ଦ କୁଇଭର ବ୍ୟୁରୋ :- ଦେଶରୁ ବିଦେଶ ସବୁଠି ଚମକିବ ଓଡିଶା ହସ୍ତତନ୍ତ । ଓଡ଼ିଆ ହସ୍ତକଳାକୁ ମିଳିବ ନୂଆ ପରିଚୟ । ବିଦେଶରେ ବଢିବ ଚାହିଦା । ଆମ ବୁଣାକାରମାନଙ୍କ ହାତ ତିଆରି କାରିଗରୀକୁ ନେଇ ବିଦେଶରେ ପ୍ରଚାର କରିବେ ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ ।ବଲିଓଡ଼ର ଫ୍ୟାସନ ଆଇକନ ମାଧୁରୀ ଦୀକ୍ଷିତଙ୍କୁ ହସ୍ତତନ୍ତ ବିଭାଗର ବ୍ରାଣ୍ଡ ଆମ୍ବାସଡର ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଅଭିନୟ ଓ ନୃତ୍ୟ ପ୍ରତିଭାରେ ମାଧୁରୀ ଯେଭଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଓ ଭାରତ ସମେତ ବିଶ୍ୱରେ ନିଜର ସ୍ୱତନ୍ତ୍ର ଚାପ ଛାଡିଛନ୍ତି, ଓଡ଼ିଶାର ହସ୍ତତନ୍ତକୁ ସେମିତି ନେଇ ବିଶ୍ୱରେ ପହଂଚାଇବେ ଓ ଓଡିଶାକୁ ଏକ ମଜଭୁତ ଫ୍ୟାସନ ରାଜ୍ୟ ଭାବେ ଗଢି ତୋଳିବେ । ଉଦ୍ଘାଟନୀ ସମାରୋହରେ ଯୋଗ ଦେଇ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆମ ବୁଣାକାରମାନଙ୍କର ହାତ ତିଆରି ହସ୍ତତନ୍ତର ପ୍ରଚାର କରିଥିଲେ। ସେ କହିଥିଲେ, 'ଓଡିଶା କଳାର ଏହା ଏକ ଅନନ୍ୟ ନିଦର୍ଶନ । ଏହାର ପ୍ରଚାରରେ ମୁଁ ସାମିଲ ହୋଉ ଓଡିଶା ପରମ୍ପରାର ଏହି ଆତ୍ମାକୁ ଅନୁଭବ କରିଲି। ଏହାର ପ୍ରଚାର ମୋର ଏକାନ୍ତ କାମ୍ୟ । ଏହା ଓଡ଼ିଶାର ଭବିଷ୍ୟତକୁ ଆଗକୁ ନେବ। କାରଣ ଓଡିଶା ହସ୍ତତନ୍ତର ପ୍ରତିଟି ଡିଜାଇନ ଗୋଟେ ଗୋଟେ କାହାଣୀ କୁହେ, ଯାହା ସହ ମୁ ଯୋଡି ହୋଇସାରିଛି। ତେଣୁ ଏହାର ପ୍ରଚାର ପ୍ରସାରର ମୁଁ ଗୋଟେ ଭାଗ ହୋଇଥିବାରୁ ଗର୍ବିତ ।'
ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା "ଏକତା" କୁ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର 'ହସ୍ତତନ୍ତ କ୍ଷେତ୍ର' କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତାର ପ୍ରମୁଖ ସ୍ତମ୍ଭ ହେଉଛି ହସ୍ତତନ୍ତ । ମିଶନ ମୋଡରେ ଏହାର ବିକାଶ ହେବ। ଏକ ବର୍ଷ ପାଇଁ ମାଧୁରୀ ଦୀକ୍ଷିତଙ୍କୁ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ଲୋବାଲ ବ୍ରାଣ୍ଡିଙ୍ଗ ସହ ବିଶ୍ୱ ବଜାରରେ ସେ ଏହାର ପ୍ରଚାର ପ୍ରସାର କରିବେ । ବିଶ୍ୱ ବଜାରରେ ବଢିବ ଓଡିଶା କାରିଗରୀର ଚାହିଦା। ଗ୍ଲୋବାଲ ବ୍ରାଣ୍ଡିଙ୍ଗ ସହ ଓଡିଶାର ହସ୍ତତନ୍ତର ପ୍ରଚାର ପ୍ରସାର ହେବ । ଐତିହ୍ୟର ସୂତ୍ରଧାର ସାଜିଥିବା ଏହି ବିଭାଗକୁ ଆଗକୁ ନେବାକୁ ଆଜିଠାରୁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଓଡିଶା ହସ୍ତତନ୍ତ ସାମଗ୍ରୀ ର ନକଲି ସାମଗ୍ରୀ ବଜାରରେ ସ୍ୱଳ୍ପ ଦରରେ ବିକ୍ରି ହେଉଛି ବୋଲି ଅଭିଯୋଗ ଆସୁଥିବା ବେଳେ ଏନେଇ ନେଇ ବିଭାଗ ସଚେତନ ରହିଛି। ଆଗକୁ ଯେଭଳି ଏହାର ଡୁପ୍ଲିକେଶି ନ ହୁଏ ବିଭାଗୀୟ ଅଧିକାରୀ ସେ ନେଇ କାମ କରୁଛନ୍ତି। ଡୁପ୍ଲିକେଟ୍ କରୁଥିବା ଲୋକଙ୍କ ବିରୁଦ୍ଧରେ ଆବଶ୍ୟକ ପଡ଼ିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଲି ସେତିକି ନୁଁହେ, ଯୁବ ବୁଣାକାରମାନେ କିଭଳି ଉତ୍ସାହିତ ହେବେ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଯୁବପିଢୀଙ୍କୁ ପ୍ରୋତ୍ସାହନଠୁ ଆରମ୍ଭ କରି ପ୍ରଶିକ୍ଷଣ, ଉନ୍ନତ ଜ୍ଞାନକୌଶଳ ସହ ନୂଆ ଡ଼ିଜାଇନ ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ସରକାର ଯୋଗାଇଦେବେ ଓ ଯୁବ ବୁଣାକାରଙ୍କୁ ରୋଜଗାର ଦେବେ ବୋଲି ମଧ୍ୟ ପ୍ରତିଶ୍ରତି ଦେଇଛନ୍ତି।