ଦ କୁଇଭର ବ୍ୟୁରୋ :- ଆନ୍ଧ୍ରପ୍ରଦେଶ ଗ୍ରାନାଇଟ ଖଣିରେ ବଡ଼ ଅଘଟଣ । ଭୟଙ୍କର ଦୁର୍ଘଟଣାରେ ୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାଲିକୁରାଭା ନିକଟସ୍ଥ ସତ୍ୟକୃଷ୍ଣ ଗ୍ରାନାଇଟ ଖଣିରେ ଏକ ବଡ଼ ପଥର ଖଣ୍ଡ ଧସେଇ ଖସିପଡ଼ିବା ଫଳରେ ଏହି ଅଘଟଣ ଘଟିଛି । ମୃତକ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ଜଣ ଶ୍ରମିକ ଓ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ୨ ଜଣ ଶ୍ରମିକ ବୋଲି ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ,ଆନ୍ଧ୍ରପ୍ରଦେଶ ବାପତଲା ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଓଡ଼ିଶାର କିଛି ଶ୍ରମିକ ଗତ ୩ ମାସ ଧରି ବାଲିକୁରାଭା ନିକଟସ୍ଥ ସତ୍ୟକୃଷ୍ଣ ଗ୍ରାନାଇଟ୍ ଖଣିରେ କାମ କରୁଥିଲେ । ଆଜି ସକାଳେ ପାଖାପାଖି ୧୬-୨୦ ଜଣ ଶ୍ରମିକ କାମ କରିବାକୁ ଯାଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଖଣିରେ ବିସ୍ଫୋରଣ ପାଇଁ ଜେଲାଟିନ୍ ଷ୍ଟିକ୍ ସ୍ଥାପନ କରୁଥିବା ସମୟରେ ଦୁର୍ଘଟଣାବଶତଃ ଉପରୁ ଏକ ଗ୍ରାନାଇଟ୍ ପଥର ଶ୍ରମିକମାନଙ୍କ ଉପରେ ପଡ଼ିଥିଲା । ପଥର ପଡ଼ିବା ଯୋଗୁଁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଆହତ ଶ୍ରମିକଙ୍କୁ ନରସରାଓପେଟ୍ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ ଜଣ ଶ୍ରମିକ ଓ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ୨ ଜଣ ଶ୍ରମିକ ରହିଛନ୍ତି । ଦୁର୍ଘଟଣା ଘଟଣା ଜଣାପଡିବା ମାତ୍ରେ ବାପତଲା ଜିଲ୍ଲା କଲେକ୍ଟର ଭେଙ୍କଟ ମୁରଲୀ ଏବଂ ଏସପି ତୁଷାର ଡୁଡି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବାଲିକୁରାବା ପୋଲିସ ଏବଂ ରାଜସ୍ୱ ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଖଣି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ମୃତକ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା , ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ ବୋଲି ଜଣାପଡିଛି l
ତେବେ ଗଭୀର ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାର କାନ୍ଦ ବୋବାଳି ଭିତରେ ଫାଟି ପଡୁଥିବାବେଳେ ଅଞ୍ଚଳରେ ଶୋକାକୁକ ପରିବେଶ ସୃଷ୍ଟି ହୋଇଛି l ଦେଖାଯାଉ ରାଜ୍ୟ ସରକାରଙ୍କ ଅନାଦର ଏବଂ ଅଣଦେଖା ପାଇଁ ବାହାର ରାଜ୍ୟ କୁ ଯାଇ ଦାଦନ ଖଟି ଗୁଜୁରାଣ ମେଣ୍ଟାଇବାକୁ ଯାଇ ଆଉ କେତେ ଜଣ ଏଭଳି ଅଘଟଣର ଶିକାର ହେଉଛନ୍ତୁ...