ଦ କୁଇଭର ବ୍ୟୁରୋ :- ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ। ୯ ଅକ୍ଟୋବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସମ୍ଭାବନା। ଗତକାଲି ଭାରତ ପାଣିପାଗ ବିଭାଗ ଦ୍ୱାରା ଜାରିହୋଇଥିବା ବିସ୍ତାରିତ ପରିସର ଆକଳନ ଅନୁଯାୟୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ଵା ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ଆକଳନ କରିଛି ବିଭାଗ। ଫଳରେ ପୁଣି ଅକ୍ଟୋବର ୧୦ରୁ ବର୍ଷ ଆରମ୍ଭ ହୋଇପାରେ ବୋଲି ସମ୍ଭାବନା ରହିଛି। ଚଳିତ ମୌସୁମୀଠୁ ଏଯାବତ ଅର୍ଥାତ ଓଡ଼ିଶା ମୌସୁମୀ ଛୁଇଁବା ଦିନଠୁ ୧୬ଟି ଲଘୁଚାପ ହୋଇସାରିଥିବା ସୂଚନା ଦେଇଛି ବିଭାଗ। ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଆବପାତ ଲଘୁଚାପରେ ପରିଣତ ହେବାପରେ ଯଦିଓ ବର୍ଷାର ପରିମାଣ ବଢ଼ିଛି କିନ୍ତୁ ଦକ୍ଷିଣ ଓଡ଼ିଶା ସମେତ ଉପକୂଳରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଆକାଶ ମେଘଛନ୍ନ ରହିଛି।
ଆସନ୍ତା ୩ ଦିନ ଯାଏ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଂଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନାକୁ ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଅର୍ଥାତ୍ ହଳଦିଆ ଚେତାବନୀ ଦେଇଛି ବିଭାଗ। ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାକୁ ୱାର୍ଣ୍ଣିଂ ରହିଛି। ସେହିପରି ଆସନ୍ତାକାଲି ଏହିସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ।
ଅନ୍ୟପଟେ ଆରବ ସାଗରରେ ମାଡ଼ି ଆସୁଛି ବାତ୍ୟା ‘ଶକ୍ତି’। ଧିରେ ଧିରେ ବଳ ଗୋଟାଉଛି ବାତ୍ୟା ‘ଶକ୍ତି’। ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୬୫ କିମି ବେଗରେ ପବନ ବହୁଛି। ଗୁଜରାଟ-ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି । ବର୍ତ୍ତମାନ ଏହା ନାଲିୟାଠାରୁ ୨୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି ଓ ଘଣ୍ଟା ପ୍ରତି ୮ରୁ ୧୨ କିଲୋମିଟର ବେଗରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି। ଉତ୍ତରପୂର୍ବ ଆରବସାଗରରେ କେନ୍ଦ୍ରୀଭୂତ ଥିବା ଗଭୀର ଅବପାତ ଦ୍ୱାରକାଠାରୁ ୨୪୦ ଏବଂ ପୋରବନ୍ଦରଠାରୁ ୨୭୦ କିଲୋମିଟର ଦୂରରେ ରହିଥିବା ବେଳେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବା ଅନୁମାନ କରିଛି ଆଇଏମଡି। ଅକ୍ଟୋବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବ ଆରବ ସାଗର ।