରେ କେତେକ ପଡ଼ୋଶୀ ସାମିଲ ଥିବା ମଧ୍ୟ କୁହାଯାଉଛି । ତେଣୁ ସବୁ କିଛି ବିଗିଡ଼ି ଯିବ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣାର ତଦନ୍ତ ନିଜେ କେନ୍ଦ୍ରାପଡ଼ା ଏସପି କରୁଛନ୍ତି । ତଥାପୀ ଛାତ୍ରୀଙ୍କ ଘରେ ବିଜେପିର ପାୱାରଫୁଲ ନେତା ବୈଜୟନ୍ତ ପଣ୍ଡା ପହଞ୍ଚିବା ପରେ ମାମଲାର ତଦନ୍ତରେ ନୀରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୁକ୍ତଙ୍କ ବାପା ।

ସେ କହିଛନ୍ତି, ଏହାକୁ ରାଜନୀତିକରଣ କରାଯାଉଛି । ଏଥିରୁ ରାଜନୈତିକ ଫାଇଦା ଓ ସରକାରୀ ଅନୁକମ୍ପା ପାଇଁ ଯୋଜନା ଚାଲିଛି । ସେ ଗୋଟି ଗୋଟି କରି ପ୍ରମାଣ ମାଗିଛନ୍ତି । କେଉଁ ଫେସବୁକ ଆକାଉଣ୍ଟରୁ ଅଶ୍ଳୀଳ ଫଟୋ ଭାଇରାଲ କରାଯାଇଥିଲା ତାହାର ପ୍ରମାଣ ରଖନ୍ତୁ? ତାଙ୍କ ପୁଅ କେମିତି ବ୍ଲାକମେଲ କରୁଥିଲା ତାହାର ପ୍ରମାଣ ଦିଅନ୍ତୁ? ମୃତା ଛାତ୍ରୀ ଜଣକ ପ୍ରମୋଦଙ୍କୁ ଭଲ ପାଉଥିଲେ । ବିବାହ କରିବାକୁ ଚାହୁଁଥିଲେ । ମାତ୍ର ଝିଅର ପରିବାର ଲୋକେ ଏହାର ବାଧକ ଥିଲେ । ଅନେକ ସମୟରେ ଝିଅକୁ ଗାଳି ମାଡ଼ ବି ଦେଉଥିବା କୁହାଯାଏ ।

ଏସବୁ ସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ସ୍ଥିତି ସବୁଠୁ ଚର୍ଚ୍ଚାରେ ରହିଛି । ହାତ ଓ ନିଜକୁ ବାନ୍ଧି ଦେଇ କିପରି ନିଆଁ ଲଗାଇଲେ, ଏହି ମୂଳ ପ୍ରଶ୍ନର ଉତ୍ତର କେହି ଦେଇ ପାରୁ ନାହାନ୍ତି? ପୋଲିସ ବି ନୀରବ ରହୁଛି । ସଡ଼ିର ଗୋଟିଏ ପାହାଚରେ ବସି ଜଳିଲେ କିପରି? ଏହି ମୂଳ ପ୍ରଶ୍ନର ଉତ୍ତର ପୋଲିସ ପାଖରେ ବି ନାହିଁ । ଛାତ୍ରୀଙ୍କ ପାଖ ପଡ଼ୋଶୀ ନାନା କଥା କହୁଛନ୍ତି, ହେଲେ ପ୍ରମାଣ କାହିଁ? ଅନ୍ୟପକ୍ଷରେ ଝିଅର ବାପା ଜଣେ ଧନୀ ଲୋକ ଓ ବିଜେପିରେ ତାଙ୍କର ଭଲ ଦବଦବା ରହିଛି । ସାଂସଦ ବୈଜୟନ୍ତଙ୍କର କାଳେ ସେ ଭୋଟ ଯୋଗାଡ଼କାରୀ । ତେଣୁ ପୋଲିସର ତଦନ୍ତ ଉପରେ ଅନେକ ପ୍ରଶ୍ନ ଉଠୁଛି । ଏସବୁକୁ ନେଇ ଏବେ ଅଭିଯୁକ୍ତଙ୍କ ଗାଁ ଲୋକେ ଏବେ ଗାଁ ପୁଅ ସପକ୍ଷରେ ବାହାରିବାକୁ ଅଣ୍ଟା ଭିଡ଼ିଛନ୍ତି । ଯଦି ପ୍ରମୋଦ ଦୋଷୀ ତେବେ ପ୍ରମାଣ ଦେଖାନ୍ତୁ । ଯଦି ଦୋଷି ନୁହେଁ, ତେବେ ତାଙ୍କୁ ଅଯଥାରେ କାହିଁକି ହଇରାଣ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଦେଖାଯାଉ ପୋଲିସ ବିଜେପି ଏମପିଙ୍କ ଚାପରେ ତଦନ୍ତକୁ ଦିଗହରା କରୁଛି ନା ବାସ୍ତବ ସତକୁ ପଦାକୁ ଆଣୁଛି?


State

ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ : ଏଫଏମ ଛାତ୍ରୀ ଘଟଣା

Blog Thumbnail

ଦ କୁଇଭର ବ୍ୟୁରୋ :- ସତ ଖୋଲିବେ ସିକ୍ୟୁରିଟି ଗାର୍ଡ । କ୍ରାଇମବ୍ରାଞ୍ଚ ର ତଦନ୍ତର ସମ୍ମୁଖୀନ ହେଲେ ଏଫ୍ ଏମ କଲେଜର ସିକ୍ୟୁରିଟି ଗାର୍ଡ । କଲେଜ୍ ଫାଷ୍ଟ ଗେଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଝାଳ ବୁହା ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ । ଘଟଣା ଦିନ କେତେବେଳେ କାର୍ଯ୍ୟରେ ଯୋଗ ଦେଇଥିଲେ ସିକ୍ୟୁରିଟି ଗାର୍ଡ ।ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସ କୁ ପଶିଲେ । ଛାତ୍ରୀ ଙ୍କ ସାଙ୍ଗରେ କିଏ କିଏ ଥିଲେ । କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ । କେତେ ଜଣ ଅଣଛାତ୍ର ଘଟଣା ଦିନ କ୍ୟାମ୍ପସ ମଧ୍ୟରେ ଥିଲେ । ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ ।ଏସବୁ ବିଷୟକୁ ନେଇ ବହୁ ସମୟଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । ମେଇନ ଗେଟ୍ ସହ , ପ୍ରିଂସିପାଲ୍ ଚ୍ୟମ୍ବର ଓ କ୍ୟାମ୍ପସ ରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡ ଆଜି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି ।

State

ବ୍ରହ୍ମପୁରରେ ଧର୍ମେନ୍ଦ୍ର ପ୍ରଧାନ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବ୍ରହ୍ମପୁରରେ ପହଞ୍ଚିବା ପରେ ପ୍ରଥମେ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ମାଙ୍କୁ ଦର୍ଶନ କରିବା ସହ ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମନ୍ଦିରରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ । ଏହାପରେ ମନ୍ଦିରର ପୂଜକ ମାନଙ୍କ ସହ ମନ୍ଦିରର କାର୍ଯ୍ୟକୁ ନେଇ ଆଲୋଚନା କରିଥିଲେ । ଦୀର୍ଘ ଦିନ ପରେ ମାଁ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରି ବେଶ ଆତ୍ମତୃପ୍ତି ଲାଗିଛି ।ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ବେଶ ଜୋରସୋରରେ ଚାଲିଛି । ମନ୍ଦିରର କାର୍ଯ୍ୟ ଶେଷ ହେବା ପରେ ମନ୍ଦିରର ନୂଆ ରୂପ ଦେଖିବା ନିମନ୍ତେ ଭକ୍ତଙ୍କ ଆହୁରି ଭିଡ଼ ଲାଗିବ । ରାଜ୍ୟ ସରକାର ମଧ୍ୟ ମନ୍ଦିରର ଉନ୍ନତି ନିମନ୍ତେ ଆବଶ୍ୟକୀୟ ଅନୁଦାନ ଦେଇଥିବା ବେଳେ ତାହା ବର୍ତମାନ ପ୍ରତିପାଦିତ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ସହ ଜିଲ୍ଲାର ବହୁ ବିଧାୟକ ମାନେ ଉପସ୍ଥିତ ଥିଲେ ।

