ଦ କୁଇଭର ବ୍ୟୁରୋ :- ନିବେଶ ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି ମୋହନ ସରକାର । ଏହି କ୍ରମରେ ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ଟି ବିଭାଗର ଗ୍ରୁପ ସି'ର ଏହି ପଦବୀ ପୂରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଓଡିଶା ସରକାରରେ ପ୍ରାୟ ୪ ଲକ୍ଷ ମଞ୍ଜୁରୀ ପ୍ରାପ୍ତ ପଦ ରହିଛି । ସେଥିରୁ ପ୍ରାୟ ଲକ୍ଷେ ପଦ ବିଭିନ୍ନ ବିଭାଗରେ ଫାଙ୍କା ପଡ଼ିଛି । ଫାଙ୍କା ରହିଥିବା ପଦ ପୂରଣ କରିବା ପାଇଁ ମୋହନ ସରକାର ଅଣ୍ଟା ଭିଡ଼ିଛନ୍ତି । ୨ ବର୍ଷ ମଧ୍ୟରେ ୬୫ ହଜାର ପଦ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ସେଥିମଧ୍ୟରୁ ବିଭିନ୍ନ ବିଭାଗରେ ୨୮୩୯୨ ପଦରେ ସିଧାସଳଖ ନିଯୁକ୍ତି ଜୁନ ମାସ ସୁଦ୍ଧା ହୋଇଛି । ରାଜ୍ୟ ସରକାରଙ୍କ କ୍ଷମତା ସଂପନ୍ନ କମିଟି ଫାଙ୍କା ଥିବା ଗ୍ରୁପ 'ସି' ୨୫୯୫୩ ପଦ ପୂରଣ ପାଇଁ ଅନୁମୋଦନ ଦେଇଛନ୍ତି । ଅନୁମୋଦିତ ଗ୍ରୁପ 'ସି' ୨୫୯୫୩ ପଦ ମଧ୍ୟରୁ ୧୦ ବିଭାଗରେ ୨୨ ହଜାର ୮୯୬ ପଦବୀ ଫାଙ୍କା ଅଛି । ଚଳିତ ମାସ ଶେଷ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୧୦ ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗରେ ସର୍ବାଧିକ ୮ ହଜାର ୩୫୮ ପଦବୀ ପୂରଣ କରିବା ପାଇଁ ଅନୁମତି ମିଳିଛି । ଦ୍ଵିତୀୟରେ ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ରହିଛି । ଏହି ବିଭାଗରେ ୪ ହଜାର ୪୨ ପଦବୀ ପୂରଣ ହେବ । ସ୍ୱାସ୍ଥ୍ୟ ବିଭାଗର ୩ ହଜାର ୬୭୭ ପଦବୀ ପୂରଣ ହେବ । କୃଷି ବିଭାଗରେ ୧୪୬୯ ପଦବୀ ପୂରଣ କରାଯିବ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୧୩୭୧, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗରେ ୧୧୯୩, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗରେ ୮୮୮, ଉଚ୍ଚଶିକ୍ଷା ବିଭାଗରେ ୮୬୭, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗରେ ୫୨୬ ଓ ଗୃହ ବିଭାଗରେ ୫୦୫ ପଦବୀ ପୂରଣ କରାଯିବ ।