ଦ କୁଇଭର ବ୍ୟୁରୋ :- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ଅଞ୍ଚଳରେ ଜଣେ ଯୁକ୍ତ ୩ ଛାତ୍ରୀ ଆତ୍ମାହୂତି ଦେଇଛନ୍ତି । ଏଥର କଲେଜର ଅଧ୍ୟାପକ କି ଅଧ୍ୟକ୍ଷଙ୍କ ନିର୍ଯାତନା ନୁହେଁ, ତାଙ୍କ ପୁରୁଷ ବନ୍ଧୁଙ୍କ ନିର୍ଯାତନା ବୋଲି କହୁଛନ୍ତି ତାଙ୍କ ବାପା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ଝିଅର ବ୍ରେକ ଅପ ହୋଇଥିଲା । ଏହାପରେ ସେ ଝିଅର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା । ଏନେଇ ପୋଲିସକୁ ସେ ଜଣାଇଥିଲେ । ମାତ୍ର ପୋଲିସ ନୀରବ ରହିଥିଲା । ଫଳରେ ଝିଅ ଆତ୍ମାହୂତି ଦେବାକୁ ବାଧ୍ୟ ହେଲା ବୋଲି ତାଙ୍କ ବାପା କହୁଛନ୍ତି । ତାଙ୍କ ବାପାଙ୍କ କଥାକୁ ଥରେ ଶୁଣିବା । ମନ ଦେଇ ଶୁଣିଲେ ଅନେକ କିଛି ପ୍ରଶ୍ନ ଆସୁଛି ।
ବାପା ଯାଇଥିଲେ ପଟ୍ଟାମୁଣ୍ଡାଇ ହସ୍ପିଟାଲ । ସେହି ସମୟରେ ଝିଅ ଛାତ ଉପରେ ଆତ୍ମାହୂତି ଦେଲା । ୪ଘଣ୍ଟା ପରେ ସେ ଆସି କବାଟ ଭାଙ୍ଗିଲେ । ଛାତ ଉପରେ ଜଳୁଥିବା ଖବର ପାଖ ପଡ଼ିଶା ପାଇଲେ ନାହିଁ । କବାଟ ଭାଙ୍ଗିବା ବେଳେ ବି କେହି ଜାଣିଲେ ନାହିଁ । ସବୁ ସେ ହିଁ କରିଛନ୍ତି ।
ଏକଥା ଶୁଣିଲା ବେଳକୁ ଅନେକ ପ୍ରଶ୍ନ ଆସୁଛି । ସେତିକି ନୁହେଁ, ଝିଅର ପୁରୁଷ ବନ୍ଧୁଙ୍କ ନାମ କ’ଣ ? ସେ ହଇରାଣ କରିବାର ପ୍ରମାଣ ଅଛିକି ? ଥାନାରେ ଦେଇଥିବା ଏତଲାର ନକଲ ଅଛି କି ? ଏମିତି ପ୍ରଶ୍ନର ଉତ୍ତର ଶୁଣନ୍ତୁ । ସୋସିଆଲ ମିଡିଆର ଫଟୋ ସେମାନେ ଡିଲିଟ କରିଦିଅନ୍ତି । ଏସବୁକୁ ଦେଖିଲେ ଜଣାପଡ଼ୁଛି ଯେ, ଝିଅର କାରନାମାରେ ବାପା ଓ ପରିବାର ଲୋକେ ଅତିଷ୍ଠ ନଥିଲେ ତ ? ସମାଜରେ ମାନ ସମ୍ମାନ ହାନୀ ପାଇଁ କିଛି ମାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ ତ ?
ଝିଅଟିଏ ଜଳି ପ୍ରାଣ ହରାଇଛନ୍ତି । ଏହା ଆତ୍ମହତ୍ୟା କି ହତ୍ୟା ତାହାର ତଦନ୍ତ ହେବା କଥା । ପ୍ରତିଟି ଦିଗକୁ ନଜର ଦେଇ ତଦନ୍ତ କରାଯିବା ଦରକାର । ମୃତ ଛାତ୍ରୀ ପ୍ରତି ସମବେଦନା ସବୁଠି ରହିଛି । ମାତ୍ର ତାଙ୍କ ମୃତ୍ୟୁ ଯେ ରହସ୍ୟମୟ ତାହା ଏବେ ଠାରୁ ଦିଶିଲାଣି । ବାପା ହିଁ ଘଟଣାକୁ ବିବାଦୀୟ କରୁଛନ୍ତି । ପୋଲିସରେ ଏତଲା ଦିଆଯିବା କଥାକୁ ପୋଲିସ ଅସ୍ୱୀକାର କରିଛି । ଏପଟେ ବାପା ପାଖରେ ପ୍ରମାଣ ନାହିଁ । ସେପଟେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କଥା ବି ଆସୁଛି । ଏସବୁକୁ ଦେଖିଲେ ଘଟଣା ପଛରେ ଅନେକ ରହସ୍ୟ ଥିବା କୁହାଯାଉଛି । ବାପାଙ୍କ ବୟାନ କହୁଛି ବାଲେଶ୍ୱର ଛାତ୍ରୀ ଆତ୍ମାହୂତି କଥା । ସେଠାରେ ସରକାର ୨୦ଲକ୍ଷର କ୍ଷତିପୂରଣ ଦେଇଛନ୍ତି । ଏଠି ଆତ୍ମାହୂତି ପଛରେ କି ରହସ୍ୟ ରହିଛି ତାହା ତଦନ୍ତ ହେଲେ ପଦାକୁ ଆସିବ । ଦେଖାଯାଉ ପୋଲିସ ବାସ୍ତବ କଥା ଖୋଜି ବାହାର କରିପାରୁଛି ନା ମୃତା ଛାତ୍ରୀଙ୍କ ପରିବାର ଲୋକଙ୍କ କଥା ଅନୁଯାୟୀ ମାମଲାକୁ ଭାଙ୍ଗୁଛି ।