ବ୍ରହ୍ମପୁର( ଦ କୁଇଭର ):- ରାଜ୍ୟରେ ଅହେତୁକ ବୃଦ୍ଧି ପାଇଥୁବା ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ଓ ଅପରାଧ ବିରୁଦ୍ଧରେ ତ୍ବରିତ ଉପଯୁକ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆଜି ଅର୍ଥାତ ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତରଫରୁ ଗୋପାଳପୁର ଥାନା ଅଧିକାରୀଙ୍କ ମାଧ୍ୟମରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l
ସମ୍ପ୍ରତି ରାଜ୍ୟରେ ଛାତ୍ରୀ ଓ ନାରୀ ନିର୍ଯାତନା ଅହେତୁକ ବୃଦ୍ଧି ପାଇଥିବା ବେଳେ, ଆମେ ଛାତ୍ରଛାତ୍ରୀମାନେ, ଏହି ସ୍ମାରକପତ୍ର ମାଧ୍ୟମରେ ଆପଣଙ୍କ ସମ୍ମୁଖରେ ଗଭୀର ଚିନ୍ତା ଓ ନିରାଶା ବ୍ୟକ୍ତ କରୁଛୁ। ଗତ କିଛି ଦିନରେ ରାଜ୍ୟର ଛାତ୍ରୀ ଓ ନାରୀମାନେ ଯେପରି ନିର୍ଯାତନାର ଶିକାର ହେଉଛନ୍ତି, ତାହା ରାଜ୍ୟର ସମଗ୍ର ଆମ ଛାତ୍ର ସମାଜକୁ ସ୍ଥମ୍ବିଭୂତ କରିଛି। ଅସଦାଚରଣ, ଅପହରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଆଦି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ହେଉଛି। ନିୟମିତ ଭାବେ ଏହିଭଳି ହୃଦୟ ବିଦାରକ ଘଟଣାମାନ ଲୋକଲୋଚନକୁ ଆସୁଥିବାରୁ, ଏକ ଭୟର ବାତାବରଣ ସୃଷ୍ଟି ହୋଇଛି, ଯେଉଁ କାରଣରୁ ଛାତ୍ରୀ ଓ ମହିଳା ମାନେ ଏକୁଟିଆ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି।
ଗୋପାଳପୁର ବିଚ୍ରେ ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଏହି ଘଟଣା ମାନବତା ଉପରେ ଏକ ଅତ୍ୟନ୍ତ ନିନ୍ଦନୀୟ ଆକ୍ରମଣର ଅତୁଟ ପ୍ରମାଣ ଦେଉଛି । ସେହିପରି ଏଫ୍ଏମ୍ କଲେଜ, ବାଲେଶ୍ଵରରେ ଏକ ଛାତ୍ରୀଙ୍କ ଆତ୍ମଦାହ କରିବା ଘଟଣା: ଛାତ୍ରୀ ଜଣକ କଲେଜର ଜଣେ ଅଧ୍ୟାପକଙ୍କ ଦ୍ଵାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣି ନ୍ୟାୟ ଭିକ୍ଷା କରିଥିଲେ। କଲେଜରୁ ତାଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ଅନୁମାନ କରି ସେ ସ୍ଥାନୀୟ ଥାନା, ସ୍ଥାନୀୟ ଏସପି, ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ । କିନ୍ତୁ, ନ୍ୟାୟ ପାଇବାରେ ବିଫଳ ହେବା ପରେ ସେ ଆତ୍ମଦାହ ଭଳି ଚରମ ନିଷ୍ପରି ନେଇଥିଲେ । ଏହି ଦୁଃଖଦ ଘଟଣା ସୂଚାଇ ଦେଉଛି ଯେ, ଏକ ଅଭିଯୋଗକୁ ଗମ୍ଭୀରତାର ସହ ନ ନେବା, ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ ହେବା ଓ ଅନ୍ୟାୟକୁ ପ୍ରଶ୍ରୟ ଦେବାର ପରିଣାମ କେତେ ଭୟଙ୍କର ହୁଏ ।ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଳିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରାଯିବା: ଏହି ଅମାନବୀୟ କାର୍ଯ୍ୟ ସମାଜରେ ଭୟର ବାତାବରଣ ସୃଷ୍ଟି କରିଛି।