ବାଇଟ୍- ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ

District,Health & lifestyle,Education,State

୪ ଜିଲ୍ଲାରେ ଖୋଲିବ ମେଡ଼ିକାଲ କଲେଜ

Blog Thumbnail

ଦ କୁଇଭର ବ୍ୟୁରୋ :- କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତର ଦ୍ଵିତୀୟ ଦିନରେ ଏହାର ଉଦଘାଟନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଢେଙ୍କାନାଳ, ଭଦ୍ରକ, ଜଗତସିଂହପୁର ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସ୍ୱାସ୍ଥ୍ୟ ସେବା ପାଇଁ କୋରାପୁଟବାସୀଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ । ଚିକିତ୍ସା ପାଇଁ ଦୂର ଦୁରାନ୍ତ ସହରକୁ ଯାଇ ହଇରାଣ ହେବାକୁ ନପଡେ ସେଥିପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ଏହି ମେଡିକାଲ କଲେଜ ହସ୍ପିଟାଲ ଦ୍ବାରା କୋରାପୁଟ ସମେତ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକମାନେ ମଧ୍ୟ ଉପକୃତ ହେବେ । ଏହି ନୂଆ ହସ୍ପିଟାଲରେ ସବୁପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବର୍ଷ ବର୍ଷ ଧରି ଖାଲି ପଡିଥିବା ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ୧୨ ଟି ସରକାରୀ ମେଡିକାଲ କଲେଜ ଅଛି । ଖୁବଶୀଘ୍ର ଆଉ ୪ଟି ଜିଲ୍ଲା ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ ।"


ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀମାନଙ୍କ ପାଇଁ ବହୁବିଧ ଚିକିତ୍ସା ସୁବିଧା କରାଯାଉଛି । ସି.ଟି ସ୍କାନ, ଡାଏଲିସିସ, ମାମୋଗ୍ରାଫି ପରି ଅତ୍ୟାଧୁନିକ ରୋଗ ନିରୂପଣ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଗୁରୁତର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଅକ୍ସିଜେନ ପ୍ଲାଣ୍ଟ ବସାଯାଉଛି । ହସ୍ପିଟାଲ ସଂଲଗ୍ନ ୨ ଏକର ପରିମିତ ଜାଗାରେ କ୍ୟାନ୍ସର ଚିକିତ୍ସା ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଉଛି । ସରକାର ପ୍ରାୟ ୪୧ କୋଟି ୧୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି ।


ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟ କରୁଛି । ରାଜ୍ୟର ୩ କୋଟି ୪୬ ଲକ୍ଷ ଅର୍ଥାତ ୮୦ ପ୍ରତିଶତ ଲୋକ ଉପକୃତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଯୋଜନାରେ ରାଜ୍ୟର ପ୍ରାୟ ୩ ଲକ୍ଷ ୯୧ ହଜାର ହିତାଧିକାରୀମାନଙ୍କ ପାଇଁ ୯୦୦ କୋଟି ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି । ୭୦ ବର୍ଷରୁ ଉର୍ଦ୍ଧ୍ୱ ୮୬୪୪ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୩୫ କୋଟି ୬୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି lମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ନିରନ୍ତର ବିକାଶ ଧାରାରେ କୋରାପୁଟ ଜିଲ୍ଲା ସାମିଲ ହୋଇଛି । ରାଜ୍ୟର ଜନସାଧାରଣଙ୍କ ସହିତ ଆମ କୋରାପୁଟବାସୀ ମଧ୍ୟ ଦେଶର ବଡ଼ ବଡ଼ ସହରରେ ଥ‌ିବା ପ୍ରାୟ ୨୯ ହଜାରରୁ ଉର୍ଦ୍ଧ୍ୱ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟ ସେବା ପାଉଛନ୍ତି । ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କୋରାପୁଟ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ୩ ଲକ୍ଷ ୫୪୭ ଟି କାର୍ଡ ବଣ୍ଟନ କରାଯାଇଛି । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅଧୀନରେ ୯ ହଜାର ୬ ଜଣ ହିତାଧିକାରୀ ପଂଜୀକୃତ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ୪ଟି ବେସରକାରୀ ହସ୍ପିଟାଲକୁ AB PMJAY–GJAY ଅନ୍ତର୍ଗତ ଅନୁମୋଦନ ମିଳିଛି, ଯେଉଁଠି ଲୋକେ କ୍ୟାସଲେସ ଚିକିତ୍ସା ସୁବିଧା ପାଉଛନ୍ତି ।"ମାତ୍ର ଏକ ବର୍ଷର ସରକାରରେ ଅନେକ କିଛି କାର୍ଯ୍ୟ ହୋଇଛି ସବୁ କ୍ଷେତ୍ରରେ । ଏହି କାର୍ଯ୍ୟ ଆହୁରି ଅଧିକ ଗତିରେ ତ୍ୱରାନ୍ୱିତ ହେବ । ଆମ ସରକାର ହେଉଛି ଲୋକଙ୍କ ସରକାର । ୨୦୩୬ ମସିହାରେ ସମୃଦ୍ଧ ଓଡ଼ିଶା ଗଠନ ସହ ୨୦୪୭ ମସିହା ବେଳକୁ ବିକଶିତ ଭାରତ ଗଠନରେ ଓଡ଼ିଶାକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବା ପାଇଁ ଆମ ସରକାର ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷି, ଶିଳ୍ପ, ନୂଆ ରୋଜଗାର ସୁବିଧା ସୃଷ୍ଟି, ନିରନ୍ତର ଆର୍ଥିକ ବିକାଶ ଆଦି କ୍ଷେତ୍ରରେ ସାରା ଓଡ଼ିଶାରେ ନୂଆ ଯୁଗର ଆରମ୍ଭ ହୋଇଛି । ଏ ସବୁଥିରେ କୋରାପୁଟ ଜିଲ୍ଲାକୁ ସାମିଲ କରାଯାଇଛି । ତେଵେ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ମଂଚାସୀନ ଥିବା ବେଳେ ସମାରୋହରେ ଅନୁଷ୍ଠାନିକ ସ୍ୱାଗତ ଭାଷଣ, କୋରାପୁଟ ବିଧାୟକ ରଘୁରାମ ମାଛ ଦେଇଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

State

ରାକ୍ଷୀରେ ୧ କୋଟି ମହିଳା ପାଇଲେ ସୁଭଦ୍ରା ତୃତୀୟ କିସ୍ତି

Blog Thumbnail

ଦ କୁଇଭର ବ୍ୟୁରୋ :- କୋରାପୁଟ ଜୟପୁରରୁ ସାରା ଓଡ଼ିଶାର ସୁଭଦ୍ରା ହିତାଧିକାରୀଙ୍କୁ ୩ୟ କିସ୍ତି ବାବଦକୁ ୫ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ମୋହନ ସରକାର । ଏହାସହ ମହିଳା ସଶକ୍ତିକରଣକୁ ପୂର୍ବ ସରକାର କେବଳ ସ୍ଲୋଗାନରେ ସୀମିତ ରଖିଥିବା ଘେରି ବିଜେଡିକୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରି ସୁଭଦ୍ରା ସଫଳତାର ବାର୍ତ୍ତା ଦେଇଛନ୍ତି ମୋହନ । କୋରାପୁଟ ଜୟପୁରରେ ମହିଳାଙ୍କୁ ରାଖୀ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଏକକାଳୀନ ୧ କୋଟି ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ୫ ହଜାର ଟଙ୍କା । କୋଟିଆରେ ଆଦୌ ସୁଭଦ୍ରା ସହାୟତା ପାଇନଥିବା ହିତାଧିକାରୀଙ୍କୁ ଏକକାଳୀନ ମିଳିଛି ୩ଟି କିସ୍ତିର ଟଙ୍କା । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା ମାନଙ୍କ ସ୍ବପ୍ନ ପୂରଣର ନୂଆ ମାଧ୍ୟମ ସାଜିଛି ସୁଭଦ୍ରା । ମହିଳା ସଶକ୍ତିକରଣକୁ ସ୍ଲୋଗାନରେ ସୀମିତ ନରଖି ମା ମାନଙ୍କୁ ସ୍ବାବଲମ୍ବୀ କରୁଛି ସୁଭଦ୍ରା । ଯାହାର ସବୁଠୁ ବଡ ପ୍ରମାଣ, ୧୭ ଲକ୍ଷ ଲକ୍ଷପତି ଦିଦି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିଛି ସୁଭଦ୍ରା । ସୁଭଦ୍ରାର ୩ୟ କିସ୍ତି ସହାୟତା ରାଶି ପ୍ରଦାନ ଭିତରେ ତେଜିଛି ରାଜନୀତି । ବିରୋଧୀ ବିଜେଡି କହିଛି, ମହିଳାଙ୍କୁ ଠକିଛି ବିଜେପି ସରକାର । ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ ସହ ପ୍ରଥମ ୨ଟି କିସ୍ତିରେ ଟଙ୍କା ପାଇନଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସୁଭଦ୍ରା ହିତାଧିକାରୀ ।

Education,Health & lifestyle,State

ନିର୍ଯାତନା ସହିନପାରି ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା

Blog Thumbnail

ଦ କୁଇଭର ବ୍ୟୁରୋ :- ନବରଙ୍ଗପୁରରେ ନର୍ସିଂ ଛାତ୍ରୀଙ୍କ ବିଷ ପିଇବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ । ଏମ୍ସରେ ଆଖିବୁଜିଲେ ଛାତ୍ରୀ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଥିଲେ ଥିଲେ । ଶାରୀରିକ ଓ ମାନସିକ ନିର୍ଯାତନା ସହିନପାରି ବିଷ ପିଇଥିଲେ ଛାତ୍ରୀ । ରାଇଘର ଡୁମୁରିମୁଣ୍ଡା ଅଞ୍ଚଳର ଝିଅ କଳ୍ପନା ରାୟ, ଜୟପୁରଠାରେ ଏକ କଲେଜରେ ବିଏସସି ନର୍ସିଂ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ହଷ୍ଟେଲ ରହି ପାଠ ପଢୁଥିଲେ, ଝିଅର ପୋଡ଼ଶୀ ଗ୍ରାମର ପୁଅ ସତ୍ୟଜିତ ସରକାର କୃଷି ବିଜ୍ଞାନ ଛାତ୍ର ପୀଡିତା ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ପୀଡିତାଙ୍କୁ ଏଥିପାଈଁ ବାରମ୍ବାର ହଇରାଣ କରୁଥିଲେ । ଗତ ଜୁଲାଇ ୧୩ ତାରିଖ ଦିନ ଜୟପୁର ସହରରେ ଛାତ୍ରୀ ଜଣକ ବଜାରକୁ ସଉଦା କିଣିବାକୁ ଯାଇଥିବା ବେଳେ ଏକ ତରଫା ପ୍ରେମ କରୁଥିବା ସତ୍ୟଜିତ ବିଚ ବଜାରରେ ଛାତ୍ରୀଙ୍କୁ ମାରପିଟ କରିଥିଲେ । ସତ୍ୟଜିତ ଛାତ୍ରୀଙ୍କୁ ଏତେ ମାଡ଼ ମାରିଥିଲେ ଯେ ପୀଡ଼ିତା ଛାତ୍ରୀଙ୍କ ଆଖି ଓ ମୁହଁ ଫୁଲି ଯାଇଥିଲା । ଯାହା ଜୟପୁର ଟାଉନ ଥାନା ପର୍ୟ୍ୟନ୍ତ କଥା ଗଲା କିନ୍ତୁ ପୁଲିସ ଉଭୟଙ୍କୁ ବୁଝାସୁଝା କରି ଛାଡିଦେଇ ଥିଲେ । ୧୫ ଜୁଲାଇରେ ଜୟପୁର ଟାଉନ ଥାନାରେ ପୀଡିତା ନିଜ ତରଫରୁ ଏକ ଏଫଆଇଆର ଦେଇଥିଲେ ଓ ନିଜ ଅଭିଭାବକଙ୍କ ସହ ଘରକୁ ଫେରି ଆସିଥିଲେ । ଜୟପୁର ପୁଲିସ କିନ୍ତୁ ଘଟଣାକୁ ଅତି ହାଲକାରେ ନେଇଥିଲେ ସତ୍ୟଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଅନ୍ୟ ପଟେ ସତ୍ୟଜିତ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ । ଏଥିରେ ପୀଡିତା ଲୋକଲଜ୍ଜ୍ୟା ସହିନପାରି ୧୭ ଜୁଲାଇରେ ଘରେ ଥିବା ଘାସମରା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।


ଘର ଲୋକ ଘାସମରା ବିଷ ଖାଇବା ଜାଣି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, କୋଣ୍ଡାଗାଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ରାୟପୁର ନେଇଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ହେବା ଯୋଗୁଁ ୨୧ ଜୁଲାଇରେ ଚିକିତ୍ସାଳୟ ପକ୍ଷରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ପୀଡିତାଙ୍କ ପରିବାର ଘରକୁ ନେଇ ଆସିଥିଲେ। ପରେ ଉମରକୋଟ ମେଡ଼ିକାଲ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ଘଟିଛି । ଅପରପକ୍ଷରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସତ୍ୟଜିତ ସରକାର ଓ ଫଟୋ ଭାଇରାଲ କରିଥିବା ତାଙ୍କ ବନ୍ଧୁଙ୍କୁ ପୁଲିସ ଗିରଫ କରିଛି ।

