ଭୁବନେଶ୍ୱର ( ଦ କୁଇଭର ):- ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାଇତ୍ୱ ଗ୍ରହଣ ପରେ ପ୍ରଥମ ସଚିବସ୍ତରୀୟ ବୈଠକ ନେଇଛନ୍ତି ଅନୁ ଗର୍ଗ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତ ବିଭାଗର ସଚିବଙ୍କ ସହିତ ଆଲୋଚନା କରି କାର୍ଯ୍ୟାନ୍ବୟନ ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ସୁବିଧା କରିବା ନେଇ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି। ଜାତୀୟସ୍ତର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଖୁସିର କେନ୍ଦ୍ର ଭାବେ ବିକଶିତ କରିବା ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସଂପୃକ୍ତ ବିଭାଗ ସମନ୍ୱୟରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା କରାଯିବା ସହିତ ରକ୍ଷଣାବେକ୍ଷଣ ପାଇଁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ ପାଇଁ ସଚିବଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ, ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାସଲ ପାଇଁ ପ୍ରଥମେ ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅଭିିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟ, ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ । ପ୍ରଭାବଶାଳୀ ଓ ନିର୍ମଳ ଶାସନ ବ୍ୟବସ୍ଥା ପାଇଁ ଆପାରଗ ଓ ଅଯୋଗ୍ୟ କର୍ମଚାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ।






