ଦ କୁଇଭର ବ୍ୟୁରୋ :- ନୂଆପଡା ଉପନିର୍ବାଚନରେ ଆରୋପ ପ୍ରତ୍ୟାରୋପର ସୀମା ଟପିଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିବା ସହିତ ପ୍ରୀର୍ଥୀ ଚୋରି କରିଥିବା ଅଭିଯୋଗ ଆଣିଥିଲେ । ଏପଟେ ଆଜି ନବୀନଙ୍କୁ ସିଧାସଳଖ ପ୍ରତିଜବାବ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସେ କହିଛନ୍ତି, ମୋ ବାପା ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ । ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ । ନୂଆପଡ଼ାରେ ନବୀନଙ୍କ ପ୍ରଚାରକୁ ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା । "ନବୀନ ମୋ ବାପା ଭଳି, ତାଙ୍କ ଟିପ୍ପଣୀରେ ବେଶୀ କିଛି କହିବାର ନାହିଁ । ହସ୍ପିଟାଲରେ ବାପା ମୃତ୍ୟ ସହ ସଂଗ୍ରାମ କଲାବେଳେ ସେ ଆସିଲେନି । ଫୋନ କରି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରିଲେନି । ଏପରିକି ଶୁଦ୍ଧିକ୍ରିୟାକୁ ମଧ୍ୟ ଆସିନଥିଲେ । ବାପା ମେଡିକାଲରେ ପଡିଥିବା ସମୟରେ ବିଜେଡି ଦଳର କୌଣସି ଜଣେ ବି ନେତା ଆମକୁ ସମ୍ପର୍କ କରିନଥିଲେ । ଅଧିକ ଚିକିତ୍ସା କଥା ତ ଦୂରର କଥା ସ୍ୱାସ୍ଥାବସ୍ଥା ବୁଝିବାକୁ ମଧ୍ୟ କେହି ଫୋନ କରି ନଥିଲେ । ନିର୍ବାଚନ ପ୍ରଚାରରେ ନବୀନଙ୍କ କଥା ମୋତେ ଖରାପ ଲାଗିଛି । ନୂଆପଡାବାସୀଙ୍କ ସହାନୁଭୂତି ସବୁବେଳେ ମୋ ସହିତ ରହିବ ।" ଗତକାଲି ନବୀନଙ୍କ ଆରୋପ ପରେ ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏକ ସାମ୍ବାଦିକ ସମ୍ମିଳନୀରେ ଜବାବ ରଖିଛନ୍ତି । "ମୋର ବାପା ସ୍ୱର୍ଗୀୟ ରାଜେନ୍ଦ୍ର ଢୋଲକିଆ ବିଜୁ ଜନତା ଦଳରୁ ରାଜନୀତି ଆରମ୍ଭ କରି ଶେଷ ମଧ୍ୟ କରିଥିଲେ । ହେଲେ ବିଜୁ ଜନତା ଦଳ ମୋର ବାପାର ହୋଇ ପାରିଲା ନାହିଁ । ଚେନ୍ନାଇ ହସ୍ପିଟାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଥିଲେ ମୋ ବାପା । ସେତେବେଳେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ଦଳର କୋଣସି ନେତା ଦେଖିବାକୁ ଗଲେନାହିଁ, କିମ୍ବା ଫୋନ କରି ଭଲ ମନ୍ଦ ବୁଝିଲେ ବି ନାହିଁ ଅଥବା ତାଙ୍କ ଦଶାହ ଶ୍ରଦ୍ଧାଞ୍ଜଳୀ ସଭାକୁ ମଧ୍ୟ ଆସିଲେ ନାହିଁ ନବୀନ ପଟ୍ଟନାୟକ । ସେ ମୋର କିମ୍ବା ମୋର ବାପାର ହେଲେ କେମିତି କହନ୍ତୁ ।" ଆଉ ବର୍ତ୍ତମାନ ନୂଆପଡାରେ ଉପନିର୍ବାଚନ ଚାଲିଥିବା ବେଳେ ଭୋଟ ପ୍ରଚାର ପାଇଁ ଆସିଗଲେ ଏମିତି ରାଜନୀତି କରାଯାଏ କି ବୋଲି ଜୟ ଢୋଲକିଆ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକକୁ ପ୍ରଶ୍ନ ପଚାରିଛନ୍ତି । ଗତକାଲି ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ମୈଦାନରେ ଅବତରଣ କରି ତରବୋଡ଼ ସମ୍ଭବ ପଡିଆ ଠାରେ ଆୟୋଜନ କରାଯାଇଥିବା ନିର୍ବାଚନୀ ସଭାରେ ବିଜେପିକୁ ଟାର୍ଗେଟ କରିଥିଲେ । ନବୀନ କହିଥିଲେ, "ମୋ ସରକାରରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆମ ଦଳର ନେତା ରହିଥିଲେ । ସେ ନୂଆପଡା ବିକାଶ ପାଇଁ ଯାହା ମୋତେ ଡିମାଇଣ୍ଡ କରିଥିଲା ମୁଁ ସବୁ ପୂରଣ କରିଛି । ହେଲେ ତାଙ୍କ ପୁଅ ଆମ ଦଳକୁ ଧୋକା ଦେଇଛନ୍ତି । ଆମ ଦଳ ସହିତ ବେଇମାନୀ ହୋଇଛି । ନୂଆପଡାବାସୀ ଏହାର ଜବାବ ଦେବେ ।"






