ଦ କୁଇଭର ବ୍ୟୁରୋ :- ପୂରା ଦେଶରେ ପ୍ରକୃତି ତାଣ୍ଡବ ରଚିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପରିସ୍ଥିତି ଦେଖାଯାଇଛି। କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ)କୁ ଯାନବାହନ ଚଳାଚଳ ଅଟକି ଯାଇଛି।ସୂଚନାଯୋଗ୍ୟ, ୧୬୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି।
ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍, ଟ୍ରକ୍ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।