International,National

ଟ୍ରମ୍ପଙ୍କ ଟାରିଫ୍ ମାଡ଼ର ପ୍ରଭାବ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତ ଉପରେ ଟ୍ରମ୍ପ ଶୁଳ୍କର ପ୍ରଭାବ ପଡିବା ଆରମ୍ଭ କରିଛି । ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଏହା ଫଳରେ ଭାରତ ଉପରେ ଏହାର ଗଭୀର ପ୍ରଭାବ ପଡିବା ଆଶଙ୍କା ସୃଷ୍ଟି ହେଲାଣି । ବିଶେଷକରି କପଡା ରପ୍ତାନୀ ଭୟଙ୍କର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆଉ ଦୁଇଦିନ ମଧ୍ୟରେ ଏହାର ପ୍ରଭାବ ବି ଦେଖିବାକୁ ମିଳିଲାଣି । ଆମେରିକା ୭ ଅଗଷ୍ଟରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି ଏବଂ ୨୭ ଅଗଷ୍ଟରୁ ୨୫% ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି କହିଛି । ଭାରତ ଉପରେ ଏହି ଶୁଳ୍କ ଲାଗୁ ହେବା ସହିତ, ରପ୍ତାନିରେ ହ୍ରାସ ହେବାର ସମ୍ଭାବନା ଅଛି, ଭାରତରୁ ଆମେରିକା ଯାଉଥିବା ସାମଗ୍ରୀର ମୂଲ୍ୟକୁ ମଧ୍ୟ ଏହା ପ୍ରଭାବିତ କରିପାରେ । ଫଳରେ ଆମେରିକାରେ ବିକ୍ରି ହେଉଥିବା ଭାରତୀୟ ଉତ୍ପାଦନ ଗୁଡ଼ିକର ମୂଲ୍ୟବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଛି ।


ତାମିଲନାଡୁର କିଛି କପଡା କମ୍ପାନୀରେ ଉତ୍ପାଦନ ବନ୍ଦ

ତିରିପୁରର କିଛି କମ୍ପାନୀରେ ଉତ୍ପାଦନ ବନ୍ଦ,ଅନ୍ୟ କମ୍ପାନୀ ଉତ୍ପାଦନ ବନ୍ଦ ବିକଳ୍ପ ଉପରେ ବିଚାର କରୁଛନ୍ତି,ଅର୍ଡରର କ୍ରିୟାନ୍ୱୟନ ଉପରେ ବି ରୋକ,କପଡା ଶିଳ୍ପ ଅପେକ୍ଷା କରିବା ସ୍ଥିତିରେ ଅଛନ୍ତି,ଦେଖ ଓ ଅପେକ୍ଷା କର ସ୍ଥିତିରେ ଅଛନ୍ତି କପଡା କମ୍ପାନୀ,ବ୍ରିଟେନ ବଜାର ଉପରେ ଆଖି ରଖିଛନ୍ତି ତାମିଲନାଡୁ କମ୍ପାନୀ ନିକଟରେ ଭାରତ-ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇଛି l ତିରିପୁର ଭାରତର ପ୍ରମୁଖ ଟେକ୍ସଟାଇଲ ହବ୍,ଏଠାରୁ ପ୍ରତ୍ୟେକ ବର୍ଷ ୪୫ ହଜାର କୋଟି ଟଙ୍କାର ରପ୍ତାନୀ ହୋଇଥାଏ,ଏଥିରୁ ୩୦ % ଅର୍ଥାତ ୧୨ହଜାର କୋଟି ଆମେରିକାକୁ ଯାଇଥାଏ l ଆମେରିକାର ରିଟେଲ ବିକ୍ରେତା ଭାରତରୁ ଆସୁଥିବା ଅର୍ଡରଗୁଡିକୁ ସ୍ଥିଗତ ରଖିଛନ୍ତି,ଭାରତୀୟ ରପ୍ତାନୀକାରୀଙ୍କୁ ଇ-ମେଲ ଆସିଛି l ରପ୍ତାନୀ ବନ୍ଦ ହେବା ଫଳରେ ବାଣିଜ୍ୟରେ ୪୦ରୁ ୫୦% ହ୍ରାସ ପାଇପାରେ l

State

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ : ମାମଲା ଉପର କୋର୍ଟକୁ ଗଲା

Blog Thumbnail

ଗୋପାଳପୁର ( ଦ କୁଇଭର ):- ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାର ବିଚାରଣା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବର୍ତ୍ତମାନ ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ) ରିତିକା ଜେନାଙ୍କ କୋର୍ଟରେ କମିଟ୍‌ମେଣ୍ଟ୍‌ ପରେ ବିଚାରଣା ପାଇଁ ଜିଲ୍ଲା ଦୌରାଜଜ୍‌ କୋର୍ଟକୁ ମାମଲା ସ୍ଥାନାନ୍ତର କରାଯାଇଛି। କିଛିଦିନ ମଧ୍ୟରେ ମାମଲାର ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ଚାର୍ଜଫ୍ରେମ୍‌ କରାଯିବ। ଏହାପରେ ବିଚାରଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେହିପରି ଚାର୍ଜସିଟ୍‌ରୁ ବାଦ୍‌ ପଡ଼ିଥିବା ଅଭିଯୁକ୍ତର ନାଁ ମାମଲାରୁ କାଟିବା ପାଇଁ ଦାଖଲ ହୋଇଥିବା ଡିସ୍‌ଚାର୍ଜ ପିଟିସନ୍‌କୁ ଜେଏମ୍‌ଏଫ୍‌ସି ଖାରଜ କରିଛନ୍ତି। ଏହି ପିଟିସନ୍‌ର ଶୁଣାଣି ବେଳେ ଜେଏମ୍‌ଏଫ୍‌ସି କୋର୍ଟର ଏପିପି ଆଲୋକ କଦମ ମାମଲାରୁ ଅଭିଯୁକ୍ତର ନାଁ କାଟିବାକୁ ଦୃଢ଼ ବିରୋଧ କରିବା ସହିତ ବଳି‌ଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ଏଣୁ ସେହି ପିଟିସନ୍‌ ଖାରଜ ହୋଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଗତ ଜୁନ୍ ୧୫ ତାରିଖ ସଂଧ୍ୟାରେ ଜଣେ ଯୁକ୍ତତିନି ଶେଷବର୍ଷ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଗଣଦୁଷ୍କର୍ମ ହୋଇଥିଲା। ଏହି ଘଟଣାରେ ଗୋପାଳପୁର ଥାନା ପୁଲିସ ଘଟଣା ରାତିରେ ହିଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ଜଣ ଯୁବକଙ୍କୁ ଧରିଥିଲା। ପରବର୍ତ୍ତୀ ସମୟରେ ପୁଲିସ ଅନ୍ୟ ୪ଜଣ ନାବାଳକଙ୍କୁ ମଧ୍ୟ କାବୁ କରିଥିଲା। ୧୭ତାରିଖରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ୫ଜଣ ଯୁବକ ଓ ୪ଜଣ ନାବାଳକଙ୍କ ବିରୋଧରେ ଜୁଲାଇ ୨୮ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ଜଣେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇ ନଥିଲା।

State

ବନବିଭାଗ ପକ୍ଷରୁ ଅଜଗର ସାପ ଉଦ୍ଧାର

Blog Thumbnail

ମାଲକାନଗିରି(ଦ କୁଇଭର):-ମାଲକାନଗିରି ବନାଞ୍ଚଳ ଅଧିନସ୍ଥ ଏମଭି-୧୧ ଗ୍ରାମରୁ ବନକର୍ମଚାରୀ ଏବଂ ସାପ ଉଦ୍ଧାରକାରୀ ଦଳଙ୍କ ଉଦ୍ୟମରେ ଏକ ଅଜଗର ସର୍ପକୁ ଉଦ୍ଧାର କରାଯାଇଛି। ଗତ କାଲି ସନ୍ଧ୍ୟାରେ ମାଲକାନଗିରି ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଏମଭି-୧୧ ଗ୍ରାମର ଜଣେ କୁକୁଡ଼ା ପାଳନ କରୁଥିବା ବ୍ୟକ୍ତି ଘରେ ଅଜଗର ସାପଟି କୁକୁଡ଼ା ଖାଇବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲା। ଏହି ଅଜଗର ସାପକୁ ଉଦ୍ଧାର କରିବା ପାଇଁ ଜନୈକ ବ୍ୟକ୍ତି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କୁ ଫୋନ୍ ମାଧ୍ୟମରେ ଜଣାଇବା ପରେ ବନପାଳ ମନତୋଷ ଦେଙ୍କ ନେତୃତ୍ୱରେ ଏମଭି-୧୧ ଗ୍ରାମରକୁ ଯାଇ ଅଜଗର ସାପକୁ ଗତ କାଲି ସନ୍ଧ୍ୟା ୮ ଘଟିକା ସମୟରେ

ଉଦ୍ଧାର କରାଯାଇଥିଲା।ସାପଧରାଳୀ ଡମ୍ବରୁ ହନ୍ତାଳ ଅଜଗରଟିକୁ ସୁରକ୍ଷିତ ଭାବେ କାବୁ କରି ଯନ୍ତାରେ ଆବଦ୍ଧ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଏହାକୁ ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କଲାପରେ ପରେ ଆଜି ଉକ୍ତ ଅଜଗରକୁ ଜଙ୍ଗଲରେ ମୁକ୍ତ କରାଯିବ ବୋଲି ଜଣା ପଡିଛି।ଏହି ଅଜଗର ଟି ୨୦ କେଜି ଓଜନ ହେବ ଏବଂ ଲମ୍ବ ପ୍ରାୟ ୮ ଫୁଟ ହେବ ବୋଲି କୁହାଯାଇଛି।

Shree Jagannath

ଆଜି ରକ୍ଷା ବନ୍ଧନ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ପବିତ୍ର ରାଖି ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ । ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିବ ଭଉଣୀ । ସବୁ ଦିନ ପାଇଁ ଭାଇ ପାଖରୁ ସୁରକ୍ଷା ଲୋଡିବ । ଧାର୍ମିକ ପରମ୍ପରା ଓ ରୀତିନୀତିରେ ଏହି ରକ୍ଷା ବନ୍ଧନ ସାରା ଦେଶରେ ଧୁମଧାମରେ ପାଳିତ ହେଉଛି । ଶ୍ରୀମନ୍ଦିରରେ ମଧ୍ୟ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମୋତ୍ସ ନୀତି ପାଳିତ ହେବ । ସକାଳୁ ପ୍ରଭୁଙ୍କର ଦ୍ବାରଫିଟା, ମଙ୍ଗଳ ଆଳତୀ, ଅବକାଶ ନୀତି, ଭୋଗମଣ୍ଡପ, ସର୍ବାଙ୍ଗ ନୀତି ପରେ ରାଖି ଲାଗି ହେବ । ସେହିପରି ସନ୍ଧ୍ୟାଧୁପ ପରେ ବଳଭଦ୍ର ଜନ୍ମ ନୀତି ଅନୁଷ୍ଠିତ ହେବ ।

City,District,State

ବ୍ରହ୍ମପୁରରେ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା

Blog Thumbnail

ବ୍ରହ୍ମପୁର( ଦ କୁଇଭର ) ବ୍ରହ୍ମପୁର ବିଜେପି ପକ୍ଷରୁ ଆଜି ଆୟୋଜିତ ହୋଇଛି ତ୍ରିରଙ୍ଗା ଶୋଭାଯାତ୍ରା । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ । ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅନ୍ୟ ଅତିଥି ମାନେ ସହରର ରାମଲିଙ୍ଗମ ପୋଖରୀ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ । ଏହାପରେ ରାମଲିଙ୍ଗମ ପୋଖରୀରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ପିଭିଏନ ରାଓ ପେଟ୍ରୋଲ ପମ୍ପ ଛକରେ ପହଞ୍ଚିଥିଲା । ସେଠାରେ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆଜି ହେଉଛି ଏକ ପବିତ୍ର ଦିନ । ଆଜିର ଦିନ ୧୯୪୨ ମସିହାରେ ଇଂରାଜୀ ମାନଙ୍କୁ ଭାରତ ଛାଡ଼ି ଯିବା ପାଇଁ ଏକ ନିର୍ଣ୍ଣାୟକ ଆହ୍ବାନ କରାଯାଇଥିଲା ତତ୍କାଳୀନ ରାଷ୍ଟ୍ରୀୟ ନେତୃତ୍ୱଙ୍କ ଦ୍ବାରା । ତେଣୁ ଆଜିର ଦିନକୁ କ୍ରାନ୍ତୀ ଦିବସ ଭାବେ ପାଳନ କରାଯାଉଛି । ଆଉଥରେ ଭାରତକୁ ସାରା ଦେଶରେ ଏକ ନମ୍ବର କରିବା ପାଇଁ ସମସ୍ତଙ୍କୁ ଏକତ୍ରିତ କରିବାକୁ ପଡ଼ିବ । ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପାଇଁ ତ୍ରିରଙ୍ଗା ଯାତ୍ରାର ଆବଶ୍ୟକତା ରହିଛି । ଭାରତ ନିଜର ଅର୍ଥନୀତିକୁ, ନିଜର ଲୋକଙ୍କୁ, ନିଜର ଯୁବକ ମାନଙ୍କୁ ସୁରକ୍ଷିତ କରିବା ପାଇଁ ଆଉ ଏକ ଆନ୍ଦୋଳନର ଆବଶ୍ୟକ ରହିଛି ଓ ଆଉ ଏକ ସ୍ବଦେଶୀ ଆନ୍ଦୋଳନର ଆବଶ୍ୟକତା ରହିଛି । ତେଣୁ ସମସ୍ତ ଭାରତୀୟଙ୍କ ମଧ୍ୟରେ ଦେଶ ପ୍ରତି ଭଲପାଇବା ବଢ଼ାଇବା ନିମନ୍ତେ ଏହି ତ୍ରିରଙ୍ଗା ଯାତ୍ରା । ତ୍ରିରଙ୍ଗା ଯାତ୍ରାରେ କେବଳ ବିଜେପି କର୍ମୀ ନୁହେଁ ବରଂ ସହରବାସୀ ସ୍ବତଃ ପ୍ରବୃତ୍ତ ଭାବେ ଯୋଗ ଦେଇ ଦେଶ ପ୍ରତି ଥିବା ନିଜର ଭଲପାଇବାକୁ ଦେଖାଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ବହୁ ବିଧାୟକ ଓ ବିଜେପି କର୍ମୀ, ସହରବାସୀ ସାମିଲ ହୋଇଥିଲେ ।


Crime,State

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ, ଗିରଫ ହେଲେ ବୟଫ୍ରେଣ୍ଡ

Blog Thumbnail

ଦ କୁଇଭର ବ୍ୟୁରୋ :- ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ । ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୋଲିସ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ଗିରଫ କରିଥିବା ଏସି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି । ଗତକାଲି ମୃତ ଛାତ୍ରୀଙ୍କ ବାପା ଥାନାରେ FIR କରିଥିଲେ । ପୁରୁଷ ବନ୍ଧୁଙ୍କ ନାଁରେ ଲାଗିଛି ସଙ୍ଗୀନ ଦଫା ।ସେପଟେ ପାଲଟା ଅଭିଯୋଗ ଆଣିଛନ୍ତି ପୁରୁଷ ବନ୍ଧୁ ପ୍ରମୋଦଙ୍କ ମାଆ ଓ ଭଉଣୀ । ଛାତ୍ରୀଙ୍କ ମୃତ୍ୟୁରେ ତାଙ୍କ ପରିବାରର ହାତ ଥିବା ଅଭିଯୋଗ କରିଛନ୍ତି। କାନ୍ଦି କାନ୍ଦି କହିଛନ୍ତି ମୋ ଭାଇର କିଛି ଦୋଷ ନାହିଁ, ତାକୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ଭଉଣୀ । ବିନା ଦୋଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପରିବାର ଲୋକେ ସମୂହ ଜୀବନ ହାରି ଦେବେ ବୋଲି କହିଛନ୍ତି । ପ୍ରତିବାଦରେ ଥାନା ଆଗରେ ପୁରୁଷବନ୍ଧୁଙ୍କ ପରିବାର ଓ ଗ୍ରାମବାସୀ ଧାରଣା ଦେଇଛନ୍ତି ।

State,Crime

ଯୌତୁକ ପାଇଁ ନବ ବଧୂକୁ ହତ୍ୟା

Blog Thumbnail

ଦ କୁଇଭର ବ୍ୟୁରୋ :- ବାହାଘରକୁ ବରଷେ ପୂରିନି କବରକୁ ଗଲା ଆଉ ଜଣେ ନବବଧୂ । ଝିଅଟି ଯୁବକଙ୍କ ହାତ ଧରି ଘରୁ ଲୁଚି ପଳାଇ ଆସିଥିଲା। ପରେ ଉଭୟ ଘର ଲୋକଙ୍କ ସହମତିରେ ବାହାଘର ହୋଇଥିଲା । ବାହାଘର ସିନା ହୋଇଗଲା ହେଲେ ଗଲାନି ଯୋତୁକ ଦୁଃଖ । କେତେ ସ୍ବପ୍ନ ନେଇ ସ୍ବାମୀ ହାତ ଧରି ସଂସାର କରିବେ ବୋଲି ଭାବିଥିଲେ । ହେଲେ ଝିଅଟିର ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର୍ ହୋଇଗଲା । ବାହାଘରର କିଛି ଦିନ ଠିକ୍ ଠାକ୍ ଚାଲିଥିବା ବେଳେ ତା’ପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ଯାହା ପରବର୍ତ୍ତି ସମୟରେ ନେଇଥିଲା ଭୟଙ୍କର ରୂପ । ଯୌତୁକ ପାଇଁ ଝିଅର ଜୀବନ ନେଇଯାଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ବାପା ମା’।


ବେଗୁନିଆ ଶରଧାପୁର ଗାଁର ଶେଖ ସଲିମଙ୍କ ପୁଅ ସବିର୍ ଖାନ୍ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଧୁଷୁରୀ ଥାନାର ଗୋଡିପୋଖରି ଗାଁର କାଦିର୍ ଖାନ୍ ଙ୍କ ଗୋଟିଏ ବୋଲି ଝିଅ ଦଶମ ଶ୍ରେଣୀରେ ପଢୁଥିବା ରୁହାନାକୁ ରାତାରାତି ଉଠାଇ ଆଣିଥିଲା । ରୁହାନାଙ୍କୁ ସେତେବେଳେ ୧୫ ବର୍ଷ ହୋଇଥିଲା । ସେତେବେଳେ ରୁହାନା ପରିବାର ତରଫରୁ ଧୁଷୁରୀ ଥାନାରେ ନାବାଳିକା ଅପହରଣ ଜନିତ ଅଭିଯୋଗ ହୋଇଥିଲା । ପରବର୍ତ୍ତି ସମୟରେ ପରିବାର ଲୋକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଶରଧାପୁର ଗାଁରେ ଥିବା ଖବର ପାଇ ଏବଂ ଝିଅ ରୁହାନା ସବିରଙ୍କୁ ଭଲ ପାଇ ନିଜ ଇଚ୍ଛାରେ ପଳାଇ ଆସିଥିବା କହିବା ପରେ ଉଭୟ ପରିବାର ଲୋକ କିଛି ସମ୍ପର୍କୀୟଙ୍କ ସହାୟତାରେ ଉଭୟଙ୍କ ବିବାହ ଲୁଚାଇ କରିଦେଇଥିଲେ । ଏହା ଭିତରେ ନଅ ମାସ ବିତିଯାଇଥିବା ବେଳେ ସ୍ଵାମି ସବିର୍ ସ୍ତ୍ରୀ ରୁହାନା ଉପରେ ଯୌତୁକ ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ତେବେ ରୁହାନା ଗତକାଲି ଏସବୁ ଚାପ ସହି ନ ପାରି ସଂନ୍ଧ୍ୟାରେ ଘର ଲୋକଙ୍କୁ ଫୋନ କରି ଜଣାଇଥିଲା ପରେ ତାଙ୍କ ସ୍ବାମୀ ମୋବାଇଲ ଛଡ଼ାଇ ନେଇଥିଲେ । ତା କିଛି ସମୟ ପରେ ଏହି ଅଘଟଣ ଘଟିଥିଲା । ରୁହାନାର ଜୀବନ ଚାଲିଯାଇଛି ବୋଲି ଶାଶୂଘର ଲୋକେ ଫୋନ କରି ତାଙ୍କ ଘରକୁ ଜଣାଇଥିଲେ ।ଗତ ନଭେମ୍ବର ମାସରେ ରୁହାନାର ବିବାହ ହୋଇଥିଲା । ସବିର ଭିଣୋଇଙ୍କ ଦୋକାନରେ କାମ କରୁଥିବା ବେଳେ ସେଠାରେ ରୁହାନାଙ୍କ ସହ ପ୍ରେମ ହୋଇଥିଲା । ହେଲେ ବାହାଘରକୁ ବରଷେ ନ ପୂରୁଣୁ ମୃତ୍ୟୁ ଶଯ୍ୟାରେ ଶୋଇଗଲେ ରୁହାନା । ଗତକାଲି ସଂନ୍ଧ୍ଯାରେ ପୋଲିସ ଖବର ପାଇବା ପରେ ନବ ବିବାହିତାର ଶବ ଜବତ କରିଥିଲା । ପରେ ସ୍ଵାମୀ ସବିରକୁ ଅଟକ ରଖି ରୁହାନା ପରିବାରକୁ ଡକାଇବା ସହିତ ସେମାନେ ଆଜି ଆସି ପହଁଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

State

ଆଜି ଆସିବ ସୁଭଦ୍ରା ଟଙ୍କା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ଆସିବ ସୁଭଦ୍ରା ତୃତୀୟ କିସ୍ତି । ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟିବେ । ପରେ ସମସ୍ତ ଆକାଉଣ୍ଟକୁ ଟଙ୍କା ଯିବ । ଆଜି ଏକକାଳୀନ ୧ କୋଟି ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା । ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏପର୍ଯ୍ୟନ୍ତ ୨ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଛନ୍ତି । ସେମାନଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ୯୩ ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୂରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ ଏସଏସଇପିଡିକୁ ପଠାଇଛି । ସୂଚନାଯୋଗ୍ୟ ଯେ ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ପ୍ରଥମ କିସ୍ତି ଟଙ୍କା ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ପ୍ରଦାନ କରାଯାଇଥିଲା । ଏହା ପରେ ଚଳିତବର୍ଷ ମହିଳା ଦିବସରେ ଦ୍ବିତୀୟ କିସ୍ତି ଦିଆଯାଇଥିଲା । ପ୍ରତିବର୍ଷ ରାଖୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହି ଆଧାରରେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା ।

Politics,State

ଓଡ଼ିଶାକୁ କରିବେ ଛେଳିମୟ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟେ ବଡ଼ ଯୋଜନା କରିଛନ୍ତି । ଏତେଦିନ ପରେ ଏମିତି ଯୋଜନା ସେ ଆଣିଛନ୍ତି ଯେ, ପୂରା ରାଜ୍ୟର ମହିଳାଙ୍କ ସ୍ଥିତି ବଦଳାଇ ଦେବେ । ମୋହନ ସରକାର ରାଜ୍ୟର ପ୍ରତି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୫ବର୍ଷରେ ୫୦ହଜାର ଟଙ୍କା ପ୍ରଦାନ କରିବେ । ପ୍ରତିବର୍ଷ ୧୦ହଜାର କରି ସରକାର ମହିଳାଙ୍କୁ ଦେଉଛନ୍ତି । ଏହି ଟଙ୍କାରେ ମହିଳାମାନେ ଛେଳି କିଣୁଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତିନିଟି କିସ୍ତି ପାଇଥିବା ମହିଳାମାନେ ୩ଟି ଛେଳି କିଣିଲେଣି । ଆଗକୁ କିସ୍ତି ପାଇଲେ ପୁଣି ଛେଳି କିଣିବେ ବୋଲି ପ୍ରଭାତୀ କହିଛନ୍ତି ।

ପ୍ରଭାତୀଙ୍କ ଯୋଜନାକୁ ଯିବା ପୂର୍ବରୁ ତାଙ୍କ କଥା ଶୁଣିବା ।---

ଶୁଣିଲେ ତ ଉପମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କ ପାଇଁ ବଡ଼ ଯୋଜନା । ମହିଳାମାନେ ଛେଳି କିଣି ସ୍ୱାବଲମ୍ବୀ ହେବେ । ପ୍ରତିବର୍ଷ ୫ହଜାର ଲେଖାଏ ଦୁଇଥର ପାଇବେ, ସେଥିରେ ଛେଳି କିଣି ବ୍ୟବସାୟ କରିବେ । ୫ବର୍ଷରେ ୧୦ଟି ଛେଳି କିଣିଥିବେ ଓ ଏହାର ବ୍ୟବସାୟ ଭଲ ହେବ । କାରଣ ଛେଳିର ବଜାର ଚାହିଦା ବହୁତ ରହିଛି । ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଯୋଜନା ଏବେ ସବୁଠି ଚର୍ଚ୍ଚା । ବିରୋଧୀ ଏହାକୁ ସମାଲୋଚନା କରୁଥିବା ବେଳେ ଏହାର ବାସ୍ତବତା ଯେ ଅନେକ ମହିଳାଙ୍କୁ ସ୍ୱାଲମ୍ବୀ କରିପାରିବ ତାହା ସ୍ପଷ୍ଟ ବୋଲି କେତେକ ଅଭିଜ୍ଞ କହୁଛନ୍ତି । ଦେଖାଯାଉ, ସୁଭଦ୍ରା ଟଙ୍କାରେ କେତେ ମହିଳା କେତେ ଛେଳି କିଣୁଛନ୍ତି ଓ କିଭଳି ଲାଭବାନ ହେଉଛନ୍ତି?


District,Politics

ନବରଂଗପୁରରେ ୧୨ ଘଣ୍ଟା ବନ୍ଦର ଡାକରା ଦେଲା ବିଜେଡି

Blog Thumbnail

ନବରଙ୍ଗପୁର( ଦ କୁଇଭର ):- ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁ ମାମଲାକୁ ବିଜୁ ଜନତା ଦଳ (ବିଜେଡି) ତୀବ୍ର ନିନ୍ଦା କରିଛି। ରାଜ୍ୟ ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ହୋଇଛି ବୋଲି କହିଛି। ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ସୋମବାର ଦିନ ନବରଂଗପୁର ଜିଲ୍ଲାରେ ୧୨ ଘଣ୍ଟା ବନ୍ଦ ଡାକରା ଦେଇଛି। ଫଳରେ ଜରୁରୀକାଳୀନ ସେବା ବ୍ୟତୀତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ନବରଂଗପୁର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇସ୍ତଫା ଦିଅନ୍ତୁ। ତା’ ସହିତ ସରକାର ରାଇଘର ନର୍ସିଂ ପୀଡ଼ିତାଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ। ବିଜେଡି କହିଛି ଯେ, ଯେତେ ଦିନ ପର୍ଯ୍ୟନ୍ତ ଏହି ରାଜ୍ୟର ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ। ନବରଙ୍ଗପୁର ଜିଲ୍ଲାବାସୀ ଏବଂ ରାଇଘରବାସୀଙ୍କୁ ବିଜେଡି ତରଫରୁ ଅନୁରୋଧ କରାଯାଉଛି କି ଆସନ୍ତାକାଲି ୧୨ ଘଣ୍ଟା ବନ୍ଦକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜରୁରୀକାଳୀନ ସେବା ଯେପରିକି ‘ଅଗ୍ନିଶମ ସେବା, ଆମ୍ବୁଲାନ୍ସ୍‌ ସେବା ବନ୍ଦ ହେବ ନାହିଁ। ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଗତମାସ ୧୩ ତାରିଖ ଦିନ ବଜାରକୁ ସଉଦା କିଣିବାକୁ ଯାଇଥିଲେ। ଏହି ସମୟରେ ଏକତରଫା ଭଲ ପାଉଥିବା ଅଭିଯୁକ୍ତ ସତ୍ୟଜିତ ସରକାର ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ରାଜରାସ୍ତାରେ ମାରପିଟ କରିଥିଲାl ଆକ୍ରମଣର ଶିକାର ପୀଡ଼ିତାଙ୍କ ଆଖି ଓ ମୁହଁ ଫୁଲି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେl ପୁଲିସ ସତ୍ୟଜିତକୁ ଅଟକ ରଖି ସର୍ତ୍ତମୂଳକ ଭାବରେ ଛାଡ଼ି ଦେଇଥିଲାl ଏଥିରେ ସେ ପ୍ରତିଶୋଧ ପରାୟଣ ହୋଇ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲା।


ନଜ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ପୀଡିତା ଲୋକାଲଜ୍ୟା ସହି ନପାରି ଜୁଲାଇ ୧୭ ତାରିଖରେ ଘାସମରା ଔଷଧ (ବିଷ) ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେl ଘରଲୋକ ଜାଣିପାରି ତାଙ୍କୁ ଉମରକୋଟ ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋଣ୍ଡାଗାଁ ଓ ପରେ ରାୟପୁରକୁ ନେଇ ଯାଇଥିଲେl କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ସହ ଡାକ୍ତର ହାତ ଟେକି ଦେଇ ଘରକୁ ନେଇ ଯିବାକୁ କହିଥିଲେl ଫଳରେ ଗତ ଜୁଲାଇ ୨୧ରେ ପରିବାର ଲୋକେ ପୀଡିତାଙ୍କୁ ଘରକୁ ନେଇ ଯାଇଥିଲେl ସେହି ଦିନ ଠାରୁ ପୀଡିତା ଘରେ ମରଣ ସହ ସଂଗ୍ରାମ କରି ଆସୁଥିବା ବେଳେ ରାଇଘର ଥାନାରେ ପୀଡିତାଙ୍କ ଦାଦା ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପୀଡିତାଙ୍କ ବୟାନ ନେଇଥିଲା। ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ପୀଡ଼ିତାଙ୍କୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପୁଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

State

ବିଶ୍ୱ ଆଦିବାସୀ ଦିବସରେ ଗର୍ଜୀଲେ ଆଦିବାସୀ

Blog Thumbnail

ମାଲକାନଗିରି( ଦ କୁଇଭର ):- ମାଲକାନଗିରି ଜିଲ୍ଲାର ମୂଳ ନିବାସୀ । ବଣ୍ଡା, ଡିଡାଇ, କୋୟା, ପରଜା ଓ ଦୁରୁଆ ଭଳି ୩୨ ଟି ଜନ ଜାତିର ଆଦିବାସୀ ଲୋକେ ନିଜ ନିଜର ପାରମ୍ପରିକ ବେଶରେ ବିଶାଳ ଶୋଭାଯାତ୍ରା କରିଛନ୍ତି । ହଜାର ହଜାର ଆଦିବାସୀ ଲୋକେ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ମାଲକାନଗିରି ବସଷ୍ଟେଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପରେ ଏହି ଶୋଭାଯାତ୍ରା ଡିଏନକେ ଖେଳ ପଡିଆ ଠାରେ ପହଞ୍ଚି ଥିବା ବେଳେ ସେଠାରେ ଏକ ବିଶାଳ ଆଦିବାସୀ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ଆଦିବାସୀ ମହିଳା ଓ ପୁରୁଷ ମାନେ ନିଜ ନିଜର ପାରମ୍ପାରିକ ନାଚ ଗିତ କରିଛନ୍ତି । ମାଲକାନଗିରି ଜିଲ୍ଲାର ମୂଳ ନିବାସୀ ୩୨ଟି ଜନ ଜାତିର ଲୋକଙ୍କ ବିକାଶ ଲାଗି ସରକାର ପଦକ୍ଷେପ ନେବା ଲାଗି ଦାବି କରିଛନ୍ତି । ଏଥିସହିତ ଜଳ, ଜଙ୍ଗଲ, ଜମି ପାଇଁ ଆଦିବାସୀ ନିଜର ଲଢେଇ ଜାରି ରଖିଥିବ ବୋଲି କହିଛନ୍ତି।

Education,State

କେନ୍ଦ୍ରୀୟ ବିଦ୍ୟାଳୟରେ ନାହଁନ୍ତି ଓଡ଼ିଆ ଶିକ୍ଷକ

Blog Thumbnail

ବ୍ରହ୍ମପୁର (୦୮-୦୮-୨୦୨୫):- ବ୍ରହ୍ମପୁର ଆମ୍ବପୁଆ ସ୍ତିତ କେନ୍ଦ୍ରୀୟ ବିଦ୍ୟାଳୟରେ ବହୁ ମାସ ହେବ ଓଡ଼ିଆ ଶିକ୍ଷକ ନାହାଁନ୍ତି l ଯାହା ଫଳରେ ଏଠି ପଢ଼ୁଥିବା ଛାତ୍ରଛାତ୍ରୀ ବିନା ଓଡ଼ିଆ ଶିକ୍ଷକରେ ୧୦୦ ମାର୍କ ପରୀକ୍ଷା ଦେଉଛନ୍ତି l ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ନିରାଟ ସତ୍ୟ l ଦୀର୍ଘ ମାସ ହେବ, ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକର ଅଭାବ ରହିଥିବା ବେଳେ, ଅଧ୍ୟୟନରତ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି l ଯାହାଫଳରେ ଅଭିଭାବକ ମହଲରେ ମଧ୍ୟ ଏକ ପ୍ରକାର ଚିନ୍ତା ଦେଖାଦେଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାଙ୍କ ଉଚ୍ଚ ଭବିଷ୍ୟତ ପାଇଁ ଦେଶର ପ୍ରତ୍ୟକ ରାଜ୍ୟ, ଜିଲ୍ଲା ତଥା ବ୍ଲକ କୁ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ୟାଳୟ କରିଛନ୍ତି ଯାହା ଫଳରେ ପିଲା କମ ଖର୍ଚ୍ଚରେ ଅଧିକ ଜ୍ଞାନ ଆହରଣ କରିପାରିବେ l ହେଲେ ଏଠି ନାନାଦି ସମସ୍ୟା ଦେଖେଇ ଦେଉଛି ଏବଂ ସ୍ପଷ୍ଟ ହେଉଛି ଯେ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଅବ୍ୟବସ୍ଥା ଘେରରେ ଅଛି l ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଦ୍ୟାଳୟର ପ୍ରତ୍ୟକ ବସ ହଳଦିଆ ରଙ୍ଗର ରହିବ, ବାହାରପଟେ ଜାଲି ଲାଗିବ, ବିଦ୍ୟାଳୟ ଫୋନ ନମ୍ବର ରହିବ l କିନ୍ତୁ ସେସବୁ କୌଣସିର ସୁବିଧା ନାହିଁ ଓଲଟା ରଙ୍ଗ ବେରଙ୍ଗର ଘରୋଇ ବସର ବ୍ୟବହାର ହେଉଛି ଏଠି l ଆମେ ଏଠି କହିବାର କାରଣ ମଧ୍ୟ ଅଛି, କିଛି ଦିନ ପୂର୍ବେ ଏହି ବିଦ୍ୟାଳୟର ଛାତ୍ରୀ, ବିଦ୍ୟାଳୟ ବସରେ ବିଦ୍ୟାଳୟକୁ ଆସୁଥିବା ସମୟରେ, ବସ ର ଅନିୟନ୍ତ୍ରିତତା ଯୋଗୁଁ ଜଣେ ଶିଶୁ ଗାଡ଼ିରୁ ତଳେ ପଡିଯାଥିଲେ, ଭାଗ୍ୟ ଭଲ ଥିଲା, ମାଟି ରୋଡ଼ ଥିବାରୁ ପିଲାଟିର ଅବସ୍ଥା ଠିକ ଥିଲା ନଚେତ କ'ଣ ଯେ ହେଇଥାନ୍ତା !


ଏସବୁ ଅଭିଯୋଗ ପରେ ଓଡ଼ିଆ ଭାଷା ଆନ୍ଦୋଳନର କର୍ମକର୍ତ୍ତା ଶୁକ୍ରବାର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବାପାଇଁ ବିଦ୍ୟାଳୟରେ ପହଞ୍ଚିଥିଲେ କିନ୍ତୁ ଅଧ୍ୟକ୍ଷ ବ୍ୟସ୍ତ ଅଛି କହି ସାକ୍ଷାତ ଦେଇନଥିଲେ, ଯାହାଫଳରେ ଅନ୍ୟ ଏକ ଶିକ୍ଷକଙ୍କୁ ଦାବିପତ୍ର ଦେବା ସହ ଯଦି ଏକ ମାସ ଭିତରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ନହୁଏ ତାହେଲେ ବିଦ୍ୟାଳୟ ବାହାରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି ଓଡ଼ିଆ ଭାଷା ଆନ୍ଦୋଳନର କର୍ମକର୍ତ୍ତା ଏବଂ କହିଛନ୍ତି ଯେ, ଆଗାମୀ ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ଯେ କୌଣସି ଅସୁବିଧା ହେବ, ବିଦ୍ୟାଳୟ କତୃପକ୍ଷ ଦାୟୀ ରହିବ ବୋଲି କଡ଼ା ଭାଷାରେ ବର୍ଷିଛନ୍ତି l