ବିଜେପି ସରକାରରେ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ପ୍ରମୁଖ ମହିଳା ଓ ଛାତ୍ରୀ ନିର୍ଯାତନା ଘଟଣାମାନ ହେଲା: (ସେପ୍ଟେମ୍ବର ୧୭, ୨୦୨୪)ରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, (ସେପ୍ଟେମ୍ବର ୨୨, ୨୦୨୪)ରେ ଭୁବନେଶ୍ଵର, ଭରତପୁର ପୋଲିସ୍ ଷ୍ଟେସନରେ ମହିଳାଙ୍କୁ ଦୁବ୍ୟବହାର, ଅକ୍ଟୋବର ୨୩, ୨୦୨୪ରେ କୁଚିଣ୍ଡାରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ, (ମେ' ୩, ୨୦୨୫)ରେ କୋରାପୁଟ ଲମତାପୁଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲରେ ନାବାଳିକାକୁ ଦୁଷ୍କର୍ମ, (ଜୁନ ୧୭, ୨୦୨୫)ରେ କେନ୍ଦୁଝର ତେନ୍ତଳାପଶିରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା, (ଜୁନ୍ ୨୪, ୨୦୨୫)ରେ ବ୍ରହ୍ମପୁରରେ ବିଜେପିର ଜଣେ ସକ୍ରିୟ ସଦସ୍ୟ ତଥା ହୋମିଓପାଥି ଡାକ୍ତରଙ୍କ ଦ୍ବାରା ନାବାଳିକା ଦୁଷ୍କର୍ମର ଶିକାର, (ଜୁଲାଇ ୨୨, ୨୦୨୫)ରେ ମାଲକାନଗିରିରେ ଗୋଟିଏ ଦିନରେ ଦଳିତ ନାବାଳିକାକୁ ପ୍ରଥମେ ୩ ଜଣ ଗଣଦୁଷ୍କର୍ମ କରିବା ପରେ ଦ୍ବିତୀୟ ଥର ଟ୍ରକ ଡ୍ରାଇଭର ଦ୍ବାରା ଦୁଷ୍କର୍ମର ଶିକାର। ଏହି ଘଟଣାଗୁଡ଼ିକ ବ୍ୟତୀତ (ଜୁଲାଇ ୧୮, ୨୦୨୫)ରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳର ଡୁକୁମ ଗ୍ରାମରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ, (ଜୁଲାଇ ୨୦, ୨୦୨୫)ରେ ମୟୂରଭଞ୍ଜ ବାଙ୍ଗିରିପୋଷିରେ ଓ କନ୍ଧମାଳ ତୁମୁଡ଼ିବନ୍ଧରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ, (ଜୁଲାଇ ୨୬, ୨୦୨୫)ରେ କନ୍ଧମାଳ ତୁମୁଡ଼ିବନ୍ଧରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏହିସବୁ ଘଟଣା କେବଳ ନାରୀଙ୍କ ସୁରକ୍ଷା ଉପରେ ନୁହେଁ, ବରଂ ସାମୁଦାୟିକ ବିଶ୍ଵାସ, ଶିକ୍ଷାସ୍ଥଳର ସୁରକ୍ଷା ଓ ଆଇନ ଏବଂ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।
ତେଣୁ ଆମେ ଦାବି କରୁଛୁ, ଉପରୋକ୍ତ ସମସ୍ତ ଘଟଣାର ନିରପେକ୍ଷ ଓ ତ୍ବରିତ ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ।ଦୋଷୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଶିକ୍ଷା ସ୍ଥଳଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ସୁରକ୍ଷା ବୃଦ୍ଧି କରିବାକୁ ଦୃଢ଼ ପଦକ୍ଷେପ ନିଆଯାଉ । ନାରୀ ସୁରକ୍ଷା ପାଇଁ ଏକ ଅଧିକ କ୍ରିୟାଶୀଳ ଓ ପ୍ରଭାବଶାଳୀ ମେକାନିଜମ୍ ଗଠନ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ l