ଦ କୁଇଭର ବ୍ୟୁରୋ :- ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡବଲ ମାଡ଼ ବାଜିଛି । ଟ୍ରମ୍ପ ଭାରତ ଉପରେ ଆମେରିକାର ରପ୍ତାନୀ ଶୁଳ୍କକୁ ୫୦ ପ୍ରତିଶତ ବଢ଼ାଇ ଦେଇଛନ୍ତି । ଋଷ ସହ ବେପାର ବନ୍ଦ ନକରିବା ଯାଏ ଆମେରିକା ସେମିତି କଠୋର ହେବ ବୋଲି କହିଛନ୍ତି ଟ୍ରମ୍ପ । ପୂର୍ବରୁ ଏହି ଶୁଳ୍କକୁ ୨୫ ପ୍ରତିଶତ କରିଥିଲେ । ମାତ୍ର ଏବେ ଏହାକୁ ୫୦ ପ୍ରତିଶତ କରିଛନ୍ତି । ଆହୁରି ବଢ଼ିବ ବୋଲି ବି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଋଷ ସହ ସମ୍ପର୍କ ରଖିଥିବା ଅନେକ ଦେଶ ଉପରେ ଆମେରିକା ତାର ଶୁଳ୍କ ମାଡ଼ ଜାରି ରଖିଛି । ବ୍ରାଜିଲ ଉପରେ ମଧ୍ୟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି ।
ଆମେରିକାର ଏହି ତାରିଫ ମାଡ଼ ଫଳରେ ଆଜି ସେୟାର ବଜାରରେ ବେଶ ପ୍ରଭାବ ପଡ଼ିଛି । ସେୟାର ବଜାରରେ ପ୍ରାୟ ୨୪୩ ପଏଣ୍ଟ ହ୍ରାସ ହୋଇଛି । କେବଳ ସେତିକି ନୁହେଁ, ବଜାର ଉପରେ ଏହାର ପ୍ରଭାବ ପଡ଼ୁଛି । ଆମେରିକାକୁ ଯିବାକୁ ଥିବା ଅନେକ ସାମଗ୍ରୀ ଏବେ ପଡ଼ି ରହିଛି । ଏଭଳି ସ୍ଥିତି ପୂରା ଦେଶକୁ ଚିନ୍ତାରେ ପକାଇ ଦେଇଛି । ଦେଶର ବେପାର ବଜାର ଉପରେ ବଡ଼ ପ୍ରଭାବ ପଡ଼ିଛି ।
ଆମେରିକା ଭାରତ ଉପରେ କଡ଼ା ପଦକ୍ଷେପ ନେଉଛି । ବାରମ୍ବାର ତାରିଫ ବଢ଼ାଉଛି । ଅପରେସନ ସିନ୍ଦୁର ପର ଠାରୁ ଭାରତ ଉପରେ ଆମେରିକା ଦାଉ ସାଧୁଛି । ପ୍ରତି କ୍ଷେତ୍ରରେ ଭାରତର ଶତ୍ରୁ ମାନଙ୍କୁ ସହାୟତା କରୁଛି ଓ ଭାରତ ଉପରେ କଟକଣା ଲଗାଉଛି । ଆପଲକୁ ଭାରତକୁ ନଆସିବା ପାଇଁ କହିଥିଲେ ଟ୍ରମ୍ପ । ଭାରତକୁ ଋଷରୁ ତେଲ କିଣା ବନ୍ଦ କରିବାକୁ କହିଥିଲେ । ମାତ୍ର ଭାରତ ତାହାକୁ ଗ୍ରହଣ ନକରିବାରୁ ଏବେ ତାରିଫ ମାଡ଼ ଆରମ୍ଭ କରିଛନ୍ତି । ଦୁଇଟି କିସ୍ତିରେ ତାରିଫକୁ ୫୦ପ୍ରତିଶତ ବଢ଼ାଇଛନ୍ତି ଟ୍ରମ୍ପ ।
ଆମେରିକା ଯଦି ତାର ତାରିଫକୁ ଏହି ପରି ବୃଦ୍ଧି କରି ରଖିବ, ତେବେ ଭାରତର ଜିଡିପି(ଗ୍ରସ ଡୋମେଷ୍ଟିକ ପ୍ରଡକ୍ଟ)ଉପରେ ୦.୪ ପ୍ରତିଶତ ପ୍ରଭାବ ପକାଇବ । ଯାହା ଅର୍ଥନୀତି ଉପରେ ମଧ୍ୟ ମାଡ଼ ହେବ ବୋଲି ଅର୍ଥନୈତିକ ବିଷାରଦମାନେ କହିଲେଣି । ଆମେରିକାର ଏପରି ଆଭିମୁଖ୍ୟକୁ ବିରୋଧୀ କଂଗ୍ରେସ ବି ଘୋର ନିନ୍ଦା କରିଛି । ଟ୍ରମ୍ପଙ୍କୁ ସିଧା ସଳଖ ସମାଲୋଚନା କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଏହା ଟ୍ରମ୍ପଙ୍କ ସ୍ୱେଚ୍ଛାଚାରିତା । ବିଶ୍ୱ ବାଣିଜ୍ୟ ନିୟମର ଖୋଲା ଉଲ୍ଲଙ୍ଘନ । ରାହୁଲଙ୍କ ବ୍ୟତୀତ କଂଗ୍ରେସ ଏମପି ଶଶୀ ଥରୁର ବି ଏହାକୁ କଡ଼ା ସମାଲୋଚନା କରି ଆମେରିକାକୁ ନିନ୍ଦା କରିଛନ୍ତି ।
ଏଭଳି ବାଦ ବିବାଦ ମଧ୍ୟରେ ଭାରତ ରପ୍ତାନୀ ଶିଳ୍ପ ପ୍ରଭାବିତ ହେବାକୁ ଯାଉଛି । ବିଶେଷ କରି ଆମେରିକା ନେଉଥିବା ସାମଗ୍ରୀ ଗୁଡ଼ିକ ଏବେ ଅନ୍ୟ ଦେଶକୁ ପଠାଯିବ । ହେଲେ ଏଥିପାଇଁ ସମୟ ଲାଗିବ । ସେହି ସମୟ ମଧ୍ୟରେ ଭାରତର ଅନେକ ଉତ୍ପାଦ ପ୍ରଭାବିତ ହେବ । ଦେଖାଯାଉ ବାଣିଜ୍ୟ ବଜାରରେ ଏପରି ସ୍ଥିତିକୁ ମୋଦି କେତେଶୀଘ୍ର ନିୟନ୍ତ୍ରଣକୁ ନେଇ ପାରୁଛନ୍ତି ଓ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରି ପାରୁଛନ୍ତି ?